ଧରାପଡ଼ିଲା ଜାଲ୍‌ ନୋଟ୍‌ କାରବାର: ଲକ୍ଷେ ୩୭ ହଜାର ଜବତ, ୨ ଗିରଫ

ସଂକୀର୍ତ୍ତନ ଗାହାକଙ୍କଠାରୁ ମିଳିଲା ସୁରାକ୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରାମରେ ଜାଲ୍‌ନୋଟ୍‌ କାରବାର ଚାଲିଥିବା ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ଲକ୍ଷେ ୩୭ ହଜାର ଜାଲ ନୋଟ ଓ କମ୍ପ୍ୟୁଟର, ପ୍ରିଣ୍ଟର, ପେପର ଓ କାଳି ଆଦି ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ, ଗତ ୨୧ ତାରିଖରୁ ୨୪ ତାରିଖ ମଧ୍ୟରେ ଗ୍ରାମରେ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହିସମୟରେ ଜଣେ ସଂକୀର୍ତ୍ତନ ଗାହା‌କଙ୍କୁ ଗ୍ରାମର ବରୁଣ ପାଣୁଆ (୪୨) ନାମକ ଜଣେ ବ୍ୟକ୍ତି ୨ଟି ୫୦୦ ଟଙ୍କିଆ ନୋଟ୍‌ ଦେଇଥିଲେ। ପରେ ସମ୍ପୃକ୍ତ ଗାହାକ ଜଣକ ଏହାକୁ ନେଇ ଦୋକାନକୁ ଯାଇଥିବା ବେଳେ ଏହା ଜାଲ୍‌ନୋଟ ବୋଲି ଜାଣିବାକୁ ପାଇଥିଲେ। ପରେ ଏହାକୁ ନେଇ ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ଏହି ଜାଲନୋଟ୍‌ କିଏ ଦେଇଥିଲା ସେନେଇ ତନାଘନା କରିବା ପରେ ଗ୍ରାମର ବରୁଣ ପାଣୁଆ ଦେଇଥିବା ଜଣାପଡ଼ିଥିଲା। ପରେ ଭଇଁଷା ସରପଞ୍ଚ ଜ୍ଞାନେନ୍ଦ୍ର ପଟେଲ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ଏକ ଟିମ୍‌ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପରେ ବରୁଣଠାରୁ ୨୭୪ଟି ଜାଲ ୫୦୦ ଟଙ୍କିଆ ନୋଟ ଜବତ କରିଥିବା ବେଳେ ଅଧିକ ପଚରାଉଚୁରା କରାଯାଇଥିଲା। ତଦନ୍ତରୁ ସେ ଦେଓଗାଁ ଥ‌ାନା ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମର ରୋହିତ ବସ୍ତିଆଠାରୁ ୩ ହଜାର ଟଙ୍କା ଦେଇ ୩୦୦ଟି ୫୦୦ ଟଙ୍କିଆ ଜାଲ୍‌ନୋଟ ଆଣିଥିବା ଜଣାପଡ଼ିଥିଲା। ବରୁଣଠାରୁ ଏହି ସୂଚନା ପାଇ ରୋହିତଙ୍କ ଘରେ ପୁଲିସ ଚଢ଼ଉ କରିଥିଲା। ସେଠାରୁ ଏକ ପୁରୁଣା ଡେକ୍ସଟପ୍, ପୁରୁଣା କଲର ପ୍ରିଣ୍ଟର, କାଳି ବୋତଲ, ବ୍ୟବହୃତ କାଗଜ ଆଦି ଜବତ କରିବା ସହିତ ପୁଲିସ ବରୁଣ ଓ ରୋହିତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର