ସ୍ବଚ୍ଛ ବିଦ୍ୟାଳୟକୁ ଏଣିକି ମିଳିବ ପୁରସ୍କାର : ଆପ୍‌ ଉନ୍ମୋଚିତ, ୧୪ ଯାଏ ଆବେଦନ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କୃତ ହେବେ

ଭୁବନେଶ୍ବର : ରାଜ୍ୟର ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପିଲାଟି ଦିନରୁ ସ୍ୱଚ୍ଛତା ପାଇଁ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ବିଭାଗ ପକ୍ଷରୁ ଏକ ଆପ୍‌ ମଧ୍ୟ ଉଦ୍‌ଘାଟିତ ହୋଇଛି। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ବିଦ୍ୟାଳୟଗୁଡ଼ିକ ଅନ୍‌ଲାଇନ୍‌ରେ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିବେ। ଆପ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ସ୍ୱେଚ୍ଛାକୃତ ଭାବେ ପଞ୍ଜୀକରଣ କରିପାରିବେ। ସ୍ୱଚ୍ଛ ବିଦ୍ୟାଳୟଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ମାର୍କିଂ ବ୍ୟବସ୍ଥା ରହିଛି।

୨୦୧୯ ଅକ୍ଟୋବର ୧୪ ମଧ୍ୟରେ ବିଦ୍ୟାଳୟଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିପାରିବେ। ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ସମସ୍ତ ଆବେଦନପତ୍ରର ଯାଞ୍ଚ ହେବ। ନଭେମ୍ବର ୧ରୁ ୧୦ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ। ସ୍ୱଚ୍ଛ ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ଦୁଇ ହଜାର, ଜିଲ୍ଲାସ୍ତରରେ ୫ ହଜାର ଓ ରାଜ୍ୟସ୍ତରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ବ୍ଲକସ୍ତରରେ ୧୨୫୬, ଜିଲ୍ଲାସ୍ତରରେ ୨୪୦ ଓ ରାଜ୍ୟସ୍ତରରେ ୪୦ଟି ବିଦ୍ୟାଳୟକୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

୯୦ରୁ ୧୦୦ ପ୍ରତିଶତ ସ୍ୱଚ୍ଛତା ଥିବା ବିଦ୍ୟାଳୟଗୁଡ଼ିକୁ ଉତ୍କୃଷ୍ଟ (ପାଞ୍ଚ ତାରକା) ବୋଲି ବିବେଚନା କରାଯିବ। ୭୫ରୁ ୮୯ ପ୍ରତିଶତ ସ୍ୱଚ୍ଛ ଥିଲେ ବିଦ୍ୟାଳୟଗୁଡ଼ିକ ଚାରି ତାରକା, ୫୧ରୁ ୬୯ ପ୍ରତିଶତ ସ୍ବଚ୍ଛ ଥିଲେ ତିନି ତାରକା ଏବଂ ୩୫ରୁ ୫୦ ପ୍ରତିଶତ ସ୍ୱଚ୍ଛ ବିଦ୍ୟାଳୟଗୁଡ଼ିକୁ ଦୁଇ ତାରକା ଭାବେ ଚିହ୍ନଟ କରାଯିବ। କିନ୍ତୁ ୩୫ ପ୍ରତିଶତରୁ କମ୍‌ ସ୍ୱଚ୍ଛତା ଥିବା ବିଦ୍ୟାଳୟଗୁଡ଼ିକୁ ଗୋଟିଏ ତାରକା ବା ଖରାପ ବୋଲି ବିଚାର କରାଯିବ।

ଆଜି ପୂର୍ବାହ୍ନରେ ହୋଟେଲ ମେ’ ଫେୟାରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର-୨୦୧୯ ଅଭିଯାନର ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ ନିଲେସନ୍‌, ସ୍ବଚ୍ଛ ବିଶେଷଜ୍ଞ ଆଇସିଓ ପ୍ରତିଭା ସିଂ ପ୍ରମୁଖ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର