କୋଭିଡ୍‌ ମୃତ୍ୟୁର ସ୍ବତନ୍ତ୍ର ଅଡିଟ୍‌ ଦାବି କଲା କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ମୃତ୍ୟୁର ଠିକ୍ ତଥ୍ୟ ଦିଆଯାଉ ନ ଥିବାରୁ ତାହାର ସ୍ବତନ୍ତ୍ର ଅଡିଟ୍‌ ଦାବି କରିଛି କଂଗ୍ରେସ। ନୟାଗଡ଼ରେ କୋଭିଡ୍‌ ମୃତ୍ୟୁ ତଥ୍ୟରେ ତାଳମେଳ ନ ରହିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ‌କଂଗ୍ରେସ ନେତା। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଲେ ଯେ ରାଜ୍ୟ ସରକାର କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ଅନାଥ ପିଲାଙ୍କୁ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷପ। କିନ୍ତୁ କୋଭିଡ୍‌ ମୃତ୍ୟୁ ସମ୍ପର୍କରେ ଠିକ୍ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିପରି ସମ୍ଭବ ହେବ? ନୟାଗଡ଼ ଜିଲ୍ଲାର ତଥ୍ୟ ଭାତ ହାଣ୍ଡିରୁ ଗୋଟିଏ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ନୟାଗଡ଼ ସିଡିଏମ୍‌ଓଙ୍କ ଦ୍ବାରା କୋଭିଡ୍‌ ମୃତକଙ୍କ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ଓ ରାଜ୍ୟ ସରକାର ତାଙ୍କ ଅଫିସିଆଲ୍‌ ପୋର୍ଟାଲ୍‌ରେ ଦେଇଥିବା ତଥ୍ୟ ସିଧାସଳଖ ଭାବେ ପ୍ରମାଣିତ କରୁଛି ଯେ ସରକାର ନିଜ ଭାବମୂର୍ତ୍ତି ବଞ୍ଚାଇ ରଖିବା ପାଇଁ କୋଭିଡ୍‌ ମୃତ୍ୟୁର ବାସ୍ତବ ତଥ୍ୟ ଲୁଚାଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଓ ଜିନେଶ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର