ସହାୟତା ଅପେକ୍ଷାରେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀ

ବ୍ରହ୍ମଗିରି : ବାତ୍ୟା ଫନିରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀ କ୍ଷତିପୂରଣ ପାଇ ପାରି ନାହାନ୍ତି। ପ୍ରତି ଦିନ ଶହ ଶହ ଲୋକେ ଉଦ୍ୟାନ ବିଭାଗକୁ ଅଭିଯୋଗ କରିବାକୁ ଆସୁଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ଫନି ମାଡରେ ବ୍ୟାପକ ନଡିଆ ଗଛ ନଷ୍ଟ ହୋଇଥିଲା। ନଡିଆ ଗଛ ପାଇଁ ତୁରନ୍ତ ସାହାଯ୍ୟ ଦେବାକୁ ସରକାର ନିେର୍ଦ୍ଦଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଚାଷୀଙ୍କୁ ନା ମିଳୁଛି ନଡ଼ିଆ ଚାରା ନା ସହାୟତା। ବ୍ଲକ୍‌ରେ ୩୫ ହଜାରରୁ ଅଧିକ ନଡ଼ିଆ ଗଛ ନଷ୍ଟ ହୋଇଥିବା ବେଳେ ମୋଟ ୧୧ ହଜାର ୯୮୯ ଜଣ ହିତାଧିକାରୀ ବାତ୍ୟା ସହାୟତା ପାଇବା ପାଇଁ ସ୍ଥାନୀୟ ଉଦ୍ୟାନ ବିଭାଗ ତାଲିକା ଦେଇଥିଲା। ସେଥିପାଇଁ ସରକାର ମଧ୍ୟ ସହାୟତା ପ୍ରଦାନ କଲେ। ଏହି ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୪ ହଜାର ୨ଶହ ଜଣଙ୍କ ଜମା ଖାତାକୁ ଟଙ୍କା ଯାଇ ସାରିଛି। ବାକି ୭ ହଜାର ୭୮୯ଜଣଙ୍କ ଖାତାକୁ ଟଙ୍କା ଯାଇ ପାରି ନାହିଁ। ଏକ କୋଟିରୁ ଅଧିକ ଟଙ୍କା ସହାୟତା ପାଇଁ ଆସିଥିବା ବେଳେ ଅଧିକାଂଶ ହିତାଧିକାରୀଙ୍କ ପାଖରେ ପହ‌ଞ୍ଚି ପାରୁ ନାହିଁ।

odishabytes.com

ଅନ୍ୟପଟେ କୃଷ୍ଣପ୍ରସାଦ ବ୍ଲକ୍‌ରେ ୩୦ ହଜାରରୁ ଅଧିକ ନଡ଼ିଆ ଗଛ ଭାଙ୍ଗି ଥିବା ବେଳେ ୫ ହଜାର ୪୪ ଜଣ ହିତାଧିକାରୀଙ୍କ ତାଲିକା ସରକାରଙ୍କୁ ଦିଆ ଯାଇଥିଲା। ଏହି ବ୍ଲକ୍‌ରେ ଚାଷୀଙ୍କ ପାଇଁ ମଧ୍ୟ ଏକ କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ସରକାର ପଠାଇ ଥିଲେ। କିନ୍ତୁ ବାତ୍ୟାର ୩ ମାସରୁ ଅଧିକ ପରେ ଆଜି ସୁଦ୍ଧା ମାତ୍ର ୨ ହଜାର ଚାଷୀ ସେମାନଙ୍କର ସହୟତା ଟଙ୍କା ପାଇ ପାରିଛନ୍ତି। ବାକି ୩ ହଜାର ୪୪ଜଣ ହିତାଧିକାରୀଙ୍କ ଜମା ଖାତାକୁ ଟଙ୍କା ପହ‌ଞ୍ଚି ପାରି ନାହିଁ। ଏ ନେଇ ଅତିରିକ୍ତ ସହକାରୀ ଉଦ୍ୟାନ ଅଧିକାରୀ ବିଜୟ କୁମାର ପଣ୍ଡା କହିଛନ୍ତି ଯେ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ଅନୁଯାୟୀ ସମସ୍ତ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠା ଯାଇଥିଲା। କିନ୍ତୁ ଜମା ଖାତା ନମ୍ବର ଭୁଲ ଥିବାରୁ ଏହା ଫେରି ଆସିଛି।

ସମ୍ବନ୍ଧିତ ଖବର