ପଞ୍ଚାୟତ ଗୃହରୁ ପିଡିଏସ ଚାଉଳ ସ୍ଥାନାନ୍ତର ବେଳେ ଉତ୍ତେଜନା

ବାଲେଶ୍ବର:ରେମୁଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ଗୋଦାମରୁ ପିଡିଏସ୍‌ ଚାଉଳ ଓ ଗହମ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଗ୍ରାମବାସୀଙ୍କ ଅଟକ ରଖାଯାଇଛି। ଗତ ଦୁଇମାସ ହେଲା ଲୋକଙ୍କୁ ପିଡିଏସ୍‌ ସାମଗ୍ରୀ ଠିକ୍‌ ଭାବେ ବଣ୍ଟା ଯାଉନଥିବା ବେଳେ ଏହି ଚାଉଳ ଓ ଗହମ କେଉଁଠୁ ଆସିଲା ଏବଂ କୁଆଡ଼େ ଯାଉଛି ବୋଲି ‌ଲୋକେ ଅଭିଯୋଗ ଆଣି ହୋହଲ୍ଲା କରିଥିଲେ। ଆଜି ଭୋର୍‌ ସମୟରେ ଘଟିଥିବା ଏହି ଘଟଣାର କୌଣସି ସମାଧାନ ହୋଇ ପାରିନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପିଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ସେହି ସ୍ଥାନକୁ ଧାର୍ଯ୍ୟ ସମୟରେ ପିଡିଏସ୍‌ ସାମଗ୍ରୀ ନେବା ପାଇଁ ହିତାଧିକାରୀ ଆସିବେ। ଏହାଛଡ଼ା ପିଡିଏସ୍‌ ସାମଗ୍ରୀ ଯେଉଁ ଗାଡ଼ିରେ ଅନ୍ୟତ୍ର ସ୍ଥାନାନ୍ତର ହେବ ସେଥିରେ ବ୍ୟାନର ଲାଗିବ ଏବଂ ପିଡିଏସ୍‌ ବଣ୍ଟନ ନେଇ ଲୋକଙ୍କୁ ସୂଚନା ଦିଆଯିବ। ତେବେ ମଙ୍ଗଳପୁର ପଞ୍ଚାୟତର ଏହି ପିଡିଏସ୍‌ ସାମଗ୍ରୀ ଲୋକଙ୍କୁ ଦିଆଯାଇନଥିବା ବେଳେ ଭୋର୍‌ ସମୟରେ ଗାଡ଼ିରେ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଖବର ପାଇଁ ଜାତୀୟ ରାଜପଥର ନୂଆଗାଁଠାରେ ଅଟକାଇଥିଲେ। ଗାଡ଼ିର ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପିଡିଏସ୍‌ ସାମଗ୍ରୀ ବାବଦରେ ସ୍ଥାନାନ୍ତର ନେଇ କାଗଜପତ୍ର ମାଗିବାରୁ ସେ ଦେଖାଇପାରିନଥିଲେ। ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରୁ ଖବର ପାଇଁ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚିଥିଲା। ଗ୍ରାମବାସୀ ନିଜ ଜିଦ୍‌ରେ ଅଡ଼ି ବସିଥିବା ବେଳେ ଏହି ପିଡିଏସ୍‌ ସାମଗ୍ରୀ କାହା ନିର୍ଦ୍ଦେଶରେ, କେଉଁଠିକୁ ଏବଂ କିଏ ନେଇ ଯାଉଥିବା ପ୍ରଶ୍ନ କରିଥିଲେ। ଏବଂ ଯୋଗାଣ ଅଧିକାରୀ, ବିଡିଓ କିମ୍ବା ପଞ୍ଚାୟତ ଅଧିକାରୀ କେହି ଜଣେ ସେଠାକୁ ଆସି ସେମାନଙ୍କ ସହ ଆଲୋଚନା କଲେ ଗାଡ଼ିଟିକୁ ଛାଡ଼ିବେ ବୋଲି କହିଥିଲେ।

ଏହାପରେ ପୁଲିସ ଠାରୁ ସୂଚନା ପାଇଁ ବ୍ଲକରୁ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପିଡିଏସ୍‌ ଗାଡ଼ିଟିକୁ ଜବତ କରିବା ସହ ଗାଡ଼ିର ଡ୍ରାଇଭର ଓ ସେଥିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିବା ଜଣାପଡ଼ିଛି। ଜବତ ଗାଡ଼ିରୁ ୨୦ ବସ୍ତ ଚାଉଳ ଓ ୬ ବସ୍ତା ଗହମ ବାହାରିଥିଲା। ଏହା ପଛରେ ଲୁଚିଥିବା ଅନିୟମିତତା ସାମ୍‌ନାକୁ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର