ଆଜି ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ; ଅଧ୍ୟାପକଙ୍କ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମ‌ାରକପତ୍ର

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ବୁଧବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲିବ। ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସିବେ। ଛାତ୍ରଛାତ୍ରୀ ଆସିବେ ନାହିଁ। ତେବେ ଏଭଳି ବିଜ୍ଞପ୍ତିକୁ ନେଇ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ସରକାରୀ ଓ ବେସରକାରୀ ଅଧ୍ୟାପକ କର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରିଛନ୍ତି। କଲେଜ ଖୋଲିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିବା ସହ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭେଟିବା ପରେ କମିଟିର ସଦସ୍ୟମାନେ କହିଥିଲେ ଯେ ରାଜ୍ୟ ସରକାର ଜୁଲାଇ ୩୧ ଓ କେନ୍ଦ୍ର ସରକାର ଅଗଷ୍ଟ ୧୫ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି। ପ୍ରାୟ ୪୦୦ କଲେଜରେ ସଙ୍ଗରୋଧ କେନ୍ଦ୍ର ହୋଇଛି। ଯେଉଁଠାରେ ଏବେ ପାଠପଢ଼ା ସମ୍ଭବପର ନୁହେଁ। ବୁଧବାର ଶିକ୍ଷାନୁଷ୍ଠାନ ଖୋଲିବାକୁ ଥିଲେ ମଧ୍ୟ ଏବେ ସୁଦ୍ଧା ବିଶୋଧନ କରାଯାଇ ନାହିଁ। କିଏ କରିବ? କେବେ ହେବ? ସେନେଇ ବି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ବେଳେ ଶିକ୍ଷକମାନେ କ୍ୟାମ୍ପସରେ କ’ଣ କରିବେ? ଛାତ୍ରଛାତ୍ରୀ ନ ଥିବାରୁ କାହାକୁ ପଢ଼ାଇବେ? ବର୍ତମାନ ସୁଦ୍ଧା ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇ ନଥିବାରୁ କର୍ମଚାରୀ କିଭଳି କଲେଜ ଯିବେ? କଷ୍ଟେ ମଷ୍ଟେ ଗଲେବି ଭଡ଼ା ଘରେ ରହିପାରିବେ ନାହିଁ। କିଛି ସ୍ଥାନରେ ମାଲିକମାନେ ସେମାନଙ୍କୁ ରହିବାକୁ ଅନୁମତି‌ ଦେଉ ନାହାନ୍ତି। ଏଭଳି ଅବସ୍ଥା‌ରେ ଜୀବନକୁ ବିପନ୍ନ କରି ଅଧ୍ୟାପକ ଓ କର୍ମଚାରୀମାନେ କିପରି କାର୍ଯ୍ୟରେ ଯୋଗଦେବେ ‌ତାହା ସଂଶୟ ସୃଷ୍ଟି କରିଛି। ଅଧ୍ୟାପକ ଓ କର୍ମଚାରୀମାନେ ଏବେ ମୂଲ୍ୟାୟନ କାର୍ଯ୍ୟ କରିବା ସହ ଅନ୍‌ଲାଇନ୍‌ରେ ଶିକ୍ଷାଦାନ, କୋଭିଡ୍‌-୧୯ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ କରୋନା ପ୍ରଭାବକୁ ଗୁରୁତର ସହ ବିଚାରକୁ ନେଇ ଜୁଲାଇ ୩୧ ପରେ କଲେଜ ଖୋଲାଯାଉ। ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ପ୍ରତିନିଧି ଦଳରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ମଣ୍ଡଳୀର ସଦସ୍ୟ ମାନସ ବେହେରା, ପବିତ୍ର ମହଲା, ଗୋଲକ ନାୟକଙ୍କ ସମେତ ସତାପଉଦ୍ଦିନ୍‌ ଅହମ୍ମଦ, ଗଗନ ବେଉରା, ଦେବାଶିଷ ମହାନ୍ତି, ରଞ୍ଜନ ପ୍ରଧାନ, ତପନ ଜେନା, ମନୋଜ ପାଢ଼ୀ, ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର