ରାଉରକେଲାରୁ ସିବିଆଇ ଅଫିସ୍‌ ଉଠିଯିବ!

୩ କନେଷ୍ଟବଳରେ ଚାଲିଛି ଅଫିସ, ଦାୟିତ୍ବରେ ଭୁବନେଶ୍ବର ଡିଏସ୍‌ପି

ରାଉରକେଲା: ରାଉରକେଲାରୁ ସିବିଆଇ ଅଫିସ୍‌ ଉଠିଯିବ! କୌଣସି କର୍ମଚାରୀ ନିଯୁକ୍ତ ହେଉନଥିବାରୁ ଏହିଭଳି ଆଶଙ୍କା ପ୍ରକାଶ ପାଇଛି। ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଦୁର୍ନୀତି ରୋକିବାକୁ ୧୯୭୬ ଅର୍ଥାତ୍‌ ପ୍ରାୟ ୪୩ ବର୍ଷ ତଳେ ସହରରେ ସ୍ଥାପନା ହୋଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)। ଭୁବନେଶ୍ବର ସିବିଆଇ ଶାଖା ଅଫିସ ଅଧୀନରେ ଏହି ୟୁନିଟ୍‌ ସେକ୍ଟର-୪ ବି -୧୪ରେ ଚାଲୁଛି। ଅଫିସରେ କାର୍ଯ୍ୟ କରୁଥିଲେ ଜଣେ ଡିଏସ୍‌ପି, ୪ ଇନ୍ସପେକ୍ଟର, ୩ରୁ ଅଧିକ ସବ୍‌ ଇନ୍ସପେକ୍ଟର, ୬ କନେଷ୍ଟବଳ ଓ ଜଣେ କିରାଣିଙ୍କ ସମେତ ୧୮ ଜଣ କର୍ମଚାରୀ। ବିଗତ କିଛି ବର୍ଷ ହେବ ଏହି ଅଫିସରୁ ଅଧିକାରୀଙ୍କୁ ଜଣଙ୍କ ପରେ ଜଣେ ଅନ୍ୟ ଅଫିସକୁ ବଦଳି କରି ଦିଆଯାଉଛି। ହେଲେ ଖାଲି ପଡୁଥିବା ଅଧିକାରୀ ପଦବୀ ପୂରଣ ଦିଗରେ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସେମାନେ ହେଉଛନ୍ତି କନେଷ୍ଟବଳ। ଭୁବନେଶ୍ବର ସିବିଆଇ ଅଫିସର ଡିଏସ୍‌ପିଙ୍କୁ ରାଉରକେଲା ୟୁନିଟ୍‌ ଦାୟିତ୍ବ ଦିଆଯାଇଛି।

ଅନ୍ୟପକ୍ଷରେ, ଏଥିପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଦୁର୍ନୀତି ରୋକିବାକୁ ଅଫିସ ଯେତିକି ସକ୍ରିୟ ଥିଲା, ତାହା ନଥିଲା ପରି ମନେହେଉଛି। ପୂର୍ଣ୍ଣକାଳୀନ ଅଫିସ ଚାଲିଥିଲାବେଳେ ରାଉରକେଲା ଅଫିସରେ ବର୍ଷକୁ ପ୍ରାୟ ୨୫ରୁ ୩୦ କେସ୍‌ ରୁଜୁ ହେଉଥିଲା। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଆଧୁନିକୀକରଣରେ ବେଳେ ବଡ ଦୁର୍ନୀତି ସ୍କାମ୍‌ ସମ୍ପୃକ୍ତ ଅନେକ ବରିଷ୍ଠ ଅଧିକାରୀ ସିବିଆଇ ଅଧିକାରୀଙ୍କ ଦ୍ବାରା ଧରାପଡିଥିଲେ। ତତ୍କାଳୀନ ଆୟକର ବିଭାଗର କମିଶନର ମଧ୍ୟ ସିବିଆଇ ପଞ୍ଝାରେ ପଡିଥିଲେ। କେବଳ ଏତିକି ନୁହେଁ, ରେଲୱେ ସମେତ ଆଇଜିଏଚ୍‌ର ଅନେକ ବିଶେଷଜ୍ଞ ଡାକ୍ତର ଧରାପଡିଥିଲେ। ଏବେ କିନ୍ତୁ କାଉଁ ଭାଁ କେତୋଟି ମାମଲାକୁ ବାଦ୍‌ ଦେଇ ସେମିତି କିଛି ବଡ ଦୁର୍ନୀତି ମାମଲା ରୁଜୁ ହେଉ ନାହିଁ। ଅଭିଯୋଗ ହେଉଥିଲେ ହେଁ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଜଣାପଡିଛି। ଫଳରେ, ଦୀର୍ଘ ୪୩ ବର୍ଷ ଚାଲିଥିବା ଏହି ଅଫିସକୁ ରାଉରକେଲାରୁ ଉଠାଇନେବା ପାଇଁ ମସୁଧା ଚାଲୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର