ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ଅବନ୍ତିକା ପଟ୍ଟନାୟକ। ବାପ ଘର ଅଧିକାରରୁ ବଞ୍ଚିତ ହେବା ନେଇ ଅବନ୍ତିକା ବିଧାୟକଙ୍କ ଖଣ୍ଡପଡ଼ାସ୍ଥିତ ଘର ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ସେ ଇ-ମେଲ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ଆଜି ଲୋହିଆ ଏକାଡେମିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଥିଲେ ଯେ, ୨୦୦୪ରେ ପ୍ରେମ ବିବାହ କରିଥିବାରୁ ପରିବାର ଲୋକେ ଏଥିରେ ସହମତ ହୋଇ ନ ଥିଲେ। ମା’ ଏବଂ ବଡ଼ ଭାଇ ଅନୁଭବ ଏହି ବିବାହକୁ ସ୍ୱୀକୃତି ଦେଇ ନ ଥିଲେ। ପରବର୍ତୀ ସମୟରେ ମୋ ପ୍ର୍ରତି ଅନ୍ୟାୟ କରାଯିବାରୁ ନ୍ୟାୟ ପାଇଁ ଖଣ୍ଡପଡ଼ାସ୍ଥିତ ଘର ସମ୍ମୁଖରେ ଧାରଣାରେ ବସିଥିଲି। ଏହାପରେ ମା’ ପ୍ରତିଶ୍ରୁତି ଦେଇଥିଲେ ମୋତେ ଅଧିକାର ମିଳିବ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲାନି। ବରଂ ବିଧାୟକ ଶ୍ରୀ ପଟ୍ଟନାୟକ ମୋ ଅଧିକାରକୁ ରାଜନୈତିକ ରଙ୍ଗ ଦେଇ ସାମ୍ବାଦିକ ସମ୍ମିଳନୀ କଲେ। ସେଥିରେ ମୋ ବିବାହକୁ ନେଇ ପ୍ରଶ୍ନ ଉଠାଇବା ସହ ଚରିତ୍ର ସଂହାର କଲେ। ଏହାଦ୍ୱାରା ମୁଁ ନିନ୍ଦିତ ହୋଇଛି। ମୋ ସ୍ୱାମୀ, ପିଲାଙ୍କ ମାନହାନୀ ହୋଇଛି। ବିବାହ ପୂର୍ବରୁ ପରିବାର ଲୋକେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ମୋତେ ବ୍ରହ୍ମପୁରରେ ଆପାର୍ଟମେଣ୍ଟ ଦେଇଥିବା ନେଇ ବିଧାୟକ ଯେଉଁ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସେହି ଘର ମୋ ସ୍ୱାମୀ ଋଣ କରି କିଣିଛନ୍ତି। ବ୍ୟାଙ୍କରୁ ଏହାର ସବିଶେଷ ତଥ୍ୟ ମିଳିପାରିବ। ଗାଡ଼ି ଦେଇଥିବା ନେଇ ବିଧାୟକ ଯେଉଁ କଥା ଉଠାଉଛନ୍ତି ତାହାର ସତ୍ୟାସତ୍ୟ ବ୍ୟାଙ୍କରୁ ଜଣାପଡ଼ିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଶ୍ରୀ ପଟ୍ଟନାୟକ ବିଧାୟକ ହେବା ପୂର୍ବରୁ ୨୦୧୪ ନିର୍ବାଚନ ସମୟରେ ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ସେଥିରେ ୩ କୋଟି ୨୦ ଲକ୍ଷ ଟଙ୍କା ଉଲ୍ଲେଖ କରିଛନ୍ତି। ବିଧାୟକ ହେବା ପୂର୍ବରୁ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିବା ସମୟରେ ତାଙ୍କର ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ବୋଲି ଅବନ୍ତିକା ପ୍ରଶ୍ନ କରିଛନ୍ତି।
ପୈତୃକ ଘରକୁ ପ୍ରବେଶ ବନ୍ଦ କରିବା ଲାଗି ବିଧାୟକ ସ୍ଥାନୀୟ କୋର୍ଟରେ ଇଞ୍ଜକ୍ସନ ସୁଟ୍ କରିଛନ୍ତି। କ୍ଷମତାର କିଭଳି ଦୂରୁପଯୋଗ କରୁଛନ୍ତି ତାହାର ଏହା ଏକ ନମୁନା। ବିଭିନ୍ନ ସମୟରେ ମୋତେ ଫୋନ୍ରେ ଧମକ ଦିଆଯିବା ସହ ଗାଳିଗୁଲଜ ବି କରାଯାଉଛି। ତେଣୁ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।