ଆଜି ବିଶ୍ୱ ପରିବେଶ ଦିବସ : ଆବର୍ଜନାର ପାହାଡ଼ ପାଲଟିଛି ‘ଚନ୍ଦନିଆ’, କୁଢ଼କୁଢ଼ ଆବର୍ଜନା ଓ ବିଷାକ୍ତ ଧୂଆଁରେ ସମଗ୍ର ଅଞ୍ଚଳର ପରିବେଶ ପ୍ରଦୂଷିତ, ଜନବସତି ମୁହାଁ ଜୀବଜନ୍ତୁ

ବ୍ରହ୍ମପୁର : ମାତ୍ର ଦୁଇ ଦଶନ୍ଧି ପୂର୍ବେ ବୃକ୍ଷଲତା ଓ ଜୀବଜନ୍ତୁ ଭରପୁର ଥିଲା ଚନ୍ଦନିଆ ପାହାଡ଼। ଆଖପାଖର ପୁରୁଖା ଲୋକଙ୍କ କହିବା ଅନୁଯାୟୀ, ଏହି ପାହାଡ଼ରେ ଅଧିକ ଚନ୍ଦନ ଗଛ ଦେଖିବାକୁ ମିଳୁଥିବାରୁ ଏପରି ନାମକରଣ ହୋଇଥିଲା। ବ୍ରହ୍ମପୁର ସହର ଉପକଣ୍ଠରେ ଜୈବ ବିବିଧତାରେ ଭରା ଏହି ପାହାଡ଼ ଥିଲା ପ୍ରକୃତିର ଗନ୍ତାଘର। କାଳକ୍ରମେ ସହରର କଳେବର ବୃଦ୍ଧି ସହ ଜନସଂଖ୍ୟା ବଢ଼ିଲା। ପରେ ବ୍ରହ୍ମପୁର ମହାନଗରର ଡମ୍ପିଂୟାର୍ଡ଼ ପାଲଟି ଯାଇଛି ଚନ୍ଦନିଆ ପାହାଡ଼। ପ୍ରତି ୱାର୍ଡ଼ରୁ ବାହାରୁଥିବା କୁଢ଼କୁଢ଼ ଆବର୍ଜନା ଆଣି ଏଠାରେ ପକାଗଲା। ଏହି କଠିନ ବର୍ଜ୍ୟବସ୍ତୁକୁ ବିନଷ୍ଟ କରିବା ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ଏହା ପାଲଟି ଯାଇଛି ଆବର୍ଜନାର ପାହାଡ଼। ଯାହାର କୁପ୍ରଭାବ ଭୋଗୁଛନ୍ତି ଆଖ ପାଖର ଗ୍ରାମବାସୀ।

ସୂଚନା ଅନୁଯାୟୀ, କିଛିବର୍ଷ ତଳେ ଏହାର ଅତି ନିକଟରେ ଥିବା ବ୍ରହ୍ମପୁର ମହାନଗର ନିଗମର ୧ନଂ ୱାର୍ଡ଼ ଅନ୍ତର୍ଗତ ଗୋଲା ରାମଚନ୍ଦ୍ରପୁର ଏବଂ ମାଟିଆ ରାମଚନ୍ଦ୍ରପୁରର ବହୁ ଅଂଚଳବାସୀ ହଠାତ୍ ବୃକ୍‌କଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅନୁସନ୍ଧାନରୁ ଜଣା ପଡ଼ିଥିଲା, ଭୂତଳ ଜଳ ପ୍ରଦୂଷିତ ହେବା ଯୋଗୁଁ ସେଠାରେ ଥିବା ବୋର୍‌ୱେଲ୍‌ ଏବଂ ନଳକୂପରୁ ବାହାରୁଥିବା ପାଣି ପିଇ ଜଣେ ପରେ ଜଣେ ଏଭଳି ରୋଗରେ ପୀଡ଼ିତ ହେଉଥିଲେ। ଭୂତଳ ଜଳ ସେମାନଙ୍କ ପାଇଁ ଜହର ପାଲଟି ଯାଇଥିଲା। ସେଥିପାଇଁ ଉକ୍ତ ଅଂଚଳ ବାସିନ୍ଦା ମାଇଲ୍ ମାଇଲ୍ ଦୂରକୁ ଚାଲିଚାଲି କିମ୍ବା ସାଇକେଲ୍‌ରେ ଆସି ପାନୀୟ ଜଳ ସଂଗ୍ରହ କରି ନେଉଥିଲେ। ଏନେଇ ବହୁବାର ଖବର ପ୍ରକାଶ ପାଇଲା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇଥିଲା। ଏବେ ନିୟମିତ ବ୍ୟବଧାନରେ ଏହି ଅଞ୍ଚଳକୁ ‌ଟ୍ୟାଙ୍କର୍‌ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ତେବେ କେବଳ ଭୂତଳ ଜଳ ନୁହେଁ, ଆବର୍ଜନା ପାହାଡ଼ ଯୋଗୁଁ ଆଖପାଖର ପରିବେଶ (ପାଣି, ମାଟି, ପବନ)ପ୍ରଦୂଷିତ ହେବାରେ ଲାଗିଛି। କେବଳ ରାମଚନ୍ଦ୍ରପୁର ନୁହେଁ, ପାହାଡ଼ର ଅପର ପାର୍ଶ୍ବରେ ଥିବା ଦକ୍ଷିଣପୁର, ଆମ୍ବଗଡ଼, ଗୁଣ୍ଠବନ୍ଧ ଅଂଚଳବାସୀ ମଧ୍ୟ ଏହାର କୁପ୍ରଭାବ ଭୋଗୁଥିବା ଅଭିଯୋଗ ହେଉଛି। ଉକ୍ତ ଅଂଚଳର କିଛି ଲୋକଙ୍କ କହିବା ଅନୁଯାୟୀ, ଅବିରତ ଏହି ଅଳିଆ ଗଦାରେ ନିଆଁ କୁହୁଳି କୁହୁଳି ବିଷାକ୍ତ ଧୂଆଁ ଚରିଆଡ଼େ ବ୍ୟାପିଯାଉଛି। ବେଳେବେଳେ ଅଧିକ ମାତ୍ରାରେ ଧୂଆଁ ବାହାରି ସମଗ୍ର ଅଞ୍ଚଳର ପରିବେଶ ପ୍ରଦୂଷିତ ହୋଇଯାଉଛି।

ଏବେ ବି ଏହି ପାହାଡ଼ରେ ଭାଲୁ, ବିଲୁଆ, ମୟୂର ଆଦି ନାନା ଜୀବଜନ୍ତୁ ଅଛନ୍ତି। ଏହାର ପ୍ରାକୃତିକ ପରିବେଶ ଧୀରେଧୀରେ ନଷ୍ଟ ହେବାରେ ଲାଗିଛି। ଜୀବଜନ୍ତୁ ଜନବସତି ମୁହାଁ ହେବା ସହ ଅଧିକ ହିଂସ୍ର ହେଉଥିବା ପରିବେଶବିତ୍‌ଙ୍କ ମତ। ଗଦା ହୋଇଥିବା ଆବର୍ଜନା ଗୁଡ଼ିକୁ ବିନଷ୍ଟ କରିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ଦାବି ହେଉଛି। ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ମହୁଡ଼ାରେ ଏକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ସେଠାରେ ନିର୍ମାଣ କାମ ଯେପରି ମନ୍ଥର ଗତିରେ ଚାଲିଛି, ଏହା ଶେଷ ହେବାକୁ ବର୍ଷ ବର୍ଷ ଲାଗିଯିବ। ପ୍ଲାଣ୍ଟ କେବେ କାର୍ଯ୍ୟକ୍ଷମ ହେବ, ଚନ୍ଦନିଆ ପାହାଡ଼ କେବେ ପ୍ରଦୂଷଣମୁକ୍ତ ହେବ ତାହା କହି ହେଉନାହିଁ।

ସମ୍ବନ୍ଧିତ ଖବର