ଭଡ଼ାରେ ଲାଗୁଛନ୍ତି କଅଁଳା ପିଲା, ପତଳା ରୁଗ୍ଣ ପିଲା ଘଣ୍ଟାକୁ ୨୦, ହୃଷ୍ଟପୁଷ୍ଟ ହୋଇଥିଲେ ୧୦ଟଙ୍କା
ରାଜଧାନୀରେ ଭିକ୍ଷାବୃତ୍ତି ଧନ୍ଦାର ଭିତିରି କଥା
ସସ୍ମିତା ସାହୁ
ଭୁବନେଶ୍ବର: ଭିକ୍ଷା ମାଗିବାକୁ କଅଁଳା ଛୁଆ ଭଡ଼ାରେ ଲାଗୁଛନ୍ତି। ରୁଗ୍ଣ ପତଳା ଛୁଆ ଘଣ୍ଟାକୁ ୨୦ ଟଙ୍କା। ଟିକେ ହୁଷ୍ଟପୁଷ୍ଟ ହେଲେ ଦାମ୍ ଅଧା, ଅର୍ଥାତ ଘଣ୍ଟାକୁ ୧୦ ଟଙ୍କା। ଏହା ବିଶ୍ବାସ ନ ହେଉଥିଲେ ବି ସତ। ଖୋଦ୍ ରାଜଧାନୀରେ ହିଁ ଏହି କାରବାର ଚାଲିଛି। ସହରର ପ୍ରମୁଖ ଛକଗୁଡ଼ିକରେ ଯେଉଁ ଛୋଟ ପିଲାଙ୍କୁ କୋଳରେ ଧରି ମହିଳାମାନେ ଭିକ୍ଷା ମାଗୁଛନ୍ତି, ସେହି ପିଲାମାନେ ଏମିତି ଭଡ଼ାରେ ହିଁ ଆସୁଛନ୍ତି। ଛୋଟ ଛୁଆଙ୍କ ରୁଗ୍ଣ ଚେହେରାକୁ ଦେଖାଇ ଲୋକଙ୍କ ସହାନୁଭୂତି ହାସଲ କରୁଛନ୍ତି କିଛି ଦଲାଲ। ଦିନକୁ ପ୍ରାୟ ୧୪ରୁ ୧୫ ଘଣ୍ଟା ଏହି କଅଁଳା ଛୁଆମାନେ ଭଡ଼ାରେ ଲାଗୁଛନ୍ତି। ନା ତାଙ୍କୁ ଭଲରେ ଖାଇବାକୁ ଦିଆଯାଉଛି ନା ଶୋଇବାକୁ। ସେମାନେ କେବଳ ରୋଜଗାରର ମାଧ୍ୟମ ପାଲଟିଛନ୍ତି। ଦଲାଲମାନେ ପିଲାଙ୍କ ବାପା-ମା’ଙ୍କୁ ଭଡ଼ା ପଇସା ଦେଇ ବେଶ୍ ମୋଟା ଅଙ୍କର ଟଙ୍କା ସବୁଦିନେ ନେଉଛନ୍ତି। ଛୋଟ ଛୁଆଙ୍କୁ ଭଡ଼ାରେ ପଠାଇ ବାପା-ମା’ ବି ଖୁସ୍। ସେମାନେ ନିର୍ଦ୍ବନ୍ଦ୍ବରେ ଦିନକୁ ୨୮୦ରୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ଆହୁରି ସାଂଘାତିକ ବିଷୟ ହେଲା ଯେ ସେମାନେ ନିଜ ପିଲାକୁ ସବୁବେଳେ ରୁଗ୍ଣ ରଖିବାକୁ ଚାହାନ୍ତି। କାରଣ ରୁଗ୍ଣ ଦେଖାଗଲେ ହିଁ ଅଧିକ ଭଡ଼ା ଆସିବ। କିଛି ମା’ ନିଜେ ରୁଗ୍ଣ ଛୁଆକୁ ମାଧ୍ୟମ କରି ସିଧାସଳଖ ଭିକ୍ଷାବୃତ୍ତି କରୁଛନ୍ତି। ଏମିତି ହୃଦୟବିଦାରକ ଦୃଶ୍ୟ ନିଇତି ରାଜଧାନୀରେ ଘଟୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ଶିଶୁ ଭିକ୍ଷୁକଙ୍କ ସ୍ଥିତି ପରଖିବାକୁ ଆମେ ଆଜି ରାଜଧାନୀର ପ୍ରମୁଖ ରାସ୍ତା ଜନପଥ ବୁଲି ଦେଖିଥିଲୁ। ପ୍ରଥମେ ପହଞ୍ଚିଥିଲୁ ରାଜଧାନୀର ଜନ ଗହଳିପୂର୍ଣ୍ଣ ଶ୍ରୀୟା ଛକ ଟ୍ରାଫିକ୍ରେ। ସମୟ ଦିନ ୧୧ଟା। ଟ୍ରାଫିକ୍ରେ ସ୍କୁଟି ଧରି ଠିଆ ହୋଇଥିବା ବେଳେ ପଛରୁ କିଏ ପୋଷାକ ଟାଣିଲା। ପଛକୁ ଚାହିଁଲା ବେଳକୁ ୭ କି ୮ ବର୍ଷ ହେବ କଙ୍କାଳ ପ୍ରାୟ ଶିଶୁଟିଏ। ୧୦ ଟଙ୍କା ଦେଲେ ଖାଇବି ବୋଲି ବିକଳ ହେଲା। ଆମେ ପଚାରିଲୁ ତୁ କେଉଁଠୁ ଆସିଛୁ ? ତୋ ଘର କୋଉଠି…ଆଉ ତୋ ବାପାମା’ କାହାନ୍ତି ? ସେ କହିଲା, ‘ମେଁ ବଙ୍ଗାଲ୍ କା ହୁଁ’(ମୁଁ ପଶ୍ଚିମବଙ୍ଗରୁ ଆସିଛି)। ବାପାମା’ ନାହାନ୍ତି। ମୋତେ ୧୦ ଟଙ୍କା ଦିଅ ମୁଁ ଖାଇବି। ଆମେ ୧୦ ଟଙ୍କା ତା’ ହାତକୁ ବଢ଼େଇ ଦେଇ କହିଲୁ ଚାଲେ ଏଠି ଗୋଟେ ଆଶ୍ରମ ଅଛି। ଆମେ ତୋତେ ସେଠି ଛାଡ଼ି ଦେବୁ। ସେଠି ତୁ ଭଲ ଖାଇବା ପାଇବା ସହ ଭଲ ପୋଷାକ ପିନ୍ଧିବୁ ଓ ପାଠ ବି ପଢ଼ିବୁ। ହେଲେ ସେ ଆମ ହାତ ଛଡ଼ାଇ ଦୌଡ଼ି ପଳାଇଲା।
ଖାଲି ଶ୍ରୀୟା ଛକ କାହିଁକି ରାଜମହଲ ଛକ, ମାର୍କେଟ ବିଲ୍ଡିଂ, ହାଉସିଂବୋର୍ଡ ଛକ, ରାମ ମନ୍ଦିର, ସହିଦ ନଗର ଆଦି ରାଜଧାନୀର ସବୁ ପ୍ରମୁଖ ଛକରେ ଏଭଳି ପୁଳା ପୁଳା ଶିଶୁ ଭିକାରୀଙ୍କୁ ଦେଖିବାକୁ ମିଳୁଛି। କିଏ ଛିଣ୍ଡା ପୋଷାକ ପିନ୍ଧି ଭିକ ମାଗୁଛି ତ’ ଆଉ କିଏ ନିଜ ୬/୭ ମାସର କୁନି ଭାଇଭଉଣୀକୁ ଦେଖାଇ ଖାଇବା ଗଣ୍ଡେ ମାଗୁଛି। ରାଜଧାନୀର ଚକାଚକ୍ ରାସ୍ତା, ବଡ଼ ବଡ଼ ଅଟ୍ଟଳିକା, ସୁନ୍ଦର ସୁନ୍ଦର ନିର୍ମାଣର ଚାକଚକ୍ୟ ଭିତରେ ଏହାର ପ୍ରତିଟି ପ୍ରମୁଖ ଛକରେ ବ୍ୟବସ୍ଥାକୁ ଉପହାସ କଲା ଭଳି ଠିଆ ହେଉଛନ୍ତି ଏହି ଫୁଙ୍ଗୁଳା ଶିଶୁମାନେ। ମୁଣ୍ଡର ନୁଖୁରା କେଶ, ଶୁଷ୍କ ଚର୍ମ ଓ କଙ୍କାଳ ପ୍ରାୟ ଶରୀରରେ ପ୍ରତିଟି ଛକରେ ଟଙ୍କା ଦୁଇଟା ପାଇଁ ଏମାନେ ଯେତେବେଳେ ହାତ କିମ୍ବା ପୋଷାକ ଟାଣନ୍ତି ସ୍ମାର୍ଟ ସିଟିର ବିକଳ ରୂପ ସ୍ପଷ୍ଟ ବାରି ହୋଇପଡ଼େ। ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ରାଜଧାନୀରେ ୧୦ କି ୨୦ ନୁହନ୍ତି ୫୦୦ରୁ ଊର୍ଧ୍ବ ଶିଶୁ ଭିକାରୀ ଅଛନ୍ତି। ଏମାନେ ସବୁ ଅଣଓଡ଼ିଆ ହୋଇଥିବା ବେଳେ ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରୁ ଏଠାକୁ ଆସିଥାନ୍ତି। ଏଥିମଧ୍ୟରୁ ଅନେକ ଶିଶୁ ନିଜର କୌଳିକ ବୃତ୍ତି ଭାବେ ଭିକ୍ଷାବୃତ୍ତିକୁ ଆପଣେଇଥିବା ବେଳେ ସେମାନଙ୍କ ବାପାମା’ ଭିକ୍ଷାବୃତ୍ତି ପାଇଁ ସେମାନଙ୍କୁ ତାଲିମ ଦେଇଥା’ନ୍ତି। ଅନ୍ୟ କିଛି ଶିଶୁଙ୍କୁ ଭିକ୍ଷାବୃତ୍ତିରେ ଜୋରଦବରଦସ୍ତ ଭର୍ତି କରାଯାଇଛି। କଅଁଳା ଛୁଆମାନଙ୍କୁ ଘଣ୍ଟା ପିଛା ୧୦/୨୦ ଟଙ୍କା ଭଡ଼ାରେ ଲଗାଯାଉଥିବା ବେଳେ ୭/୮ ବର୍ଷର ପିଲା କିନ୍ତୁ ଭଲ ରୋଜଗାର କରୁଛନ୍ତି। ସେମାନଙ୍କର ଦିନକୁ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଯାଏ। ସେଥି ପାଇଁ ସେମାନେ ଏହି ବୃତ୍ତି ଛାଡ଼ିବାକୁ କିମ୍ବା ଥଇଥାନ ପାଇଁ ପ୍ରସ୍ତୁତ ନୁହନ୍ତି। ପିଲାମାନଙ୍କୁ ଭିକ୍ଷାବୃତ୍ତି ପାଇଁ ପଠାଇଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଥିଲେ ବି ଏହାକୁ କଡ଼ାକଡ଼ି କରାଯାଉ ନାହିଁ। ଏହି ଆଇନ୍ ସମ୍ପର୍କରେ ଅଶିକ୍ଷିତ ବାପା-ମା’ମାନେ ସଚେତନ ନାହାନ୍ତି।
ଏ ସମ୍ପର୍କରେ ଚାଇଲ୍ଡ ଲାଇନ୍ର ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତି, ଭୁବନେଶ୍ବର ଓ ପୁରୀରେ ଶିଶୁ ଭିକ୍ଷୁକଙ୍କ ସଂଖ୍ୟା ଅଧିକ। ସହରିଆ ଛୋଟ ପିଲାଙ୍କୁ ଦେଖି ଅଧିକ ଟଙ୍କା ଦେଉଥିବାରୁ ପରୋକ୍ଷରେ ସେମାନେ ଏକ ପ୍ରକାର ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ କରୁଛନ୍ତି। ଭୁବନେଶ୍ବରରେ ଲୋକମାନେ ୫/୧୦ ଟଙ୍କାରୁ ଅଧିକ ଦେଉଥିବାରୁ ସେମାନଙ୍କର ରୋଜଗାର ଅଧିକ ହୁଏ। ଫଳରେ ରାଜଧାନୀ ଭିକାରୀ ମୁକ୍ତ ହେବା ବଦଳରେ ଓଲଟା ଭିକାରି ବିଶେଷ କରି ଶିଶୁ ଭିକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବର ପରେ ପୁରୀ ଓ ତା’ ପରେ କଟକରେ ଏହି ସମସ୍ୟା ଅଧିକ। ପୁରୀକୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଅଧିକ ଯାଉଥିବାରୁ ସେଠାରେ ତାଙ୍କର ରୋଜଗାର ଅଧିକ ହୁଏ। ୫ରୁ ଊର୍ଧ୍ବ ବୟସର ପିଲାମାନଙ୍କର ଭଲ ରୋଜଗାର ଯୋଗୁଁ ସେମାନେ ଭିକ୍ଷାବୃତ୍ତିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ନିକଟ ଅତୀତରେ ଆମେ କରିଥିବା ଏକ ସର୍ଭେରୁ ପିଲାଙ୍କୁ ବାପା-ମା’ମାନେ ଭଡ଼ାରେ ଲଗାଉଥିବା ଜଣାପଡ଼ିଛି। ତେବେ ଶିଶୁ ସୁରକ୍ଷା ଦୃଷ୍ଟିରୁ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିପାରିଲେ ଶହ ଶହ ଶିଶୁ ଏଭଳି ନର୍କରୁ ମୁକ୍ତି ପାଇପାରିବେ ବୋଲି ଶ୍ରୀ ସେନାପତି କହିଛନ୍ତି।ସିଡବ୍ଳ୍ୟସିର ଅଧ୍ୟକ୍ଷ ପର୍ଶୁରାମ ମହାରଣା କହିଛନ୍ତି, ଏହି ଶିଶୁ ଭିକାରୀମାନଙ୍କ ଉଦ୍ଧାର ପରେ ସେମାନଙ୍କୁ ଥଇଥାନ୍ କଲେ ସେମାନେ ତଥା ତାଙ୍କ ବାପା-ମା’ ଆସି ହଟ୍ଟଗୋଳ କରି ସେମାନଙ୍କୁ ନେଇଯାଆନ୍ତି। ପୁଣି ସେଇ ପ୍ରକ୍ରିୟାର ପୁନରାବୃତ୍ତି ହୁଏ। ଏଣୁ ଏହି ଶିଶୁ ଭିକ୍ଷୁକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ, ପୁଲିସ, ଶ୍ରମ କମିସନ, ଶିଶୁ ସୁରକ୍ଷା ଆୟୋଗ ତଥା ଦେଶର ପ୍ରତିଟି ନାଗରିକ ମିଳିତ ଭାବେ ଏକ ସ୍ବରରେ ଲଢ଼ିଲେ ଯାଇ କିଛି ପରିବର୍ତ୍ତନ ହୋଇପାରିବ।