ବାଳ ସୁଧାର ଗୃହରେ ସ୍ବତନ୍ତ୍ର ଶିବିର; ମୁକୁଳିଲେ ୭

ଭୁବନେଶ୍ବର : ଓକିଲମାନଙ୍କର ଆନ୍ଦୋଳନ ଜାରି ରହିଥିବାରୁ ସମଗ୍ର ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ମାମଲାରେ ବନ୍ଧା ହୋଇଥିବା ଅଭିଯୁକ୍ତମାନେ ଜାମିନ୍‌ରେ ମୁକୁଳି ପାରୁନାହାନ୍ତି। ବିଭିନ୍ନ ଜେଲ୍‌ ଉଛୁଳୁଥିବା ବେଳେ ବାଳ ସୁଧାର ଗୃହ ମଧ୍ୟ ଏଥିରୁ ବାଦ୍‌ ଯାଇନି। ବିଭିନ୍ନ ମାମଲାରେ ଆଇନ ସହ ଦ୍ବନ୍ଦ୍ବରେ ପଡ଼ିଥିବା ନାବାଳକଙ୍କ ଭିଡ଼ରେ ସୁଧାର ଗୃହ ମଧ୍ୟ ଉଛୁଳୁଛି। ଏହାକୁ ଆଖି ଆଗରେ ରଖି ପୁରୀ କିଶୋର ନ୍ୟାୟ ବୋର୍ଡ ପକ୍ଷରୁ ବ୍ରହ୍ମପୁରରେ ଥିବା ବାଳ ସୁଧାର ଗୃହ(ଜୁଭେନାଇଲ ଅବ୍‌ଜର୍ବେସନ ହୋମ୍)ରେ ଏକ ସ୍ବତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ କିଶୋର ନ୍ୟାୟ ବୋର୍ଡର ପ୍ରିନ୍ସପାଲ୍‌ ମାଜିଷ୍ଟ୍ରେଟ୍‌ ମନୋଜ କୁମାର, ସଦସ୍ୟା ଜୟଶ୍ରୀ ମହାପାତ୍ର ଓ ଲିଗାଲ ପ୍ରୋବେସନ ଅଫିସର ସନ୍ତୋଷ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ୧୦ ଜଣଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପରିବାରବର୍ଗ ଉପସ୍ଥିତ ଥିବ‌ାରୁ ୭ ଜଣ ଘରକୁ ଫେରିଥିବା ବେଳେ ୩ ଜଣ ଜାମିନ୍‌ ପାଇ ମଧ୍ୟ ସୁଧାର ଗୃହରେ ରହିଛନ୍ତି। ପରବର୍ତ୍ତି ସମୟରେ ଏଭଳି ଶିବିର କରାଯାଇ ଜାମିନ୍‌ ପାଇବା ଯୋଗ୍ୟ ନାବାଳକଙ୍କୁ ମୁକାଳିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ପୁରୀରୁ ମୋଟ ୨୬ ଜଣ ନାବାଳକ ଏହି ସୁଧାର ଗୃହରେ ରହୁଥିଲେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଜାମିନ୍‌ ଶୁଣାଣି ହୋଇପାରୁନଥିବାରୁ ସଂଖ୍ୟା ବଢ଼ିବଢ଼ି ଯାଉଥିଲା। ଏହାକୁ ଅନୁଭବ କରି ପ୍ରଥମ ଥର ପାଇଁ ପୁରୀ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର