ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଛତିଶାନିଯୋଗ ବୈଠକ: ସାଢ଼େ ୧୦ରୁ ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଗସ୍ତରେ ଆସୁଛନ୍ତି। ସେ ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପୂର୍ବରୁ ଅର୍ଥାତ୍‌ ସାଢ଼େ ୧୦ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ଆଜି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ‌ବୈଠକ ବସିଥିଲା। ‌ବୈଠକରେ ଶ୍ରୀମନ୍ଦିର ପରଚାଳନା କମିଟି ସହ ବିଭିନ୍ନ ନିଯୋଗର ସଭାପତି, ସଂପାଦକ ଓ ଅନ୍ୟ ବରିଷ୍ଠ ସେବାୟତ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଶ୍ରୀ ଯାଦବ କହିଥିଲେ, ଆଜିର ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଆସୁଥିବା କାରଣରୁ ସମସ୍ତ ନିଯୋଗର ସହଯୋଗ କାମନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ ଗସ୍ତ ସୂଚୀ ଆସିନାହିଁ। ତଥାପି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଭିତରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ମହାପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନଭେମ୍ବର ୧୦ ତାରିଖ ସାଢ଼େ ୧୦ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତି ଗସ୍ତ ସାରି ଫେରିବା ପରେ ଦର୍ଶନ ସ୍ବାଭାବିକ ହେବ। ଚୂଡ଼ାନ୍ତ ଗସ୍ତସୂଚୀ ନ ଆସିବା ପର୍ଯ୍ୟନ୍ତ କିଛି କହିହେବନାହିଁ ବୋଲି ଶ୍ରୀ ଯାଦବ କହିଥିଲେ।

ସମ୍ବନ୍ଧିତ ଖବର