ରାଉରକେଲା ରେଳ ଷ୍ଟେସନର ସ୍ଥିତି ପରଖିଲେ ଚକ୍ରଧରପୁର ଡିଆର୍‌ଏମ୍‌ ଏ.ଜେ. ରାଠୋର 

ରାଉରକେଲା: ଚକ୍ରଧରପୁର ରେଳ ମଣ୍ଡଳ ଡିଆର୍‌ଏମ୍‌ ଏ.ଜେ. ରାଠୋର ଗୁରୁବାର ଦିନିକିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଶ୍ରୀ ରାଉରକେଲା ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣକାର୍ଯ୍ୟ, ପାର୍କିଂ, ସୁରକ୍ଷା ବ୍ୟବସ୍ଥା, ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଥିଲେ। ଏହାସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଶ୍ରୀ ରାଠୋର ରାଉରକେଲାରେ ପହଞ୍ଚିଥିଲେ। ଏହି ପ୍ରତିନିଧି ଦଳରେ ଚକ୍ରଧରପୁର ରେଳ ମଣ୍ଡଳର ବରିଷ୍ଠ ଡିସିଏମ୍‌ ମନୀଷ ପାଠକ, ବରିଷ୍ଠ ଡିଏସ୍‌ସି ଓଁକାର ସିଂହ, ବରିଷ୍ଠ ଡିଇଏନ୍‌(କୋଅର୍ଡିନେସନ) ଏନ.କେ. ମୀନା, ବନ୍ଧମୁଣ୍ଡା ଏଆର୍‌ଏମ୍‌ ଆର.କେ. ମହାନ୍ତି ପ୍ରମୁଖ ସାମିଲ ଥିଲେ। ରାଉରକେଲାରେ ପହଞ୍ଚିବାପରେ ଡିଆର୍‌ଏମ୍‌ ପ୍ରଥମେ ପ୍ଲାଟ୍‌ଫର୍ମ ନଂ ୧ ର ସ୍ଥିତି ପରଖିଥିଲେ। ପରେ ରେଳ ଷ୍ଟେସନର ପାର୍କିଂ ବ୍ୟବସ୍ଥା ବୁଲି ଦେଖିଥିଲେ। ଉଲ୍ଳେଖଯୋଗ୍ୟ, ରେଳ ଷ୍ଟେସନ ପାଇଁ ପୃଥକ୍‌ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ରହିଥିଲେ ସୁଦ୍ଧା ଏହାର କଡ଼ା ପାଳନ ହେଉନଥିବାରୁ ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି। ହକି ବିଶ୍ବକପ ପୂର୍ବ ଗସ୍ତବେଳେ ମଧ୍ୟ ଡିଆର୍‌ଏମ୍‌ ଟ୍ରାଫିକ ସମସ୍ୟା ଓ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ଏଠାକାର ସିଆଇ ଶଙ୍କର ଝାଙ୍କୁ ବଦଳି ପାଇଁ ତତ୍କାଳ ନିର୍ଦ୍ଦେଶ ଦେଇଥିଲେ। ପରେ ଅଫିସର ଗେଷ୍ଟ୍‌ ହାଉସ୍‌ରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ।

ଉକ୍ତ ବୈଠକରେ ଟ୍ରେନ ଗମନାଗମନ ସମସ୍ୟାର ସମସଧାନ ସହ ଉତ୍ତମ ଷ୍ଟେସନ ପ୍ରବନ୍ଧନ, ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଏତଦ୍‌ବ୍ୟତୀତ ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ଫୁଟ୍‌ ଓଭରବ୍ରିଜ୍‌, ଦ୍ବିତୀୟ ପ୍ରବେଶ ପଥରେ ଚାଲିଥିବା ନିର୍ମାଣକାର୍ଯ୍ୟ ବୁଲି ଦେଖିଥିଲେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ମଡେଲ ରେଲୱେ ଷ୍ଟେସନ ନେଇ ସମୀକ୍ଷା କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରାୟ ୨ ଶହ କୋଟି ବିନିଯୋଗରେ ଏହି ଷ୍ଟାଡିୟମର ନବକଳେବର କରାଯିବ।

ସମ୍ବନ୍ଧିତ ଖବର