ପ୍ରକୃତ ଓଡ଼ିଆ ଦେଖିବାକୁ ରାଉରକେଲା ଆସ: ସୌମ୍ୟରଞ୍ଜନ

‘ସମ୍ବାଦ-ସାହିତ୍ୟ ଘର’ ସହରର ଚରିତ୍ର ସହ ସମ୍ପର୍କର ସେତୁ ରୂପେ କାର୍ଯ୍ୟରତ

ରାଉରକେଲା: ସାହିତ୍ୟକୁ ସୁରକ୍ଷିତ ଓ ସମୃଦ୍ଧ କରିବାସହ ସାହିତ୍ୟ ସ୍ରଷ୍ଟାମାନଙ୍କ ପାଇଁ ‘ସମ୍ବାଦ-ସାହିତ୍ୟ ଘର’ ପ୍ରତିଷ୍ଠା କରାଯାଇଛି। ଏହି ଅନୁଷ୍ଠାନର ଗୁରୁଦାୟିତ୍ବ ରହିଛି। ସମ୍ବାଦ ସାହିତ୍ୟଘର ରାଉରକେଲା ସହରର ଚରିତ୍ର ସହ ସଂପର୍କର ସେତୁ ରୂପେ କାର୍ଯ୍ୟ କରୁଛି ବୋଲି ‘ସମ୍ବାଦ-ସାହିତ୍ୟ ଘର’ର ପ୍ରତିଷ୍ଠାତା ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ରାଉରକେଲାସ୍ଥ କୋଏଲନଗର ଏ’ ବ୍ଲକ ଜଗନ୍ନାଥ ମନ୍ଦିର ପରିସରରେ ‘ସମ୍ବାଦ-ସାହିତ୍ୟଘର ରାଉରକେଲା’ ଆନୁକୂଲ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ, ରାଜନୀତି ଓ ସାହିତ୍ୟର ସଂପର୍କ ଅତି ନିବିଡ଼।

ଉଭୟଙ୍କର ଲକ୍ଷ୍ୟ ବି ଏକା। ସଂପ୍ରତି କେବଳ ସାହିତ୍ୟ ନୁହେଁ, ସବୁ ଅନୁଷ୍ଠାନ ଅବକ୍ଷୟମୁଖୀ। ଏହାକୁ ସମୃଦ୍ଧ କରିବାକୁ ଆଗେଇ ଆସନ୍ତୁ। ଶ୍ରୀ ପଟ୍ଟନାୟକ ରାଉରକେଲା ସହରକୁ ନେଇ କହିଲେ, ମୋ’ର ରାଉରକେଲା ସହ ସଂପର୍କ ଅତି ନିବିଡ଼। ରାଉରକେଲା ଆଜି ଭଲରେ ନାହିଁ, କିନ୍ତୁ ରାଉରକେଲା ସହର ତିଆରି ହୋଇନଥିଲେ ମୁଁ ଏଠାରୁ ଯାହା ପାଇଛି, ତାହା ପାଇନଥାନ୍ତି। ଏ ସହର ମୋତେ ଅନେକ କିଛି ଦେଇଛି। ଯାହା କଲେ ବି ଏହାର ଋଣ ସୁଝିପାରିବିନାହିଁ। ସବୁଦିନ ପାଇଁ ମୁଁ ରାଉରକେଲା ପାଖରେ ଋଣୀ।

ଏଠାରେ ସମ୍ଭାବନାର ସୂତ୍ର ଦେଖୁଛି। ଓଡ଼ିଶାରେ ଯଦି ପ୍ରକୃତ ଓଡ଼ିଆଙ୍କୁ ଦେଖିବାକୁ ଚାହଁ, ତେବେ ରାଉରକେଲାକୁ ଆସବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଜଣେ ବହୁ ପଦପଦବିରେ ଥିଲେ ଦ୍ବନ୍ଦ ଆସିଥାଏ। କିନ୍ତୁ ଯେତେବେଳେ ମାଟି ଓ ପାର୍ଟି କଥା ଉଠିବ, ସେତେବେଳେ ମାଟି ହିଁ ସବୁକିଛିବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ଦାସ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ଆଲୋକ ରଂଜନ ମଲ୍ଲିକ ସଭାପତିତ୍ବ କରିଥିଲେ। ସାଧାରଣ ସଂପାଦକ ପ୍ରଶାନ୍ତ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତା, ସଦସ୍ୟ/ସଦସ୍ୟାଙ୍କ ସମେତ ବିଭିନ୍ନ ସାହିତ୍ୟାନୁଷ୍ଠାନ, ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର