ଚାଇଲ୍‌ଡ ଲାଇନ୍ ସଂଯୋଜକ, ସ୍ବେଚ୍ଛାସେବୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି

ଭୁବନେଶ୍ବର : କୋଭିଡ୍‌ ସ୍ଥିତିକୁ ନଜରରେ ରଖି ରାଜ୍ୟର ସମସ୍ତ ଚାଇଲଡ ଲାଇନ୍ ସଂଯୋଜକ, ସ୍ବେଚ୍ଛାସେବୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ସମ୍ବେଦନଶୀଳ ଅବସ୍ଥାରେ ରହିଥିବା ଶିଶୁଙ୍କୁ କୌଣସି ମୁହୂର୍ତ୍ତରେ ଉଦ୍ଧାର କରିବା ଆବଶ୍ୟକ ପଡ଼ିପାରେ। ତେଣୁ ସମସ୍ତ ସଂଯୋଜକ, ସ୍ବେଚ୍ଛାସେବୀଙ୍କ ନମ୍ବର ସଂଗ୍ରହ କରିବା ଲାଗି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କୁ ଚିଠି ଲେଖିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ।

ସେହିପରି ରାଜ୍ୟରେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା ୩୭୬ଜଣ ଶିଶୁ ଆଇନଗତ ବିବାଦରେ ଛନ୍ଦି ହୋଇ ଅବଜରଭେସନ୍ ରୁମ୍‌ରେ ରହୁଛନ୍ତି। କୋଭିଡ୍‌ ସମୟରେ ସେମାନଙ୍କୁ ପାରିବାରିକ ଯତ୍ନର ଆବଶ୍ୟକତା ରହିଛି। ଆଇନଗତ ବିବାଦରେ ରହିଥିବା ଶିଶୁମାନଙ୍କ ଯଦି ତ୍ବରିତ ବିଚାର ହୋଇପାରନ୍ତା, ତା’ହେଲେ ଶିଶୁଙ୍କ ସୁରକ୍ଷା ଦିଗରେ ଏହା ସହାୟକ ‌‌ହୋଇପାରିବ ବୋଲି ବିଭାଗ ପକ୍ଷରୁ ହାଇକୋର୍ଟଙ୍କ ଜୁଭେନାଇଲ ଜଷ୍ଟିସ କମିଟିକୁ ଚିଠି ଜାରି ହୋଇଛି। ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଓ ଶିଶୁ କୋର୍ଟ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହାପୂର୍ବରୁ ଗତ ମାସ ୩୦ ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋଭିଡ ସମୟରେ ଶିଶୁଙ୍କ ଯତ୍ନ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଚିଠି ଲେଖିଥିଲେ ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ।

ଚିଠିରେ ନିକଟରେ ହୋଇଥିବା ଏକ ଅନୁଧ୍ୟାନରେ ରାଜ୍ୟର ୫ଟି ସହରାଞ୍ଚଳରେ ରାସ୍ତାକଡ଼ରେ ରହୁଥିବା ଶିଶୁ ଓ ସେମାନଙ୍କ ବାସହୀନ ପିତାମାତାଙ୍କ ଦୁଃଖ କଥା କୁହାଯାଇଛି। ଏଭଳି ପରିସ୍ଥିତିରେ ରାସ୍ତକଡ଼ରେ ବସବାସ କରୁଥିବା ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ କରୋନା ସଂପର୍କରେ ସଚେତନତା ସହିତ ଆଶ୍ରୟସ୍ଥଳୀ ଯୋଗାଇଦେବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ଯଦି ଏହି ଶିଶୁମାନଙ୍କ ପିତାମାତା କରୋନାରେ ସଂକ୍ରମିତ ହୋଇ ଗୃହ ପୃଥକବାସ କିମ୍ବା ହସ୍ପିଟାଲରେ ଆଡମିଟ୍‌ ହୁଅନ୍ତି, ଏ ସମୟରେ ସେମାନଙ୍କ ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଜରୁରୀ ହୋଇପଡ଼ୁଛି। ଏପରିକି କରୋନାରେ ସଂକ୍ରମିତ ହୋଇ ପିତାମାତଙ୍କ ମୃତ୍ୟୁ ହେଲେ, ସଂପୃକ୍ତ ଶିଶୁଙ୍କୁ ସହାୟତା ଓ ଯତ୍ନର ଆବଶ୍ୟକତା ରହିଥିବାରୁ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉ। ରାଜ୍ୟରେ ଅନେକ ଜିଲ୍ଲା ଓ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଗ୍ରୁପ୍ ଓ ଏନ୍‌ଜିଓ ରହିଛନ୍ତି। ଏ ଦିଗରେ ସେମାନଙ୍କ ସହାୟତା ମଧ୍ୟ ନିଆଯାଇପାରିବ। ଆୟୋଗଙ୍କ ଉପଦେଷ୍ଟାଙ୍କୁ ନେଇ ଏକ କୋର ଗ୍ରୁପ୍ ଗଠନ କରାଯାଇଛି। ଶିଶୁଙ୍କ ସୁରକ୍ଷା ଦିଗରେ ଏହି ଟିମ୍‌ ସବୁ ପ୍ରକାର ସହାୟତା ଦେବାକୁ କୁହାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର