କପଡ଼ା ବ୍ୟବସାୟୀ ନିଖୋଜ ଘଟଣା : ହାୱଡ଼ା ଷ୍ଟେସନ୍‌ରେ କ୍ୟାମେରା ଯାଞ୍ଚ, ୬ ମାସର ସିଡିଆର‌୍‌ ମାଗିଲା ପୁଲିସ

କଟକ : ସିଡିଏର କପଡ଼ା ବ୍ୟବସାୟୀ ବିଶାଲ କୁମାର ସୁନ୍ଦରକା ନିଖୋଜ ଘଟଣାକୁ ନେଇ ଅଡ଼ୁଆରେ କମିସନରେଟ୍‌ ପୁଲିସ। ହାୱଡ଼ା ରେଳ ଷ୍ଟେସନ୍‌ରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଇଛି। କିନ୍ତୁ ସେଠାରେ ସେ ଓହ୍ଲାଇନଥିବା ଜଣାପଡ଼ିଛି। ତେବେ କେଉଁଆଡେ଼ ବିଶାଲ ଗଲେ, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ତାଙ୍କର ଗତ ୬ ମାସର ଫୋନ୍‌ର ସିଡିଆର‌୍‌ ମଗାଇଛି। ସିଏ କାହା ସହିତ ଯୋଗାଯୋଗ କରିଥିଲେ, ସେ ସମ୍ପର୍କିତ ସିଡିଆର‌୍‌ ମିଳିବା ପରେ ପୁଲିସ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି।

ଭୁବନେଶ୍ବରରେ କପଡ଼ା ବ୍ୟବସାୟ କରୁଥିବା ସିଡିଏର ବିଶାଲ କୁମାର ସୁନ୍ଦରକା ଗତ ମଙ୍ଗଳାବାର ଭୁବନେଶ୍ବର ଯାଉଥିବା କହି ଘରୁ ନିଜ କାର‌୍‌ରେ ଯାଇଥିଲେ। ଭୁବନେଶ୍ବରରୁ ପୁରୀ ଯାଇ ହୋଟେଲ୍‌ ହଲିଡେ ରିସୋର୍ଟ ନିକଟରେ ଗାଡ଼ି, ମୋବାଇଲ୍‌ ଏବ˚ ସୁନା ମୁଦି ରଖି ସେଠୁ ପଳାଇଥିଲେ। ପୁରୀ-ହାଓଡା ଏକ୍ସପ୍ରେସ୍‌ରେ ବସି କେଉଁ ଆଡେ଼ ଚାଲିଯାଇଥିବା ନେଇ ମର୍କତନଗର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। କମିସନରେଟ୍‌ ପୁଲିସ ପୁରୀରୁ କଲିକତା ପର୍ଯ୍ୟନ୍ତ ସମସ୍ତ ରେଳ ଷ୍ଟେସନର ଜିଆର‌୍‌ପି ଥାନାକୁ ବିଶାଲଙ୍କ ଫଟୋ ପଠାଇଥିବା ବେଳେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ, ତୁରନ୍ତ ଜଣାଇବାକୁ କୁହାଯାଇଛି। ଅନ୍ୟପଟେ ରେଳ ଧାରଣାରେ ସେଭଳି ଆତ୍ମହତ୍ୟା ସମ୍ପର୍କିତ ଖବର ମିଳିଲେ, ଜଣାଇବାକୁ ଖବର ଦିଆଯାଇଛି। ବିଶାଲ ବ୍ୟବସାୟରେ ଟଙ୍କା ଋଣ ଆଣିଥିବା କୁହାଯାଉଥିବା ବେଳେ ତାକୁ ନେଇ ସେ ମାନସିକ ଚାପରେ ଥିବା ଚର୍ଚ୍ଚା ହେଉଛି। ତେଣୁ ସେହି ଘଟଣାକୁ କେନ୍ଦ୍ର କରି କେଉଁ ଆଡେ଼ ପଳାଇଥିବା ପୁଲିସ ସନ୍ଦେହ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ତଥ୍ୟ ପୁଲିସ ହାତରେ ମିଳିପାରି ନାହିଁ। ସିଡିଆର‌୍‌ ମିଳିଲା ପରେ ବିଶାଲ ନିର୍ଦ୍ଦିଷ୍ଟ ଭାବେ ବ୍ୟବସାୟ ସ˚କ୍ରାନ୍ତରେ କେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଥିଲା, ପୁଲିସ ତାଙ୍କୁ ଡାକି ପଚରାଉଚରା କରିବ। ଅନ୍ୟପଟେ ତାଙ୍କ ପରିବାର ଲୋକେ ଡିସିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର