ଭୁବନେଶ୍ୱର: ବାର୍ଡ ଫ୍ଲୁ ନେଇ କେନ୍ଦ୍ରୀୟ ଟିମ୍ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ସ୍ଥିତି ଅନୁଧ୍ୟାନ କରିଛି। ତିନି ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ ପରେ ନିଜର ପ୍ରତିକ୍ରିୟା ଦେଇଛି। କେନ୍ଦ୍ରୀୟ ଟିମ୍ କହିଛି, ବାର୍ଡ ଫ୍ଲୁ ନେଇ ସାଧାରଣ ଲୋକ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଏହା ସୀମିତ ସ୍ଥାନରେ ହୋଇଛି। ରାଜ୍ୟ ସରକାର ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ଏଯାଏଁ କୌଣସି ଲୋକଙ୍କୁ ଜର ହେବା ନେଇ ରିପୋର୍ଟ ଆସିନି। ସ୍ଥିତି ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ଅଛି ବୋଲି କେନ୍ଦ୍ରୀୟ ଟିମ୍ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରୀୟ ଟିମ୍ ଓୟୁଏଟି ଅଧିକାରୀଙ୍କ ସହ ଆଲୋଚନା କରିବା ସମୟରେ ବାର୍ଡ ଫ୍ଲୁ ସଂକ୍ରମଣ ଯେପରି ଆଗକୁ ଅଧିକ ନ ବ୍ୟାପିବ ସେଥିପାଇଁ ଅନୁଧ୍ୟାନ ଚାଲିଛି ବୋଲି କହିଛି। ତିନି କିଲୋମିଟର ଭିତରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବ। ୧୦ କିମି ଭିତରେ କୁକୁଡ଼ା ରକ୍ତ ନମୁନା ସଂଗ୍ରହ କରାଯିବ। କେନ୍ଦ୍ରୀୟ ଟିମର ମନିଟରିଂରେ ଓୟୁଏଟି ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ଲେଖାଏଁ ଅଧିକାରୀ ରହିବେ। ଓୟୁଏଟିର ଫାର୍ମ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ଅପରେସନ ନେଇ ଅଭିଯାନ ଜାରି ରହିବ।
ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ କେନ୍ଦ୍ରୀୟ ଟିମର ସମୀକ୍ଷା ପରେ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଅଜିତ ମହାନ୍ତି କହିଛନ୍ତି, ବାର୍ଡ ଫ୍ଲୁ ସଂକ୍ରମିତ ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରା ସରିଛି। ୩ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ପକ୍ଷୀଙ୍କ ନମୂନା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ସେହିପରି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ଆର୍. ରଘୁ ପ୍ରସାଦ କହିଛନ୍ତି, ଫାର୍ମରେ ୨ ଦିନିଆ କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି। ବିଭିନ୍ନ ଅଞ୍ଚଳରେ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି ୫ଟି ଟିମ୍। ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନି ବୋଲି ସେ ସୂଚନା ଦେଇଛନ୍ତି।