୧୩ ମାସ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

୫୦ ହଜାର ଟଙ୍କାରେ ୧୨ଦିନ ପୁଅକୁ ଖୋର୍ଦ୍ଧାରେ ବିକିଥିଲା ଜହ୍ଲାଦ ବାପ

ଛୋଟ ଜାତି ବୋଲି ଆକ୍ଷେପ କରି ପତ୍ନୀକୁ ଛାଡ଼ି ଫେରାର୍ ହୋଇଥିଲା
ନୟାଗଡ଼ରୁ ଛୁଆକୁ ଉଦ୍ଧାର କଲା ନୂଆପଲ୍ଲୀ ପୁଲିସ, ଜଣେ ଗିରଫ

ଭୁବନେଶ୍ବର : ପ୍ରେମ ଜାତି, ଗୋତ୍ର, ଧର୍ମ, ବୟସ କିଛି ମାନେନା। କେତେବେଳେ, କେଉଁଠି, କେମିତି ପ୍ରେମ ହୋଇଯାଏ ସେ କଥା ମଧ୍ୟ ଜଣାପଡ଼େନା। ମାତ୍ର ଆଜି ନୂଆପଲ୍ଲୀ ପୁଲିସ ଏକ ଶିଶୁପୁତ୍ର ବିକ୍ରି ମାମଲାରେ ଘଟଣାର ଖୋଳତାଡ଼ କରି ଅଭିଯୁକ୍ତକୁ ଧରିବା ପରେ ଏକ ଚାଞ୍ଚଲ୍ୟକର ଖବର ସମ୍ମୁଖକୁ ଆସିଛି। ବିବାହିତା ପତ୍ନୀକୁ ଛୋଟ ଜାତି ବୋଲି ଆକ୍ଷେପ କରି ତା’ ନିଜ ପୁଅକୁ ବିକ୍ରି କରି କେଉଁଆଡ଼େ ଫେରାର୍ ହୋଇଯାଇଥିଲା ସ୍ବାମୀ। ନୂଆପଲ୍ଲୀ ପୁଲିସ ଆଜି ନୟାଗଡ଼ରୁ ଶିଶୁପୁତ୍ରକୁ କିଣିଥିବା ଅଭିଯୁକ୍ତ ନିବାସ ଓରଫ୍ ଶ୍ରୀନିବାସ ଜେନା(୨୬) ପାଖରୁ ଛୁଆକୁ ଜବତ କରିବା ସହ ତାକୁ ଗିରଫ କରିଛି। ଅପରପକ୍ଷରେ ଶିଶୁପୁତ୍ରର ବାପା ତଥା ମୁଖ୍ୟ ଅଭିଯୁକ୍ତ ତପନ ପଲାଇ ଫେରାର୍ ଅଛି। ତେବେ ଶିଶୁପୁତ୍ରଟି ବର୍ତ୍ତମାନ ଅଶୋକ ନଗରସ୍ଥିତ ସିଡବ୍ଲୁସିରେ ରହିଛି।

୨୦୧୮ ମସିହାରେ ଶିଶୁ ପୁତ୍ରର ମା’ ଆରତି ନାୟକ ବେଙ୍ଗାଲୁରୁର ଏଲ୍‌କା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ସେଠାରେ ତାଙ୍କର ତପନଙ୍କ ସହ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୨୦୧୮ ଗଣେଶ ପୂଜାରେ ଉଭୟ ଏଲ୍‌କାସ୍ଥିତ ସାଇ ମନ୍ଦିର ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ପରେ ଚାକିରିରେ ସମସ୍ୟା ହେବା ଯୋଗୁଁ ଉଭୟ ବେଙ୍ଗାଲୁରୁରୁ ଆସି ସାଲିଆସାହିସ୍ଥିତ ନୀଳଚକ୍ରନଗରରେ ଭଡ଼ାରେ ରହିଥିଲେ। ଏହାପରେ ୨୦୨୦ ମାର୍ଚ୍ଚ ୨୬ରେ ଆରତି ଏକ ଘରୋଇ ଡାକ୍ତରଖାନାରେ ଶିଶୁପୁତ୍ର ଜନ୍ମ ଦେଇଥିଲେ।

ସମୟ ସୁବିଧା ଦେଖି ପୁଅକୁ ପୋଲିଓ ଟିକା ଦେବ ବୋଲି କହି ଅଭିଯୁକ୍ତ ତପନ ପତ୍ନୀ ଓ ପୁଅକୁ ସାଙ୍ଗରେ ନେଇ ଖୋର୍ଦ୍ଧା ଯାଇଥିଲା। ପୂର୍ବ ଯୋଜନା ମୁତାବକ ତପନ ପିଚୁକୁଳିରେ ଗାଡ଼ି ଅଟକାଇ ପୁଅକୁ ଟିକା ଦେବ ବୋଲି କହି ଶ୍ରୀନିବାସକୁ ବିକ୍ରି କରି ଦେଇଥିଲା। ଏହା ସହ ଶ୍ରୀନିବାସ ପାଖରୁ ୨୦ ହଜାର ଟଙ୍କା ମଧ୍ୟ ଆଣିଥିଲା। ତେବେ ଖାଲି ହାତରେ ଫେରିବା ଦେଖି ଆରତି ପୁଅ କେଉଁଠି ଅଛି ବୋଲି ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଜୋର୍ ଜବରଦସ୍ତ ଗାଡ଼ିରେ ବସାଇ ଘରକୁ ନେଇ ଆସିଥିଲା। ଏନେଇ ଆରତି ଥାନାରେ ଅଭିଯୋଗ କରିବାକୁ ଯିବାରୁ ତାଙ୍କୁ ହତ୍ୟା ଧମକ ଦେଇ ନିର୍ଯାତନା ଦେଇଥିଲା। ଏପରିକି ଆରତି ଯେପରି ଥାନାରେ ଅଭିଯୋଗ ନ କରିପାରିବ, ସେଥିପାଇଁ ତାଙ୍କୁ ଘରେ ଚାବି ପକାଇ ରଖୁଥିଲା। ଏହା ସହ ପରବର୍ତ୍ତୀ ସମୟରେ ନିବାସ ପାଖରୁ ୧୦ ହଜାର ଲେଖାଏଁ କରି ୩୦ ହଜାର ଟଙ୍କା ଆଣିଥିଲା।

ସୁବିଧା ଦେଖି ଆରତି ଘରୁ ଖସି ଆସି ପଡ଼ୋଶୀଙ୍କ ସହାୟତାରେ ଗତ ବର୍ଷ ଅକ୍ଟୋବର ୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ପୁଲିସ ଗମ୍ଭୀରତାର ସହ ବିଚାର ନକରି କେବଳ ଜୋର୍ ଜବରଦସ୍ତ ବିବାହ କରି ବଳପୂର୍ବକ ଘରେ ରଖିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା। ମାତ୍ର ପିଲା ବିକ୍ରି କରିବାକୁ ନେଇ କୌଣସି ମାମଲା ରୁଜୁ ନ ହେବାରୁ ମହିଳା ଜଣକ ଶେଷରେ ଚାଇଲ୍ଡ ଲାଇନ୍‌ର ସହାୟତାରେ କେସ୍ କରିଥିଲେ। ଏହା ପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା। ଶେଷରେ ନୟାଗଡ଼ରୁ ପିଲା କିଣିଥିବା ଅଭିଯୁକ୍ତ ନିବାସର ବଡ଼ ଭାଇ ଘରୁ ଛୁଆକୁ ଉଦ୍ଧାର କରିଥିଲା। ବଡ଼ ଭାଇର କୌଣସି ପିଲା ଛୁଆ ହେଉନଥିବାରୁ ସେ ପିଲା ନେଇ ତାଙ୍କ ଘରେ ରଖିଥିବା ନିବାସ ପୁଲିସ ପାଖରେ ସ୍ବୀକାର କରିଛି। ତେବେ ଥାନାରେ ଅଭିଯୋଗ ହେବା ପରେ ଗିରଫ ହେବା ଭୟରେ ସ୍ବାମୀ ତପନ ଫେରାର୍ ହୋଇଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର