କଟକରେ ସିଏନ୍‌ଜି ଷ୍ଟେସନ୍‌ର ଉଦ୍‌ଘାଟନ ଆଜି

କଟକ : ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ସହର ଭାବେ କଟକରେ ସିଏନ୍‌ଜି ଷ୍ଟେସନ୍‌ ଆରମ୍ଭ ହେବାକୁ ଯାଉଛି। କଟକର ସତୀଚୌରାସ୍ଥିତ ବିଶାଲ ପେଟ୍ରୋଲ୍‌ ପମ୍ପ୍‌ ଓ ବିଦ୍ୟାଧରପୁରସ୍ଥିତ ସିଦ୍ଧିବିନାୟକ ସର୍ଭିସ୍‌ ଷ୍ଟେସନ୍‌ଠାରେ କଟକର ପ୍ରଥମ ଦୁଇଟି ସିଏନ୍‌ଜି ଷ୍ଟେସନ୍‌ ଖୋଲାଯିବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇଟି ଷ୍ଟେସନ୍‌କୁ ଉଦ୍‌ଘାଟନ କରିବେ। ଗେଲ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ବର୍ତ୍ତମାନ ଦିନକୁ ପାଖାପାଖି ୧୬୦୦ କିଲୋ ସିଏନ୍‌ଜି ବ୍ୟବହାର ହେଉଛି। ତେଣୁ କଟକରେ ମଧ୍ୟ ଏହା ସଫଳ ହେବ। ପ୍ରଦୂଷଣ ରୋକିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଉଥିବାବେଳେ ଆଗକୁ ପ୍ରତି ଘରକୁ ଓ ଶିଳ୍ପାନୁଷ୍ଠାନମାନଙ୍କୁ ପାଇପ୍‌ରେ ଗ୍ୟାସ୍‌ ଯୋଗାଇ ଦେବାକୁ ଯୋଜନା ରହିଥିବା ଶ୍ରୀ କର୍ଣ୍ଣାଟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁଟରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ଜାନା, ମାନବ ସମ୍ବଳ ଅଧିକାରୀ ଏ.କେ.ଶ୍ରୀବାସ୍ତବ, ଗେଲ୍‌ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଏସ୍‌.କେ. ପାଠକ, ଜୋନାଲ୍‌ ମହାନିର୍ଦ୍ଦେଶକ ପଙ୍କଜ ଭଗତ ଉପସ୍ଥିତ ଥିଲେ। ଆଗାମୀ ଦିନରେ କଟକ-ଭୁବନେଶ୍ୱରରେ ପ୍ରାୟ ୨୫ଟି ସିଏନ୍‌ଜି ଷ୍ଟେସନ୍‌ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର