ଦିବ୍ୟଶଙ୍କରଙ୍କ ଉତ୍ତରକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ କାର୍ଯ୍ୟକଳାପରେ ଓଡିଶା ଅଶାନ୍ତ ହୋଇ ପଡ଼ିଥିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ କିଛି ଅଭିଯୋଗ ରହିଥିବାରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ କହିବାରୁ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଟଗୋଳ କରିଛନ୍ତି ।

ଅନ୍ୟପଟେ ବି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବି ସମାନ ପ୍ରସଙ୍ଗ ଉଠାଇ ଦାବି କରିଛନ୍ତି ଯେ ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ । ମୁଲତବୀ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଶାନ୍ତିର ଓଡିଶା ଆଜି ବଦଳି ଯାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ମହିଳାମାନେ ଅସୁରକ୍ଷିତ ହୋଇଥିବାବେଳେ ଦିନ ଦ୍ୱିପ୍ରହରରେ ଚୋରି, ଲୁଟ,ହତ୍ୟା ଭଳି ଘଟଣା ଘଟୁଛି | ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଦେବା ଭଳି ଘଟଣା ପରେ ବି ବିଜେଡିରୁ ସେ ନିଲମ୍ବିତ ହେଲେ କି ନାହିଁ ତାହା ଆଜି ପର୍ଯ୍ୟନ୍ତ ବାଚସ୍ପତିଙ୍କୁ ଜଣାଗଲା ନାହିଁ।

ଏହା ସହ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା ଉଠାଇ ସରକାରଙ୍କୁ କଡା ସମାଲୋଚନା କଲେ ମୋହନ । ମମିତା ହତ୍ୟାକାଣ୍ଡ ଓ ମାନସ ହତ୍ୟାକାଣ୍ଡ ସମାନ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିବାବେଳେ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କ ସହ ବଡ଼ବଡ଼ିଆ ଲୋକଙ୍କ ସମ୍ପର୍କ ରହିଥିବା ଅଭିଯୋଗ ରହିଛି । ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି କଂଗ୍ରେସର ଦାବିକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇ ଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।

ସମ୍ବନ୍ଧିତ ଖବର