୨୨ ବର୍ଷରେ ରାଜ୍ୟ ଅର୍ଥନୀତିକୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ: ଶାସକ ଦଳ

ରାଜ୍ୟକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ନେଇ ଟାଳଟୁଳ ନୀତି ଗ୍ରହଣ କରୁଛି କେନ୍ଦ୍ର
ବିରୋଧୀ କହିଲେ ବଡ଼ ବଜେଟ୍‌ ଦେଇ ଗୋଲାପି ଚିତ୍ର ଆଙ୍କିଛନ୍ତି ସରକାର

ଭୁବନେଶ୍ବର : ୨୦୦୧-୦୨ରେ ରାଜ୍ୟ ବଜେଟ୍‌ ପରିମାଣ ୧୮ ହଜାର ୫୨୧ କୋଟି ଥିଲା। ୧ ଲକ୍ଷ ୭୦ ହଜାର କୋଟିରେ ପହଞ୍ଚିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ରାଜ୍ୟର ଦାୟିତ୍ବ ନେବା ପରଠାରୁ ରାଜ୍ୟ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ୨୨ ବର୍ଷ କାଳ ଆପ୍ରାଣ ଉଦ୍ୟମ କରିଆସିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ବ ଯୋଗୁ ଓଡ଼ିଶାରେ ବିକାଶ ଧାରା ଜାରି ରହିଛି। ଆଜି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ଶାସକ ଦଳ ସଭ୍ୟମାନେ ଏପରି ଦାବି କରିଛନ୍ତି। ଅନ୍ୟପଟେ ବିରୋଧୀଙ୍କ କହିବା କଥା, ଶିକ୍ଷା, ସ୍ବାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସେପରି ଆଖିଦୃଶିଆ ବ୍ୟୟବରାଦ କରାଯାଇନାହିଁ। କେବଳ କେନ୍ଦ୍ର ସରକାରଙ୍କ ସହାୟତାକୁ ଆଖିରେ ରଖି ବଡ଼ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ବେକାରୀମାନଙ୍କୁ ନିଯୁକ୍ତି ଓ ରୋଜଗାର ପାଇଁ ସେପରି କୌଣସି ବ୍ୟବସ୍ଥା କରାନଯାଇ କେବଳ ଗୋଲାପି ଚିତ୍ର ଅଙ୍କାଯାଇଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ।

ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ କହିଥିଲେ, ଖଣିଜ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ପାଇଁ ବଜେଟ୍‌ରେ ଡିଏମ୍‌ଏଫ ଓ ଓମ୍ବା଼ଡ଼ସି ପାଣ୍ଠିରୁ ୮ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଯାହାକି ଗତବର୍ଷ ତୁଳନାରେ ୨୬% ଅଧିକ। ଆବଶ୍ୟକତାକୁ ଆଖିରେ ରଖି ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଆସନ୍ତା ବର୍ଷ ରାଜ୍ୟ ବଜେଟ୍‌ ପରିମାଣ ୨ ଲକ୍ଷ କୋଟି ଛୁଇଁପାରେ। ସ୍ଥାୟୀ ପୁଞ୍ଜି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଋଣ କରୁଛନ୍ତି। କିନ୍ତୁ ବିରୋଧୀ ଋଣଭାର ଅଧିକ ହୋଇଗଲା ବୋଲି ଯାହା ଅଭିଯୋଗ କରୁଛନ୍ତି ସେଥିରେ ସତ୍ୟତା ନାହିଁ। କର୍ମଚାରୀଙ୍କ ଦରମା ପ୍ରଦାନ ପାଇଁ ଓଡ଼ିଶା ସରକାର କେବେ ବି ଋଣ କରିନାହାନ୍ତି। ଯାହାକି କଂଗ୍ରେସ ସରକାର ସମୟରେ ହେଉଥିଲା। ୨୦୨୧-୨୨ ସୁଦ୍ଧା ଏହି ଋଣ ପରିମାଣ ମୋଟ ଜିଡିପିର ୨୦.୯%ରେ ସୀମିତ ରହିବ। ଯାହାକି ବିତ୍ତୀୟ ପରିଚାଳନା ନିୟମାନୁଯାୟୀ ପୋଷଣୀୟ ସ୍ଥିତି। କରୋନା ଯୋଗୁ ଗତବର୍ଷ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ପୁଣି ଥରେ ଟ୍ରାକ୍‌ ଆଣିବା ପାଇଁ ରାଜ୍ୟ ସରକାର ଯେପରି ପଦକ୍ଷେପ ନେଇଛନ୍ତି ତାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରଶଂସା କରିଛନ୍ତି। କାଳିଆର ତୃତୀୟ କିସ୍ତି ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ୧୪% ଅଧିକ ବ୍ୟୟ ବରାଦ କରାଯାଇଛି। ପୁରୀ ସମେତ ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ପରିଣତ କରିବା ପାଇଁ ସରକାର ବଜେଟ୍‌ରେ ବ୍ୟୟ ବରାଦ କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ଦାବି କରିଆସୁଥିଲେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି। ପ୍ରତି ଦୁଇବର୍ଷରେ ଓଡ଼ିଶା ପ୍ରାକୃତିକ ଦୁର୍ବିପାକର ସାମନା କରୁଛି। ଅଥଚ କେନ୍ଦ୍ର ସରକାର ସ୍ବତନ୍ତ୍ର ଫୋକସ ଦାବିକୁ ଅଣଦେଖା କରିଆସୁଛନ୍ତି। ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟକୁ ସ୍ବତନ୍ତ୍ର ଫୋକସ ମାନ୍ୟତା ଉଦ୍ୟମ କରିବାକୁ ଶ୍ରୀ ଘଡ଼େଇ ଅନୁରୋଧ କରିଥିଲେ।

ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା କହିଥିଲେ, ଓଡ଼ିଶାର ଅଭିବୃଦ୍ଧି ଜାତୀୟ ସ୍ତରଠାରୁ ଅଧିକ। କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଯେଭଳି ଭତ୍ତା ପ୍ରଦାନ କରାଗଲା ସେ ନେଇ ସରକାରଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। କୃଷି ବିକାଶ ପାଇଁ ୨୦୧୩ ମସିହାରେ ୭ ହଜାର କୋଟି ଟଙ୍କାର ବଜେଟ୍‌ ଆଜି ୧୭ ହଜାର ୪୬୮ କୋଟିରେ ପହଞ୍ଚିଲାଣି। ପ୍ରଥମଥର ପାଇଁ ଇ-ବିଧାନ ବ୍ୟବସ୍ଥା ଜରିଆରେ ବଜେଟ୍‌ ପ୍ରସ୍ତୁତ କରାଯାଇଥିବା ଶ୍ରୀ ବେହେରା କହିଥିଲେ। ବିରୋଧୀ ଦଳ ମୁଖ୍ୟସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ ସରକାରଙ୍କୁ ସମାଲୋଚନା କରି କହିଥିଲେ, କେବଳ କେନ୍ଦ୍ର ସରକାରଙ୍କ ସହାୟତାକୁ ଆଖିରେ ରଖି ଏତେବଡ଼ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ୨୧ ବର୍ଷ ଧରି ଅହଂକାରର ଦମ୍‌ ଦେଖାଇ ଚାଲିଛନ୍ତି ସରକାର। ଏସ୍‌ସିବି ମେଡିକାଲ୍‌ କଲେଜକୁ ଏମ୍‌ସ୍‌ ପ୍ଲସ୍‌ କରିବାରେ ମନା ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଅଭାବ ଯୋଗୁ ଗ୍ରାମାଞ୍ଚଳ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବଜେଟ୍‌ରେ ଭିତ୍ତିଭୂମି ବିକାଶକୁ ଆଦୌ ଗୁରୁତ୍ବ ଦିଆଯାଇନାହିଁ। କରୋନା କାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ମାର୍ଟ ଫୋନ୍‌ ଜରିଆରେ ଅନ୍‌ଲାଇନ୍‌ ଶିକ୍ଷା ଦାନ ଦିଆଯାଉଛି। କିନ୍ତୁ ଗରିବ ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ୍‌ କେଉଁଠୁ ପାଇବେ ସେ ଦିଗରେ ସରକାର ବିଚାର କରିନାହାନ୍ତି। ମଡେଲ ସ୍କୁଲ ପାଇଁ କେନ୍ଦ୍ର ସରକାର ପୂର୍ବବର୍ଷ ଦେଇଥିବା ଅର୍ଥ ଖର୍ଚ୍ଚ କରିପାରିଲେନି। ଅଥଚ ସେ ଅର୍ଥକୁ ଅନ୍ୟ ଯୋଜନାରେ ଖର୍ଚ୍ଚ କରିଛନ୍ତି। କରୋନା ପ୍ରଭାବରେ ସୁରତ, ମୁମ୍ବାଇ ଓ ଅନ୍ୟରାଜ୍ୟରୁ ଲକ୍ଷାଧିକ ପ୍ରବାସୀ ରାଜ୍ୟକୁ ଫେରିଲେ। କିନ୍ତୁ ସେମାନଙ୍କୁ କାମଧନ୍ଦା ନମିଳିବାରୁ ପୁଣି ଥରେ ସେମାନେ ବାହାର ରାଜ୍ୟକୁ ଫେରିଗଲେଣି ବୋଲି ଶ୍ରୀ ମାଝି କହିଥିଲେ। ଗୃହରେ ଶ୍ରୀ ମାଝୀଙ୍କ ଆଲୋଚନା ଅସମାପ୍ତ ରହିଛି।

ସମ୍ବନ୍ଧିତ ଖବର