କ‌ଂଗ୍ରେସର ଦଳିତ ମହାସମାବେଶ ୨୭ରେ

ଭୁବନେଶ୍ବର : ସର୍ବଭାରତୀୟ ସ୍ତରରେ ଦଳିତ ଓ ଆଦିବାସୀଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାରର ପ୍ରତିବାଦ କରି ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏକ ମହାସମାବେଶ ଆସନ୍ତା ୨୭ ତାରିଖ ଅପରାହ୍ନ ୩ଟାରେ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଅତିଥି ଭାବେ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ସବର୍ଭାରତୀୟ ଦଳିତ ନେତା ଜିଗ୍‌ନେଶ ମେୱାନି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସିର ସମସ୍ତ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ଉପସଭାପତି ଅନନ୍ତ ଚରଣ ସେଠୀ ଓ ଗଣେଶ୍ବର ବେହେରା ପ୍ରମୁଖ ଯୋଗ ଦେବେ। ଦଳର ସମସ୍ତ ବିଧାୟକ ଓ ବରିଷ୍ଠ ନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୨୫ ହଜାରରୁ ଅଧିକ ଦଳିତ ଲୋକ ସାମିଲ ହେବେ। ଅନୁସୂଚିତ ଜାତି ଓ ଜନଜାତି ପରିବାରଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଉଦାସୀନତା ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ମୁଖ୍ୟ ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର