ଉପକୂଳ ରାଜପଥ ନିର୍ମାଣ ବିଳମ୍ବ ପ୍ରସଙ୍ଗ : ରାଜ୍ୟକୁ ଦୋଷ ଠେଲିଲା ବିଜେପି

ଭୁବନେଶ୍ବର : ୪୧୫ କିଲୋମିଟର ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣରେ ବିଳମ୍ବ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବିଳମ୍ବ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା। ଆଜି ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ଏହାର ଜବାବ ରଖି କହିଛନ୍ତି, ଏହା ରାସ୍ତାର ଆଲୟନମେଣ୍ଟ୍‌ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ବାରମ୍ବାର ପରିବର୍ତ୍ତନ କରୁଥିବାରୁ ଓ ବୈଧାନିକ ଅନୁମତିରେ ଅହେତୁକ ବିଳମ୍ବ କରୁଥିବାରୁ ପ୍ରକଳ୍ପ ପଛାଉଛି।

ଆଜି ଏକ ସାମ୍ବାଦିିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ, ଉପକୂଳ ରାଜପଥ ପାଇଁ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଥିବା ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ତଥା ଅନ୍ୟାନ୍ୟ ବୈଧାନିକ ଅନୁମତି ମିଳୁ ନାହିଁ। ଫଳରେ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁ୍ତି ସତ୍ତ୍ବେ ପ୍ରକଳ୍ପ କ୍ରିୟାନ୍ବୟନରେ ସମସ୍ୟା ଉପୁଜୁଛି। ୩.୯.୩୦୧୬ରେ ଏହି ରାସ୍ତାର ଆଲୟନମେଣ୍ଟ୍ ନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଅବଗତ ପରେ ୨୪.୧୧.୨୦୧୬ରୁ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ନୀତିଗତ ଘୋଷଣା ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସୂଚନା‌ ପ୍ରଦାନ କରାଯାଇଥିଲା। ୨୨.୪.୨୦୧୭ରେ ତତ୍‌କାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବୈଠକ ଡାକି ସାତପଡ଼ାରୁ ପୁରୀ ମଧ୍ୟରେ ଆଲୟନମେଣ୍ଟ୍ ନେଇ ଆଲୋଚନା କରିଥିଲେ। ଏହାର ୪ ମାସ ପରେ ସାତପଡ଼ା-ପୁରୀ ରାସ୍ତାରୁ ଆଲୟନମେଣ୍ଟ୍ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ। ଏହି ଆଧାରରେ ନୂ୍ଆ ଆଲୟନ୍‌ମେଣ୍ଟ୍‌ ତିଆରି କରାଯାଇଥିଲା। ଶ୍ରୀ ଦାସବର୍ମା ଏହା ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଆହ୍ବାନ ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲାର ଆଉ ଜଣେ ମନ୍ତ୍ରୀ ମହେଶ୍ବର ମହାନ୍ତି ୧୦.୧୧.୨୦୧୭ରେ ଆଲୟନ୍‌ମେଣ୍ଟ୍‌ରେ ଆହୁରି ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଏହା ସହ ଏହି ରାସ୍ତାର ୯ଟି ପ୍ୟାକେଜ୍‌ରେ ସିଆର୍‌ଜେଡ୍‌ ଅନୁମତି, ୮ଟି ପ୍ୟାକେଜ୍‌ରେ ଜଙ୍ଗଲ ଅନୁମତି ଓ ୨ଟି ପ୍ୟାକେଜ୍‌ରେ ବନ୍ୟଜନ୍ତୁ ସମ୍ବନ୍ଧୀୟ ଅନୁମତି ପ୍ରସ୍ତାବ ଆଜି ଦିନରେ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଛି। ପ୍ରକଳ୍ପର ୧୦ଟି ଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର୍ କାମ ଶେଷ ହୋଇ ଠିକାଦାର ଚୟନ ହୋଇଥିଲେ ମଧ୍ୟ ଜମି ଓ ଅନ୍ୟାନ୍ୟ ବୈଧାନିକ ଅନୁମତି ମିଳି ନ ଥିବାରୁ କାମ ଆଗେଇ ପାରୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସମ୍ବନ୍ଧିତ ଖବର