ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୪ ମସିହାରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୦୭ ଡଲାରରୁ ବଢ଼ି ୧୩୫ ଡଲାର୍‌ ହୋଇଥିଲା। କିନ୍ତୁ ସେତେବେଳେ ପେଟ୍ରୋଲ ମୂଲ୍ୟ ୪୨ ଟଙ୍କା ଓ ଡିଜେଲ୍‌ ୩୫ ଟଙ୍କା ଥିଲା। କିନ୍ତୁ ଆଜି ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୪୦ରୁ ୩୭ ଡଲାରକୁ ଖସି ଆସିଲାଣି। ତଥାପି ପେଟ୍ରୋଲ୍‌ ଦାମ୍‌ ଲିଟର ପିଛା ୭୮ ଓ ଡିଜେଲ୍‌ ଦାମ୍‌ ୭୫ ଟଙ୍କାରେ ପହଞ୍ଚିଛି। ଗତ ଏକ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଉପରେ ୭ରୁ ୮ଟଙ୍କା ବୃଦ୍ଧି କରାଯାଇଛି। ଏପରି ଦରବୃଦ୍ଧି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀ, ଗରିବ ଖଟିକିଆ ସମସ୍ତଙ୍କୁ ବାଧୁଛି। କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରି ଲୋକଙ୍କ ଜୀବନକୁ ଦୁର୍ବିସହ କରିଚାଲିଛନ୍ତି। ଯାତ୍ରୀ ଭଡ଼ା ବଢିଲାଣି ଓ ଆଗକୁ ଆହୁରି ବି ବଢ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତୈଳ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୩୨ ଟଙ୍କା ନେଉଥିବାବେଳେ ରାଜ୍ୟକୁ ଅର୍ଥ କମିସନଙ୍କ ସୁପାରିସ ଅନଯାୟୀ ସେଥିରୁ ମାତ୍ର ୪୧% ଭାଗ ଦେଉଛନ୍ତି। ଏଥିରେ ଓଡ଼ିଶାକୁ ମିଳୁଛି ୩.୪୬%। କିନ୍ତୁ ୟୁପିଏ ସରକାର ସମୟରେ ଉତ୍ପାଦ ଶୁଳ୍କରୁ ରାଜ୍ୟମାନେ ୪୨% ପାଉଥିଲେ।

ବିଶେଷକରି ଓଡ଼ିଶାର ଜନସାଧାରଣ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ସେମାନଙ୍କ ଉପରେ ଅଧିକରୁ ଅଧିକ ଆର୍ଥକ ବୋଝ ଲଦି ଦିଆଯାଇଛି। ଯାହାକି ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ନ ଦେଇ ଭାଟ ବୃଦ୍ଧି କରିଛନ୍ତି। ଯଥାଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ୍‌ର ବର୍ଦ୍ଧିତ ମୂଲ୍ୟ କମ କରିବାକୁ ଉଦ୍ୟମ କରିବାକୁ ଦଳ ଦାବି କରିଛି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଜ୍ଞାନଦେବ ବେଉରା, ବିପିନ ଦାସ, ଯଜ୍ଞେଶ୍ବର ବାବୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର