ମହାସିଙ୍ଗିରେ ବିଶାଳ ଚାଷୀ ମହା ସମାବେଶ : ୨୦ ଯାଏଁ କାଳିଆ ତାଲିକା ରହିବ

କାଳିଆ ସଂପର୍କରେ ବିରୋଧୀ ମିଥ୍ୟା ପ୍ରଚାର ଚଳାଇଛନ୍ତି

ଫୁଲବାଣୀ/କ.ନୂଆଗାଁ : ମୋ ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରେ। ସବୁ ସମୟରେ ଚାଷୀ ଓ ଗରିବଙ୍କ ସାଙ୍ଗରେ ରହିଆସିଛି। ଆଗକୁ ବି ରହିବ। ସଂପ୍ରତି ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନା ସମଗ୍ର ଭାରତ ବର୍ଷକୁ ବାଟ ଦେଖାଇଛି ବୋଲି ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ମହାସିଙ୍ଗି ନିକଟରେ ଆୟୋଜିତ ବିଶାଳ ଚାଷୀ ମହା ସମା‌‌ବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ଲକ୍ଷ ଲକ୍ଷ ଚାଷୀ ଲାଭବାନ ‌ହେଉଛନ୍ତି। ଏଥିରେ ଭାଗଚାଷୀ ଓ ଭୂମିହୀନ ଚାଷୀ ବି ସୁବିଧା ପାଇବେ। ଏନେଇ ପଞ୍ଚାୟତସ୍ତରରେ ବ୍ୟବସ୍ଥା କରାଯାଇଛି। ପ୍ରଥମ କିସ୍ତି କାଳିଆ ଯୋଜନାରୁ ବଞ୍ଚିତ ଚାଷୀଙ୍କ ନାମ ଆସନ୍ତା ୨୦ ତାରିଖ ସୁଦ୍ଧା ତାଲିକାରେ ସଂଯୋଗ ହେବ। ଗ୍ରାମ ପଞ୍ଚାୟତ ଅଫିସରେ ଏହି ତାଲିକା ପ୍ରଦର୍ଶିତ ହୋଇଛି। ଏମାନେ ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ ସମୟରେ ଏକକାଳୀନ କାଳିଆ ଟଙ୍କା ପାଇବେ। ଜଣେ ବି ଯୋଗ୍ୟ ଚାଷୀ ଯେପରି ଏ ସହାୟତାରୁ ବଞ୍ଚିତ ନ ହେବେ, ସେଥିପ୍ରତି ମୁଁ ନଜର ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଗାମୀ ବର୍ଷମାନଙ୍କରେ କାଳିଆ ସହାୟତା ପ୍ରତିବର୍ଷ ଏପ୍ରିଲ ପହିଲା ଏବଂ ସେପ୍ଟେମ୍ବର ପହିଲାରେ ପ୍ରଦାନ କରାଯିବ। ତେବେ କାଳିଆ ଯୋଜନା ଏକ ଋଣ ଯୋଜନା ବୋଲି ବିରୋଧୀ ଅପପ୍ରଚାର ଚଳାଇଛନ୍ତି।। ଏହାକୁ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ଏଥିସହ କାଳିଆ ଟଙ୍କାକୁ ଚାଷ କାମରେ ଲଗାଇବାକୁ ‌ସେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କନ୍ଧମାଳର ସାମୂହିକ ବିକାଶ ନିମନ୍ତେ ବହୁ ଯୋଜନା କରିଛି। ଆଗାମୀ ଦିନରେ ବାକି କାମ ବି କରିବି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ପ୍ରଶାନ୍ତ ପ୍ରଧାନ, ସନାତନ ପୂଜାହାରୀ, ମାନିନି ପ୍ରଧାନ ଏବଂ ମିଶନଶକ୍ତିର କୁମୁଦିନୀ ଦିଗାଲ ପ୍ରମୁଖ କାଳିଆ ଯୋଜନା ଓ ମିଶନ ଶକ୍ତି ସମ୍ପର୍କରେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ପୁରୁଷ ଓ ୧୦ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ।

ଦିନ ୧୨ଟା ୨୫ରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିଥିବା ପରେ ବିପୁଳ ସମ୍ବର୍ଧନା ଦିଆଯାଇଥିଲା। ଏଠାରେ ସେ ୪୦ ମିନିଟ ରହିଥିଲେ। ମାତ୍ର ଦେଢ ମିନିଟରେ କାଳିଆ ଯୋଜନା ସମ୍ପର୍କରେ ଭାଷଣ ଶେଷ କରି ଦେଇଥିଲେ। ଜିଲ୍ଲାପାଳ ଡା.ବୃନ୍ଦା ଡି ଓ ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ବିଶାଳ ସମାବେଶରେ ପ୍ରାୟତଃ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ ଆରୁଖ, ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଦୁଗୁନି କହଁର, ବାଲିଗୁଡା ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ସହ ପର୍ଯ୍ୟବେକ୍ଷକ ବିକ୍ରମ କୁମାର ପଣ୍ଡା, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ମହିଳା ଜିଲ୍ଲା ସଭାନେତ୍ରୀ ଅନିମା କହଁର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର