ପୂର୍ତ୍ତ ଯନ୍ତ୍ରୀଙ୍କ ବଦଳି ପାଇଁ ନୂଆ ନୀତି, ନିଜ ଜିଲ୍ଲାରେ ମିଳିବନି ନିଯୁକ୍ତି

ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ କାଳ ରହିପାରିବେନି

ଭୁବନେଶ୍ବର: ସରକାରୀ ଯନ୍ତ୍ରୀମାନଙ୍କ ବଦଳିରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଇଞ୍ଜିନିୟରିଂ ସେବା କ୍ୟାଡରର ଯନ୍ତ୍ରୀମାନଙ୍କୁ ଏଣିକି ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ମିଳିବ ନାହିଁ। ସେହିପରି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା କ୍ୟାଡରର ଯନ୍ତ୍ରୀମାନଙ୍କୁ ବି ସେମାନଙ୍କ ନିଜ ସବଡିଭିଜନରେ ନିଯୁକ୍ତି ମିଳିବନାହିଁ। ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ଆଧାରରେ ଯନ୍ତ୍ରୀମାନଙ୍କ ବଦଳିରେ ପୂର୍ଣ୍ଣ ସ୍ବଚ୍ଛତା ଆଣିବା ଲାଗି ଆଜି ପୂର୍ତ୍ତ ବିଭାଗ ନୂଆ ବଦଳି ନୀତି ଲାଗୁ କରିଛି। କାର୍ଯ୍ୟନିର୍ବାହୀ ଇଞ୍ଜିନିୟର କିମ୍ବା ତଦୁର୍ଦ୍ଧ୍ବ ଇଞ୍ଜିନିୟରମାନଙ୍କ ବଦଳି ପାଇଁ ଗଠିତ ୫ ଜଣିଆ କମିଟିରେ ବିଭାଗୀୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ବଦଳି କମିଟି(୪ ଜଣ ସଭ୍ୟ)ରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅଧ୍ୟକ୍ଷ ରହିବେ। ସେହିପରି ସହାୟକ ଇଞ୍ଜିନିୟର ଓ କନିଷ୍ଠ ଇଞ୍ଜିନିୟରମାନଙ୍କ କ୍ଷେତ୍ରରେ ୪ଜଣିଆ ବଦଳି କମିଟିରେ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ (ସିଭିଲ) ଅଧ୍ୟକ୍ଷ ରହିବେ। ଜାରି ହୋଇଥିବା ବଦଳି ନୀତି ତତ୍କାଳ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦୁଇଟି କାରଣ ପାଇଁ ଯନ୍ତ୍ରୀମାନେ ବଦଳି ହୋଇପାରିବେ ବୋଲି ନୂଆ ନିର୍ଦେଶନାମାରେ କୁହାଯାଇଛି। କୌଣସି ପ୍ରକଳ୍ପ ପାଇଁ ଯନ୍ତ୍ରୀଙ୍କ ଆବଶ୍ୟକତାକୁ ଦେଖି ପ୍ରଶାସନିକ ବଦଳି କରାଯାଇପାରିବ। ସ୍ବାସ୍ଥ୍ୟଗତ କାରଣ ଥିଲେ ଯନ୍ତ୍ରୀଙ୍କ ବଦଳି ହୋଇପାରିବ। ଗୋଟିଏ ସ୍ଥାନ କିମ୍ବା ପଦବିରେ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ଯନ୍ତ୍ରୀମାନଙ୍କ ବଦଳି ହେବ। କୌଣସି ବି ପରିସ୍ଥିତିରେ ଜଣେ ଯନ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ କାଳ ରହିବାକୁ ଅନୁମତି ଦିଆଯିବ ନାହିଁ। ସେହିଭଳି ଓଡ଼ିଶା ଇଞ୍ଜିନିୟରିଂ ସେବାର କୌଣସି ଯନ୍ତ୍ରୀ ଗୋଟିଏ ରାଜସ୍ବ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପାଇଁ ଏହି ସମୟସୀମା ୧୫ ବର୍ଷ ଧାର୍ଯ୍ୟ କରାଯାଇଛି। ଯଦି କୌଣସି ଯନ୍ତ୍ରୀଙ୍କର ଅବସର ନେବାକୁ ୨ ବର୍ଷ କିମ୍ବା ତାଠାରୁ କମ ଅବଧି ଥିବ, ସେ କ୍ଷେତ୍ରରେ ପ୍ରଶାସନିକ କିମ୍ବା ବ୍ୟକ୍ତିଗତ ଆବଶ୍ୟକତା ନଥିଲେ ତାଙ୍କୁ ବଦଳି କରାଯିବନାହିଁ। ତେବେ ନୂତନ ବଦଳି ସର୍ତ୍ତାବଳୀକୁ ସର୍ବସାଧାରଣଙ୍କ ସ୍ବାର୍ଥ କିମ୍ବା ସମ୍ପୃକ୍ତ ଯନ୍ତ୍ରୀଙ୍କ ପତ୍ନୀ କିମ୍ବା ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଚିକିତ୍ସା ପାଇଁ କୋହଳ କରାଯାଇପାରିବ।

ଯେଉଁ ଯନ୍ତ୍ରୀମାନେ ୧୦ ବର୍ଷ ଧରି ଡେପୁଟେସନରେ ଅନ୍ୟ ସ୍ଥାନକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ବିଭାଗକୁ ଫେରାଇ ଅଣାଯିବ। ସରକାରଙ୍କ ଏହି ବଦଳି ନୀତି କିଭଳି କାର୍ଯ୍ୟକାରୀ ହେବ ତାହାର ତଦାରଖ ଲାଗି ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି ଗଠନ କରାଯିବ। ଏହି କମିଟି ଆବଶ୍ୟକ ଅନୁଯାୟୀ ବଦଳି ଏବଂ ନିଯୁକ୍ତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିପାରିବେ।
ସୂଚନାଯୋଗ୍ୟ ଯେ ପୂର୍ତ୍ତ ବିଭାଗର ପ୍ରାୟ ୧୦ ଜଣ ଯନ୍ତ୍ରୀ ଡେପୁଟେସନରେ ଯାଇ ବର୍ଷାଧିକ କାଳ ରହିବାରୁ ଅଭିଯୋଗ ଉଠିଥିଲା। ଅଭିଯୋଗ ଆଧାରରେ ବର୍ତ୍ତମାନର ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ସହ ବିଭାଗକୁ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏବେ ବିଭାଗୀୟ ଇଞ୍ଜିନିୟରମାନଙ୍କ ବଦଳିରେ ସ୍ବଚ୍ଛତା ଆଣିବା ପାଇଁ ଏପରି ଅନ୍ତରୀଣ ବଦଳି ନୀତି ଲାଗୁ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର