ଆଜି ପହଞ୍ଚିବେ ମୁଖ୍ୟମନ୍ତ୍ରୀ; ବିଜେଡି ନେତା, କର୍ମୀ ଦେବେ ଭବ୍ୟ ସମ୍ବର୍ଧନା

ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର : ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାରେ ବିପୁଳ ସ୍ବାଗତ କରାଯିବ। ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆଜି (ମଙ୍ଗଳବାର) ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସାଂସଦ, ବିଧାୟକ ଓ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ପାରମ୍ପରିକ ବାଦ୍ୟ, ନୃତ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ଏହି କାର୍ଯ୍ୟକ୍ରମରେ ୫୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମା‌ଗମ ହେବାର ସମ୍ଭାବନା ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍‌ଆଇଙ୍କ ସମେତ ୩୦ପ୍ଲାଟୁନ୍‌ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଦାୟିତ୍ବରେ ୫୦ ଅଫିସର୍‌, ମୁତୟନ ହେବେ ୩୦ ପ୍ଲାଟୁନ୍‌ ପୁଲିସ
ଯାତ୍ରୀମାନେ ୩ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଅନୁରୋଧ

ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବା ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ପାଇଁ ସହରରେ ପାର୍କିଂ ସ୍ଥାନ ନିର୍ଦ୍ଧାରିତ କରାଯାଇଛି। ବସ୍‌, କାର, ବାଇକ୍‌ ପାଇଁ ଅଲଗା ଅଲଗା ପାର୍କିଂ ଚିହ୍ନଟ ହୋଇଛି। କେଉଁ ପଟୁ ଆସିଲେ, କେଉଁଠି ଗାଡ଼ି ପାର୍କିଂ କରିବେ, ସେ ସଂପର୍କରେ ବି ସେମାନଙ୍କୁ ସୂଚନା ଦିଆଯିବ। ସହରର ସବୁ ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ୍‌ରେ ଅଧିକାରୀ ଓ କର୍ମଚାରୀ ରହି ଭିଡ଼ ନିୟନ୍ତ୍ରଣ କରିବେ।

ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ସେହି ସମୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତାହା ଉପରେ ପୁଲିସ୍‌ ବେଶି ଗୁରୁତ୍ବ ଦେଇଛି। ବିମାନବନ୍ଦରକୁ ଆସୁଥିବା ଯାତ୍ରୀ ନିର୍ଦ୍ଧାରିତ ସମୟର ୩ଘଣ୍ଟା ପୂର୍ବରୁ ବିମାନବନ୍ଦରକୁ ଆସିବା ପାଇଁ ଡିସିପି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ବିମାନବନ୍ଦର ଅଧିକାରୀଙ୍କ ସହ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ସ୍ବେଚ୍ଛାସେବୀ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀଠା‌ରେ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର