ଗୋଟିଏ ବି ଚେକ୍‌ ଡ୍ୟାମ୍‌ ଖରାପ ହୋଇନି: ମନ୍ତ୍ରୀ

ନିର୍ବାଚନମଣ୍ଡଳୀ ୱାରି ତଥ୍ୟ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ୨୦୧୦ ମସିହା ପର ଠାରୁ ଜଳସମ୍ପଦ ବିଭାଗ ପକ୍ଷରୁ ୧୪,୫୮୮ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଚେକ୍ ଡ୍ୟାମ୍‌ ଖରାପ ହୋଇଥିବାର ତଥ୍ୟ ବିଭାଗ ପାଖରେ ନାହିଁ। ଆଜି ବିଧାନସଭାର ପ୍ରଶ୍ନକାଳରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି।

କିଛି ବିଧାୟକ ମନ୍ତ୍ରୀଙ୍କ ଏହି ତଥ୍ୟକୁ ମାନି ନ ଥିଲେ। ନିଜ ନିଜ ଅଞ୍ଚଳରେ ଚେକ୍‌ ଡ୍ୟାମ୍‌ ଖରାପ ହୋଇଥିବାର ଅଭିଯୋଗ କରିଥିଲେ। ମନ୍ତ୍ରୀ କହିଥିଲେ, କେବଳ ଜଳସମ୍ପଦ ବିଭାଗ ନୁହେଁ ଅନ୍ୟ ବିଭାଗ ମଧ୍ୟ‌ ଚେକ୍‌ ଡ୍ୟାମ୍ ନିର୍ମାଣ କରନ୍ତି। ତେଣୁ ଖରାପ ହୋଇଥିବା ଚେକ୍ ଡ୍ୟାମ୍ କେଉଁ ବିଭାଗର, ତାହା ଯାଞ୍ଚ୍ କରିବାକୁ ପଡ଼ିବ।

ବାଚସ୍ପତି ରୁଲିଂ ଦେଇଥିଲେ, ଚେକ୍‌ ଡ୍ୟାମ୍‌ ଖରାପ ହୋଇଥିବା ନେଇ ବହୁ ବିଧାୟକ ଅଭିଯୋଗ କରୁଛନ୍ତି। ତେଣୁ ମନ୍ତ୍ରୀ ନିର୍ବାଚନମଣ୍ଡଳୀ ୱାରି ତଥ୍ୟ ବିଧାୟକମାନଙ୍କୁ ଦିଅନ୍ତୁ। ସେମାନେ କେଉଁ ଚେକ୍ ଡ୍ୟାମ୍ ଖରାପ ହୋଇଛି, ତାହା ଜଣାଇବେ। ତାହା ପରେ ମନ୍ତ୍ରୀ ସମୀକ୍ଷା କରି ପଦକ୍ଷେପ ନେବେ।

କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍‌ଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଲେ, ୨୦୧୯-୨୦ ଆର୍ଥିକ ବର୍ଷରେ ଜଳସମ୍ପଦ ବିଭାଗ ଦ୍ବାରା ୨୦୦୦ଟି ଚେକ୍ ଡ୍ୟାମ୍‌ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଚେକ୍ ଡ୍ୟାମ୍‌ ନିର୍ମାଣ ପାଇଁ ୩୩୩ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଫେବ୍ରୁଆରି ମାସ ‌େଶଷ ସୁଦ୍ଧା ୩୦୨ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଅବଶିଷ୍ଟ ଟଙ୍କା ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟୟ କରାଯିବ। ଶ୍ରୀକାନ୍ତ ସାହୁ, ପ୍ରଦୀପ ଅମାତ, ପ୍ରଦୀପ ଦିଶାରୀ, ତାରା ପ୍ରସାଦ ବାହିନୀପତି, କୁସୁମ ଟେଟେ ଓ ରୋହିତ ପୂଜାରୀ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର