୧ ହଜାର ଆବାସିକ ସ୍କୁଲରେ ଲାଗିବ ସିସିଟିଭି: ମନ୍ତ୍ରୀ

ଭୁବନେଶ୍ବର : କନ୍ଧମାଳର ୮ମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଚହଳ ସୃଷ୍ଟି କରିବା ପରେ ରାଜ୍ୟ ସରକାର ଚେତିଛନ୍ତି। ଆଗାମୀ ଦିନରେ ଏଭଳି ଅଘଟଣର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧ ହଜାର ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଯିବ ବୋଲି ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତିି।

କନ୍ଧମାଳର ନାବାଳିକା ଛାତ୍ରୀ ଆବାସିକ ବିଦ୍ୟାଳୟ ‌ହଷ୍ଟେଲ୍‌ରେ ସନ୍ତାନ ପ୍ରସବ ନେଇ ଆଜି ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ସେ କହିଲେ ଯେ ଏଭଳି ଘଟଣାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ୬ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟ ୪ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ପ୍ରତ୍ୟେକ ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଯିବ। ଏ କ୍ଷେତ୍ରରେ ଛାତ୍ରୀଙ୍କ ଆବାସିକ ବିଦ୍ୟାଳୟକୁ ଅଗ୍ରାଧିକାର ଦିଆଯିବ। ଏହି ବିଦ୍ୟାଳୟର ଶିକ୍ଷକ, ପିତାମାତା, ଅଭିଭାବକମାନଙ୍କୁ ନେଇ ବୈଠକ ଡକାଯିବ। ସେମାନଙ୍କର ଅଭିଯୋଗ ଓ ପରାମର୍ଶ ଆଧାରରେ ଅନ୍ୟ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ଗତ ରବିବାର ଦିନ କନ୍ଧମାଳ ଘଟଣା ପଦାକୁ ଆସିବା ପରେ ଏ ନେଇ ତୁରନ୍ତ ତଦନ୍ତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ୨ଜଣ ମାଟ୍ରନ, ଜଣେ ଏଏନ୍‌ଏମ୍‌, ୨ଜଣ ସିସିଏ, ଜଣେ ୱାର୍ଡେନଙ୍କୁ ବହିଷ୍କାର କରାଯାଇଛି। ଏହା ସହିତ ୩ଜଣ ମହିଳା ସହକାରୀ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲାପାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି। ଜିଲ୍ଲାର ଏସ୍‌ପି ପ୍ରତୀକ ସିଂହଙ୍କ କହିବାନୁଯାୟୀ ସଂପୃକ୍ତା ଛାତ୍ରୀଙ୍କୁ ୮ ମାସ ତଳେ ତାଙ୍କର ଗ୍ରାମରେ ଶ୍ରାବଣ କୁମାର ପ୍ରଧାନ(୨୩) ଦୁର୍ଷ୍କମ କରିଥିଲେ। ‌େଲାକଲଜ୍ଜା ଓ ଭୟରେ ସଂପୃକ୍ତା ନାବାଳିକା ଏହି ଘଟଣା ଲୁଚାଇ ରଖିଥିଲେ। ‌ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର