ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ଘର ବାହୁଡା

ବ୍ରହ୍ମଗିରି : ଶୀତ ଦିନେ ଚିଲିକା ଆସିଥିବା ବିଦେଶାଗତ ପକ୍ଷୀ ଫେରିବା ଆରମ୍ଭ କଲେଣି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡା ହୋଇଥିବା ବେଳେ ବାକି ୫ ଲକ୍ଷରୁ ଅଧିକ ପକ୍ଷୀ ଚିଲିକାର ନଳବଣ ଓ ତଟବର୍ତ୍ତୀ ଇଲାକାରେ ଡେରା ପକାଇ ରହିଛନ୍ତି। ଧୀରେ ଧୀରେ ଶୀତ କମିବା ସହିତ ତାପମାତ୍ରା ବଢିବାରେ ଲାଗିଲାଣି। ମଝି ଚିଲିକାରେ ତାପମାତ୍ରା ୩୨ ଡିଗ୍ରୀ ଉପରକୁ ଛୁଇଁଲାଣି।

ସୁଦୂର ସାଇବେରିଆ, କାଜାକିସ୍ତାନ, ତିବତ, ଅଷ୍ଟ୍ରେଲିଆ, ମଙ୍ଗୋଲିଆ, ହିମାଳୟ ପାଦଦେଶ, ମାନ ସରୋବର ପ୍ରଭୃତି ଇଲାକାରୁ ଏହି ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାରେ ଗତ ବର୍ଷ ଅକ୍ଟୋବର ମାସରେ ପହଞ୍ଚି ଥିଲେ। ଚଳିତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ଟି ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ଗଣନା ପରେ ବନ ବିଭାଗ ସୂଚନା ଦେଇଥିଲା। ସେଥି ମଧ୍ୟରୁ ପକ୍ଷୀ ଅଭୟାରଣ୍ୟରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଚିହ୍ନଟ ହୋଇଥିଲେ। ମୋଟ ୧୮୧ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ବିଦେଶାଗତ ଅତିଥି ପକ୍ଷୀଙ୍କ କଳରବରେ ଚିଲିକା ପ୍ରକମ୍ପିତ ହୋଇଥିଲା। ପକ୍ଷୀ ପ୍ରେମୀଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ବେଶ ଖୁସି ହୋଇଥିଲେ।

କିନ୍ତୁ ଚଳିତ ବର୍ଷ କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ଘାତକ ସାଜିଲା। ବିଦେଶାଗତ ଅତିଥି ପକ୍ଷୀ ଏହି ବାର୍ଡଫ୍ଲୁ ଭୂତାଣୁର ବାହକ ହୋଇଥିବା କୁକୁଡାମାନଙ୍କୁ ଏହା ଆକ୍ରାନ୍ତ କରିଥିଲା। ସରକାରଙ୍କ ନିର୍ଦ୍ଦେଶରେ କୃଷ୍ଣପ୍ରସାଦରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିଲା। ବାର୍ଡ ଫ୍ଲୁ ପରେ ବନ ବିଭାଗ ପକ୍ଷୀ ଅଭୟାରଣ୍ୟ ନଳବଣ ଉପରେ କଟକଣା ଜାରି କରିଥିଲେ। ଏହି ଇଲାକାକୁ ରେଡ ଜୋନ ଘୋଷଣା କରାଯାଇ ଥିଲା। କୈାଣସି ପର୍ଯ୍ୟଟକଙ୍କୁ ନଳବଣକୁ ଛଡା ଯାଇ ନଥିଲା। ଫଳରେ ପର୍ଯ୍ୟଟକ ନଳବଣରେ ବିଦେଶୀ ପକ୍ଷୀଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟ ପଟେ ବିଦେଶାଗତ ଅତିଥି ପକ୍ଷୀ ଚିଲିକାରେ ଚାରି ମାସ ରହଣି କାଳରେ ଉପଯୁକ୍ତ ପରିବେଶ ପାଇଲେ ଅଣ୍ତା ଦେଇ ପରେ ଛୁଆ ଫୁଟାଇଥାନ୍ତି ଓ ନିଜ ସାଙ୍ଗରେ ଛୁଆକୁ ଧରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ବାର୍ଡଫ୍ଲୁ ଯୋଗୁ ନଳବଣରେ ବିଦେଶାଗତ ଅତିଥି ପକ୍ଷୀ ନୀଡ ବାନ୍ଧି ଛୁଆ ଫୁଟାଇବା ପାଇଁ ଉପଯୁକ୍ତ ପରିବେଶ ପାଇଲେକି ନାହିଁ ତାହା ଅସ୍ପଷ୍ଟ ରହିଛି। ଏ ନେଇ ବନ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

ସମ୍ବନ୍ଧିତ ଖବର