ନିଷ୍ପତ୍ତି ବଦଳାଇଲା ସିବିଏସ୍‌ଇ : ସାଢ଼େ ୩ ମାସ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା

ମାର୍ଚ୍ଚ ପହିଲାରୁ ଜୁନ୍‌ ୧୧ ଯାଏ ଚାଲିବ, ନିୟମ ନ ମାନିଲେ ୫୦ ହଜାର ଜରିମାନା

ଭୁବନେଶ୍ବର : ମାସେ କି ଦୁଇ ମାସ ନୁହେଁ। ସାଢ଼େ ୩ ମାସ ଧରି ଚାଲିବ ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା। ୨୦୨୦ରେ ଜାନୁଆରି ୧ରୁ ଫେବ୍ରୁଆରି ୭ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଏଥର କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାକ୍ଟିକାଲ ପରୀକ୍ଷାର ସମୟସୀମାକୁ ବଢ଼ାଇ ଦିଆଯାଇଛି। ମାର୍ଚ୍ଚ ୧ରୁ ଜୁନ୍‌ ୧୧ ମଧ୍ୟରେ ଦେଶର ସମସ୍ତ ସିବିଏସ୍‌ଇ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ ୧୧ ସୁଦ୍ଧା ପ୍ରୋଜେକ୍ଟ ଆସେସମେଣ୍ଟ/ଇଣ୍ଟାରନାଲ ଆସେସ୍‌ମେଣ୍ଟ ମଧ୍ୟ ଶେଷ ହେବ। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା ସମୟରେ ଅନୁପସ୍ଥିତ ରହିବେ ତେବେ ସେମାନଙ୍କ ଲାଗି ଜୁନ୍‌ ୧୧ ଭିତରେ ଆଉ ଥରେ ସୁଯୋଗ ଦିଆଯିବ। ଜୁନ୍‌ ୧୧ ପରେ କୌଣସି ପ୍ରାକ୍ଟିକାଲ ପରୀକ୍ଷା ହେବ ନାହିଁ। ନିର୍ଦ୍ଧାରିତ ସମୟ ପରେ କୌଣସି ପରୀକ୍ଷାର୍ଥୀ କିମ୍ବା ସ୍କୁଲ କର୍ତୃପକ୍ଷଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ। ପରୀକ୍ଷା ସରିବା କ୍ଷଣି ସ୍କୁଲଗୁଡ଼ିକ ବୋର୍ଡ ୱେବସାଇଟ୍‌ରେ ମାର୍କ ଅପ୍‌ଲୋଡ୍‌ କରିବେ।

ସ୍କୁଲ କର୍ତୃପକ୍ଷ ଥରେ ମାର୍କ ଅପଲୋଡ୍‌ କଲେ, ପରବର୍ତୀ ସମୟରେ ତାହାକୁ ସଂଶୋଧନ କରାଯାଇପାରିବ ନାହିଁ। ବୋର୍ଡ ଦ୍ବାରା ନିଯୁକ୍ତ ହୋଇଥିବା ଏକ୍ସଟରନାଲ୍‌ ପ୍ରାକ୍ଟିକାଲ ପରୀକ୍ଷକଙ୍କ ଦ୍ବାରା ପ୍ରାକ୍ଟିକାଲ ପରୀକ୍ଷା କରାଇବା ବାଧ୍ୟତାମୂଳକ। ପୂର୍ବଭଳି ଜଣେ ଏକ୍ସଟରନାଲ ଓ ଇଣ୍ଟରନାଲ୍‌ଙ୍କ ଉପସ୍ଥିତିରେ ପରୀକ୍ଷା ହେବ। ନିଜ ସ୍କୁଲରେ ହିଁ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରୋଜେକ୍ଟ ଆସେସ୍‌ମେଣ୍ଟ ଦେବେ। ଜଣେ ଅବଜରଭର ନିଯୁକ୍ତ ହେବେ, ଯିଏ ଅଚାନକ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ଯାଞ୍ଚ କରିପାରିବେ। ପରୀକ୍ଷା ସମୟରେ ଗ୍ରୁପ୍‌ ଅନୁଯାୟୀ ଲାବରେଟାରିରେ ଥିବା ପରୀକ୍ଷାର୍ଥୀଙ୍କ ଫଟୋ ଉଠାଯାଇ ତାହାକୁ ଆପ୍ଲିକେସନ ଲିଙ୍କ୍‌ରେ ଦାଖଲ କରିବାକୁ କୁହାଯାଇଛି।

ଏଥର କୋଭିଡ-୧୯ କଟକଣା ମଧ୍ୟରେ ପରୀକ୍ଷା ହେଉଥିବାରୁ ଯଦି କୌଣସି ପରୀକ୍ଷାର୍ଥୀ ଅସୁସ୍ଥ ଅନୁଭବ କରନ୍ତି ତେବେ ତାଙ୍କ ପରୀକ୍ଷା ଅଲଗା କରାଇବାକୁ କୁହାଯାଇଛି। ଯଦି କୌଣସି ଶିକ୍ଷାନୁଷ୍ଠାନ ନିୟମ ପାଳନ ନ କରନ୍ତି ତାଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ। ୯ମ ଓ ଏକାଦଶ ଶ୍ରେଣୀ ଲାଗି ୨୦୨୧-୨୨ ଶିକ୍ଷାବର୍ଷ ଏପ୍ରିଲ ମାସରେ ଆରମ୍ଭ ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର