+୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ପ୍ରସଙ୍ଗ : କହି କହି ଶୁଣିଲେନି

୧୦୦୫ଟି ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି
ଗତବର୍ଷର ୮୯ ପରୀକ୍ଷା କେନ୍ଦ୍ର ରିପୋର୍ଟ ଦେଇନାହାନ୍ତି
ଆଜି ଚୂଡ଼ାନ୍ତ ହୋଇପାରେ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ସଂଖ୍ୟା

ଭୁବନେଶ୍ବର : ଥରେ କି ଦୁଇ ଥର ନୁହେଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଅନେକ ଥର ଚିଠି ଲେଖାଯାଇ ସାରିଲାଣି। ତଥାପି କେହି ଶୁଣୁ ନାହାନ୍ତି। ଆଜି ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବା ସବୁ କେନ୍ଦ୍ରରେ ଲାଗିପାରିନି ସିସିଟିଭି। ଏପରିକି ୨୦୧୯ରେ ପରୀକ୍ଷା କେନ୍ଦ୍ର ହୋଇଥିବା ୧୦୯୪ କଲେଜରେ ସିସିଟିଭି ଲାଗିପାରି ନାହିଁ। ଉଭୟ ପରିଷଦ ଓ ନିର୍ଦେଶାଳୟର ନିର୍ଦେଶାନାମାକୁ କୌଣସି ଭା‌ବେ ଖାତିର କରୁନାହାନ୍ତି କଲେଜ କର୍ତୃପକ୍ଷ। ଚିଠି ପରେ ଚିଠି ଲେଖାଯାଉଥିଲେ ମଧ୍ୟ ସେଥିପ୍ରତି ୮୯ଟି କଲେଜ ଅଧ୍ୟକ୍ଷ ଖାମଖିଆଲି ମତପୋଷଣ କରୁଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟର ନାମକରା ତଥା ଆଗଧାଡ଼ିର କିଛି କଲେଜ ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି। କିଏ ଅର୍ଥ ଅଭାବ କହି ଖସି ଯିବାକୁ ଉଦ୍ୟମ କରୁଛନ୍ତି ତ ଆଉ କିଏ ଭିତ୍ତିଭୂମି ନ ଥିବା ଦର୍ଶାଉଛନ୍ତି। ଆଉ ବାରମ୍ବାର ଚିଠି ପରେ ବି ସିସିଟିଭି ଲଗାଇବାକୁ ଆନ୍ତରିକତା ଦେଖାଉ ନାହାନ୍ତି। ଯେଉଁଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଥର କଠୋର ମନଭାବ ପୋଷଣ କରିଛି। କୌଣସି ପରିସ୍ଥିତିରେ କଲେଜଗୁଡ଼ିକ ପ୍ରତି ସହାନୁଭୂତି ଦେଖାଯିବ ନାହିଁ। ସିସିଟିଭି ଲଗାଇବା ନେଇ ଯଦି ରି‌ପୋର୍ଟ ନ ଦିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର ହେବନି। ସେଠାକାର ଛାତ୍ରଛାତ୍ରୀ ଅନ୍ୟ ସେଣ୍ଟରରେ ପରୀକ୍ଷା ଦେବେ।

alt.com.ng

ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାରମ୍ବାର କହିବା ପରେ ବି କିଛି କଲେଜ ଶୁଣୁନାହାନ୍ତି। ଗତଥର ପରି ଏଥର ବି ସିସିଟିଭି ନ ଲଗାଇବାକୁ ଯୋଜନା କରିଛନ୍ତି। ତେବେ ଆଉ ବରଦାସ୍ତ କରାଯିବ ନାହିଁ। ତିନି ଥର ସମୟ ଦିଆଯିବା ପରେ ବି ଯେଉଁମାନେ ସିସିଟିଭି ଲଗାଇ ନାହାନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ପଠାଯିବ। ଯଦି ନିର୍ଦ୍ଧାରିତ ସମୟରେ ନୋଟିସ୍‌ର ଉତ୍ତର ନ ଦିଅନ୍ତି ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଉକ୍ତ କଲେଜରେ ପରୀକ୍ଷା କେନ୍ଦ୍ର ନ କରି ଅନ୍ୟ କଲେଜ ସହ ସହ ଟ୍ୟା‌ଗ୍‌ କରିବୁ। ୨୭ରୁ ପ୍ରାକ୍ଟିକାଲ ପରୀକ୍ଷା ଥିବାରୁ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଇତି ମଧ୍ୟରେ ସିସିଟିଭି ଲଗାଇ ସାରିଛନ୍ତି।

ଅନ୍ୟପକ୍ଷରେ ଆଜିଠାରୁ ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ କେନ୍ଦ୍ର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କେନ୍ଦ୍ର ଚୟନ କମିଟିର ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଆଜି ଦିନତମାମ ବୈଠକ ପରେ ପାଖାପାଖି ୯୫୦ଟି ପରୀକ୍ଷା କେନ୍ଦ୍ର ଏକପ୍ରକାର ଚୂଡ଼ାନ୍ତ ହୋଇଛି। ଭିତ୍ତିଭୂମି ସହ ସିସିଟିଭି ଲଗାଯାଇଥିବାରୁ ଉକ୍ତ ‌କେନ୍ଦ୍ରଗୁଡ଼ିକରେ ମୋହର ମାରିଛି କମିଟି। ଆଉ କେତେ ପରୀକ୍ଷା କେନ୍ଦ୍ର ହେବ ସେନେଇ ଶୁକ୍ରବାର ଆଲୋଚନା ହେବ। ୨୦୧୯ରେ ୧୦୯୪ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ତେଣୁ ଏଥର ବି ପାଖାପାଖି ସେତିକି ରହିପାରେ। ଗତବର୍ଷ ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିବା ୭ଟି ପରୀକ୍ଷା କେନ୍ଦ୍ରକୁ ବାଦ୍‌ ଦେବା ଲାଗି ବୈଠକରେ ଆଲୋଚନା ଚାଲିଛି। ୨୦୨୦ରେ ଶତାଧିକ ନୂଆ କଲେଜ ପରୀକ୍ଷା କେନ୍ଦ୍ର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିମଧ୍ୟରୁ ବି କିଛି କଲେଜକୁ ପରୀକ୍ଷା କେନ୍ଦ୍ର କରିବାକୁ ବିଚାରବିମର୍ଶ କରାଯାଉଛି।

ସମ୍ବନ୍ଧିତ ଖବର