୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ଓଡ଼ିଶା ଗସ୍ତ

Twitter

ଭୁବନେଶ୍ବର : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମଗୁଡ଼ିକ କିପରି ଅନ୍ୟରାଜ୍ୟରେ କାର୍ଯ୍ୟକାରୀ ହୋଇପାରିବ ତାକୁ ଅନୁଧ୍ୟାନ କରିବା ଏହି ଦଳର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। ସେଠାରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ସୁଦୃଢ଼ୀକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜ୍ଞାନ ଆହରଣ କରିବେ।

ଗୁରୁବାର ଡାକ୍ତର ହିମାଂଶୁ ଭୂଷଣଙ୍କ ନେତୃତ୍ବରେ ଆସିଥିବା କେନ୍ଦ୍ରୀୟ ଦଳ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଦଳର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡାକ୍ତର ଭୂଷଣ କହିଥିଲେ, ତାଙ୍କ ନେତୃତ୍ବରେ ଗୋଟିଏ ଦଳ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବ ଓ ଅନ୍ୟଟି ଦଳଟି ଡାକ୍ତର ଅରୁଣ କୁମାରଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ଗସ୍ତ କରିବ। ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ‘ମୋ ସରକାର’, ୫’ଟି’ ଏବଂ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ବିଷୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସେମାନଙ୍କୁ ଅବଗତ କରାଇଥିଲେ। ଏହାସହିତ ନୂଆ ସ୍ବାସ୍ଥ୍ୟ ନୀତି ଭିଜନ-୨୦୨୫ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜାତୀୟ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ, ମାଗଣା ରକ୍ତଦାନ, ନିଦାନ, ଗର୍ଭବତୀ ମହିଳାମାନଙ୍କୁ ମାଗଣା ପରିବହନ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ।

କେନ୍ଦ୍ରୀୟ ଦଳ ଦୁଇ ଭାଗରେ ବିଭକ୍ତ ହୋଇ ୧୮,୧୯ ଓ ୨୦ ତାରିଖ ତିନିଦିନ ଧରି ଗସ୍ତ କରିବେ। ୨୧ ତାରିଖ ଦିନ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୨ ତାରିଖ ଦିନ ଭୁବନେଶ୍ବର ଫେରିବେ। ୨୩ ତାରିଖ ଦିନ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସେମାନଙ୍କ ଗସ୍ତ ବିବରଣୀ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରୀୟ ଦଳ ସହ ଆଲୋଚନା ସମୟରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ହର ପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ସରୋଜ ନାୟକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍ ମହାନ୍ତି, ଯୁଗ୍ମ ସଚିବ ଗୁହା ପୁନମ୍ ତାପସ କୁମାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର