କଂଗ୍ରେସ ବି ଖୋଲିବ ମହିଳା କାର୍ଡ : ଅନ୍ୟୂନ ୫ଟି ଆସନରେ ପ୍ରାର୍ଥୀ ଦେଇପାରେ

ଜେଏମ୍‌ଏମ୍‌କୁ ମୟୂରଭଞ୍ଜ ଆସନ ଛାଡ଼ିବାକୁ ବିରୋଧ, ଦିଲ୍ଲୀରେ ଡେରା ପକାଇଛନ୍ତିି ପ୍ରମୁଖ ନେତା, କର୍ମୀ

ନୂଆଦିଲ୍ଲୀ/ଭୁବନେଶ୍ବର : ଓଡ଼ିଶା ଲୋକସଭା ଓ ବିଧାନସଭା ଆସନରେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବେ ତା’ର ଚିତ୍ର ସଫା ହୋଇନାହିଁ। ରାଜ୍ୟରେ ପ୍ରାର୍ଥୀ ଚୟନ ପାଇଁ ସ୍କ୍ରିନିଂ କମିଟିର ଘନ ଘନ ବୈଠକ ବସିଲା। ପରେ ନୂଆଦିଲ୍ଲୀରେ ମାରାଥନ୍‌ ବୈଠକ। ବୈଠକର ନିଷ୍ପତ୍ତି ଅନୁଯାୟୀ ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ସୁପାରିସ କରାଯାଇଛି। ତଥାପି ଆଶାୟୀମାନଙ୍କ ଉତ୍କଣ୍ଠାର ଅବସାନ ଘଟିନାହିଁ। ଟିକେଟ୍‌ ଓ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ ସେହି ଅନିଶ୍ଚିତତା ଦୂର ହେବନାହିଁ। ଏଣୁ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ଅନେକ ନେତା ଓ କର୍ମୀ ଡେରା ପକାଇଛନ୍ତିି। ଆସନ୍ତା ୧୬ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ସ୍କ୍ରିନିଂ କମିଟିର ଅନ୍ତିମ ବୈଠକରେ ପ୍ରାର୍ଥୀ ତାଲିକାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ। ତେବେ ପରିସ୍ଥିତି, ସମୀକରଣ ବଦଳିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରସଙ୍ଗମାନ ମୁଣ୍ଡ ଟେକୁଛି। ଏସବୁ ଫଳରେ ଶେ‌ଷ ବୈଠକରେ ପ୍ରାର୍ଥୀ ତାଲିକାର ରୂପରେଖ ବଦଳିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ଅନ୍ୟତମ ପ୍ରସଙ୍ଗ ହେଉଛି ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ପ୍ରତିଶତ ଆସନ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ର‌ିମୋ ନବୀନ ପଟ୍ଟନାୟକ ଲୋକସଭା ଆସନ‌େର ଏକ ତୃତୀୟାଂଶ ମହିଳାଙ୍କୁ ଛିଡ଼ା କରାଇବାକୁ ଘୋଷଣା କରିଛନ୍ତି। ଏହା ବିରୋଧୀ କଂଗ୍ରେସ ଓ ବିଜେପିକୁ ଚିନ୍ତାରେ ପକାଇଛି। ତୃଣମୂଳ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲୋକସଭା ଆସନରୁ ପ୍ରାୟ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବାକୁ ଘୋଷଣା କରିଛନ୍ତି। କଂଗ୍ରେସ ଦଳ ଏହି ଦୌଡ଼ରେ ସାମିଲ ହେବା ପାଇଁ ରଣନୀତି ଆରମ୍ଭ କରିଦେଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମହିଳା କାର୍ଡ ଖେଳିବାକୁ ଆପାତତଃ ସ୍ଥିର କରିଛି। ଏହି କ୍ରମରେ ରାଜ୍ୟର ୨୧ଟି ଆସନରୁ ଅନ୍ତତଃପକ୍ଷେ ୫ଟି ଆସନ ମହିଳା ପ୍ରାର୍ଥୀଙ୍କ ପାଇଁ ଛାଡ଼ିବ। ଏ‌ ନେଇ ସ୍କ୍ରିନିଂ କମିଟିର ଅନ୍ତିିମ ବୈଠକରେ କିଛି ବଡ଼ ଧରଣର ନିଷ୍ପତ୍ତି ନେବାର ସମ୍ଭାବନାକୁ ଏଡ଼ାଇହେବ ନାହିଁ। ବର୍ତମାନ ଏଭଳି ଚର୍ଚା ଜୋର ଧରିଛି।

ଏହି ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ। ସ୍କ୍ରିନିଂ କମିଟି ବୈଠକରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋଙ୍କ ସହିତ ତାଙ୍କ ନାମକୁ କଟକ ଲୋକସଭା ଆସନ ପାଇଁ ସୁପାରିସ କରାଯାଇଛି। ୨୦୧୪ ନିର୍ବାଚନରେ ତାଙ୍କ ନାମ ଆଗରେ ଥିବା ବେଳେ ଶେଷ ମୁହୂର୍ତରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଅପରାଜିତା ହାରି ଯାଇଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। କଂଗ୍ରେସ ମହିଳା ପ୍ରତିନିଧିତ୍ବକୁ ଗୁରୁତ୍ବ ଦେବ ବୋଲି ଚର୍ଚା ହେଉଛି। ଏଣୁ, କଟକ ଲୋକସଭା ଆସନ ନିମନ୍ତେ ବିଜୟଲକ୍ଷ୍ମୀଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ସ୍କ୍ରିନିଂ କମିଟି ତା’ର ଅନ୍ତିମ ବୈଠକରେ ନିଷ୍ପତ୍ତି ନେଇପାରେ।

କୋରାପୁଟ ଲୋକସଭା ଆସନ ପାଇଁ ଉଭୟ ସପ୍ତଗିରି ଉଲାକା ଓ ମେରୀ ସୁରୀନ୍‌ଙ୍କ ନାମ ସୁପାରିସ କରିଛି ସ୍କ୍ରିନିଂ କମିଟି। ମହିଳା ପ୍ରାର୍ଥୀ ପ୍ରସଙ୍ଗକୁ ବିଚାରକୁ ନେଇ ମେରୀଙ୍କ ନାମରେ ମୋହର ମାରିପାରେ କଂଗ୍ରେସ। ଏଭଳି ନିଷ୍ପତ୍ତି ସ୍କ୍ରିନିଂ କମିଟି ପାଇଁ ବଡ଼ ଆହ୍ବାନ ହେବ। ପୁରୀ ଲୋକସଭା ଆସନ ପାଇଁ ସୁଚରିତା ମହାନ୍ତିଙ୍କ ସ୍ଥାନରେ ନୂଆ ଚେହେରାକୁ ଛିଡ଼ା କରାଇବା ପାଇଁ କମିଟିର ବିଚାର ବିମର୍ଶ ଜାରି ରହିଛି। ଯଦି ମହିଳା ପ୍ରତିନିଧିତ୍ବକୁ ପ୍ରାଧାନ୍ୟ ଦିଆଯାଏ, ସୁଚରିତାଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ବିଚାର କରିପାରେ ସ୍କ୍ରିନିଂ କମିଟି। ସେହିପରି କେନ୍ଦୁଝର ଲୋକସଭା ଆସନ ପାଇଁ ବର୍ତମାନ ସୁଦ୍ଧା‌ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରିନାହିଁ। ଏହି ଆସନ ପାଇଁ ଆଶାୟୀ ଭାବେ ସନାତନ ମହାକୁଡ଼ ଓ ବିନୀତା ମାଝୀଙ୍କ ନାମ ଆଗରେ ରହିଛି। ତେବେ ମହିଳା କାର୍ଡ ଖେଳିଲେ, କଂ‌ଗ୍ରେସ ସ୍କ୍ରିନିଂ କମିଟି ବିନୀତାଙ୍କୁ ଛିଡ଼ା କରାଇବା ସପକ୍ଷରେ ବିଚାର କରିପାରେ। ସେହିପରି ଯାଜପୁର ଲୋକସଭା ଆସନରେ ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ସଂପର୍କରେ ଆଲୋଚନା ହୋଇଥିବା ସ୍କ୍ରିନିଂ କମିଟି ବୈଠକରେ ଯୋଗ ଦେଇଥିବା ଜଣେ ନେତା କହିଛନ୍ତି। ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ପ୍ରସଙ୍ଗ ଜୋର ଧରିବା ପରେ ଦିଲ୍ଲୀରେ କିଛି ମହିଳା ନେତ୍ରୀ ଡେରା ପକାଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସାକ୍ଷାତ କରୁଥିବା ଶୁଣିବାକୁ ମିଳୁଛି।

ମୟୂରଭଞ୍ଜ ଲୋକସଭା ଆସନକୁ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତିମୋର୍ଚାକୁ ଛାଡ଼ିଦେବ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। କିନ୍ତୁ ସଂପୃକ୍ତ ଜିଲ୍ଲାର କଂଗ୍ରେସ କର୍ମୀମାନେ ଏଭଳି ନିଷ୍ପତ୍ତି ସପକ୍ଷରେ ନାହାନ୍ତି। ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସେ ଆଶାୟୀ ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ସୁଶୀଲା ତିରିଆ। କଂଗ୍ରେସର ଏଭଳି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଜିଲ୍ଲାର ଅନେକ ନେତା ଓ କର୍ମୀ ଦିଲ୍ଲୀରେ ଡେରା ପକାଇଛନ୍ତିି। ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ପ୍ରଦାନ ହେଉ ବା ମୟୂରଭଞ୍ଜ ଭଳି କିଛି ପ୍ରସଙ୍ଗକୁ ବିଚାରକୁ ନେଇ ସ୍କ୍ରିନିଂ କମିଟିର ଶେଷ ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ଫଳରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ବଡ଼ ଧରଣର ପରିବର୍ତନ ହେବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର