ରାଜ୍ୟ କୋଇଲା ରାଜ୍ୟରେ ବିନିଯୋଗ ଦାବିରେ ଗର୍ଜିଲେ ବିସ୍ଥାପିତ

ଭୁବନେଶ୍ୱର : ରାଜ୍ୟ କୋଇଲା ରାଜ୍ୟରେ ଥିବା ସମସ୍ତ କାରଖାନାରେ ବିନିଯୋଗ ଦାବିରେ ଗର୍ଜିଛନ୍ତି ବିସ୍ଥାପିତ। ବିସ୍ଥାପିତ ସଚେତନ ସମିତିର ହଜାର ହଜାର ସଦସ୍ୟ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋଟିଏ ପଟେ ମେକ୍‌-ଇନ୍‌-ଓଡ଼ିଶା ନାମରେ ବିଭିନ୍ନ ସଂସ୍ଥାକୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଉଥିବା ବେଳେ କଞ୍ଚାମାଲ ଯୋଗା ଯାଉ ନଥିବାରୁ ଅନେକ କମ୍ପାନି ବନ୍ଦ ହୋଇଯାଉଛି। କାରଣ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ଲାଣ୍ଟ(ଆଇପିପି)କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଯୋଗାଇ ଦିଆଯିବ। ଅର୍ଥାତ୍‌ ରାଜ୍ୟ ବାହାରକୁ ପ୍ରଥମେ ଆବଶ୍ୟକ ପରିମାଣର କୋଇଲା ଦିଆଯିବା ପରେ ଯାହା ବଳିବ ରାଜ୍ୟ ଭିତରେ ଥିବା କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟ(ସିପିପି)କୁ ଯୋଗାଯିବ। ଏହି ନ୍ୟାୟରେ ମହାନଦୀ କୋଲ୍‌ ଫିଲ୍ଡ ବାର୍ଷିକ ଉତ୍ପାଦନ କରୁଥିବା ୧୪୦ ମେଟ୍ରିକ ଟନ୍‌ କୋଇଲାରୁ ୧୦୦ ଏମ୍‌ଟି କୋଇଲା ଆଇପିପିକୁ ଚାଲିଯାଉଛି। ରାଜ୍ୟରେ ଥିବା ସିପିପିକୁ ୭୬ ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ଥିବା ବେଳେ ମାତ୍ର ୪୦ ଏମ୍‌ଟି ଯୋଗାଯାଉଛି। ଫଳରେ କାରଖାନା ବନ୍ଦ ହୋଇଯାଉଛି। ଏଣୁ କେନ୍ଦ୍ର ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ରାଜ୍ୟର କୋଇଲା ରାଜ୍ୟରେ ବିନିଯୋଗ କରାଇବା ସହ ଏମ୍‌ସିଏଲ୍‌ର ସିଏସ୍‌ଆର ଅର୍ଥ ୨ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ଓ ବିସ୍ଥାପିତଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବିରେ ଏହି ବିକ୍ଷୋଭ ହୋଇଥିବା‌ ବିଧାୟକ ତଥା ସମିତି ଆବାହକ ନବକିଶୋର ଦାସ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ ମାଝୀ, ସମିତି ସଭାପତି ବେଣୁଗୋପାଳ ପାଣିଗ୍ରାହୀ, ସମ୍ପାଦକ ରାଜକିଶୋର ପାଣିଗ୍ରାହୀ, ଲଖନପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌତମ ପ୍ରଧାନ, ବର୍ତ୍ତମାନର ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ଉପସଭାନେତ୍ରୀ ପଙ୍କଜିନୀ ପ୍ରଧାନ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଛନ୍ତି।

ସମ୍ବନ୍ଧିତ ଖବର