ନାଗରିକ ମଞ୍ଚ ଉପଦେଷ୍ଟାଙ୍କ ପରଲୋକ

କବାଟବନ୍ଧ: ସଚେତନ ନାଗରିକ ମଞ୍ଚ ଯାଜପୁରର ମୁଖ୍ୟ ଉପଦେଷ୍ଟା ତଥା କଳିଙ୍ଗନଗର ଟାଟା ଷ୍ଟିଲର ଲଜିଷ୍ଟିକ୍ସ ମୁଖ୍ୟ ମନୋଜ କୁମାର ପ୍ରଧାନ (୪୭)ଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ଯକୃତ ସଂକ୍ରମଣ ଯୋଗୁଁ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତମାସ ୬ ତାରିଖରେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲେ ବି ସ୍ବାସ୍ଥ୍ୟରେ ସୁଧାର ଆସି ନଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଝିଅଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ପ୍ରଧାନଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳରେ। ସେ କଳିଙ୍ଗନଗର ଟାଟାଷ୍ଟିଲରେ ଲଜିଷ୍ଟିକ୍ସ ମୁଖ୍ୟ ଭାବେ ଦୀର୍ଘଦିନ ହେଲା କାର୍ଯ୍ୟରତ ଥିଲେ। ସଚେତନ ନାଗରିକ ମଞ୍ଚ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଯାଜପୁର ଜିଲ୍ଲାର ଯୁବକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ। ଛୋଟପିଲାଙ୍କ ଶିକ୍ଷାପାଇଁ ମଧ୍ୟ ଅନେକ ଉଦ୍ୟମ କରିଥିଲେ। ସେ ଏକାଧାରାରେ ଜଣେ ସାହିତ୍ୟିକ, ନାଟ୍ୟକାର ଓ କଳାକାର ଭାବେ ପରିଚିତ ଥିଲେ।

ଟାଟା ଷ୍ଟିଲର ଚେୟାରମ୍ୟାନ ଟିଭି ନରେନ୍ଦ୍ରନ୍, ସିଏଲ୍ କର୍ଣ୍ଣ, ପିକେ ଠାକୁର, ମାନସ ରଂଜନ ସାହୁ, ପ୍ରମୋଦ ମଲ୍ଲିକ, ସୁଶାନ୍ତ ତ୍ରିପାଠୀ, ପାରାଦୀପ ଓ ଧାମରା ବନ୍ଦର କର୍ମଚାରୀ ସଂଘ, ଟାଟାଷ୍ଟିଲର ବହୁ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି। ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା, ଉପଦେଷ୍ଟା ପଙ୍କଜ କୁମାର ମଲ୍ଲ, ପରମାନନ୍ଦ ସାହୁ, ସନ୍ତୋଷ ରାଉତ, ଯଶୋବନ୍ତ ସାହୁ, ସୌମ୍ୟ ରଂଜନ ସାହୁ, ଗଗନ ମହାନ୍ତି, ସମର ପଣ୍ତା, ଆନନ୍ଦ ଚନ୍ଦ୍ର ପ୍ରଧାନ ପ୍ରଭୃତି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାରକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ନାଗରିକ ମଞ୍ଚ ପକ୍ଷରୁ ବେଳାଭୂମିରେ ବାଲୁକାକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏକମାତ୍ର ଝିଅ ନୈନା ଓ ପୁତୁରା ସମୀର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର