ପୁଲିସ ନିଷ୍କ୍ରିୟତା ଅଭିଯୋଗ: ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ପୋଲ ନିକଟରେ ପୁଲିସ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ପଞ୍ଜୀକରଣ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ଲଳିତା କୁମାରୀ ବନାମ ଉତ୍ତରପ୍ରଦେଶ ମାମଲା’ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଭକାନ୍ତ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ସୋଲପଟାର ଶୁଭକାନ୍ତ ଗତ ମାର୍ଚ୍ଚ ୧୦ ତାରିଖ ସଂଧ୍ୟାରେ ହାଟଡିହିରୁ ଫେରୁଥିବାବେଳେ ଇଞ୍ଚୋଳ ପୋଲ ନିକଟରେ ଏକ ପୁଲିସ ଜିପରେ ଆସି ଜଣେ ଏସଆଇ ଓ ଅନ୍ୟମାନେ ତାଙ୍କୁ ମାଡ଼ମାରିବା ସହିତ ଟଙ୍କା ଛଡାଇ ନେଇଥିଲେ। ହତ୍ୟା ଧମକ ଦେଇଥିଲେ। ମାର୍ଚ୍ଚ ୧୬ରେ ମଧ୍ୟ ତାଙ୍କୁ ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ସାଧା ପୋଷାକରେ ଥିବା ସଂପୃକ୍ତ ପୁଲିସ ଅଧିକାରୀ ଓ ଅନ୍ୟ କେତେ ଜଣ ବ୍ୟକ୍ତି ଖୋଜୁଥିଲେ। ଏହି ଘଟଣାପରେ ଶୁଭକାନ୍ତ ନନ୍ଦିପଦା ଥାନାକୁ ଅବଗତ କରିଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପୁଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ସରକାର, ପୁଲିସ ଡିଜି, କେନ୍ଦୁଝର ଏସ୍‌ପି ଓ ନନ୍ଦିପଦା ଥାନା ଆଇଆଇସିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସ୍ମୃତିରଂଜନ ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର