ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ଗର୍ଜିଲେ

ରାଜ୍ୟ ସରକାରଙ୍କ ଭୂମିକା ସବୁଦିନ ପାଇଁ ସନ୍ଦେହ ଘେରରେ ରହିଗଲା: ବିଜୟ ମହାପାତ୍ର
କୋହ ସମ୍ବରଣ କରିପାରିଲେନି ବିଧାୟକ ସୁର ରାଉତରାୟ
ସଂକ୍ରମଣର ଶିକାର ନ ହେବେ ବିରୋଧୀ ଗ୍ୟାରେଣ୍ଟି ଦେବେ କି: ପ୍ରମିଳା

ଭୁବନେଶ୍ବର : ରଥଯାତ୍ରା ଚଳିତ ବର୍ଷ ହେବନି। ଗତକାଲି ସୁପ୍ରିମକୋର୍ଟଙ୍କ ରହିତାଦେଶକୁ ନେଇ ଆଜି ଦିନ ତମାମ୍‌ ଘଣ୍ଟାଚକଟା ଚାଲିଥିବାବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତକାଲିର ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। କହିଛନ୍ତି, ରଥଯାତ୍ରା ନ କରିବା ପାଇଁ ସରକାରୀ ସ୍ତରରେ ଚକ୍ରାନ୍ତ ହୋଇଥିଲା। ଯେଉଁଥିରେ କି ଚକ୍ରାନ୍ତକାରୀମାନେ ସଫଳ ହୋଇଛନ୍ତି। ଜୁନ୍‌ ୧୮ ତାରିଖଟି ଇତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିବ। ରାଜ୍ୟ ସରକାର କୋର୍ଟରେ ନିଜ ପକ୍ଷ ନ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିପାଇଁ ସବୁବେଳେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠିବ। ସରକାରଙ୍କୁ ଦାୟୀ କରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କାନ୍ଦି ପକାଇଲେ। ବିରୋଧୀଙ୍କୁ ଜବାବ ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କୋର୍ଟଙ୍କ ଆଦେଶକୁ ସମସ୍ତେ ଗ୍ରହଣ କରିବା ଉଚିତ୍‌। ରଥଯାତ୍ରା ହେଲେ ଯଦି ମହାମାରୀ ବ୍ୟାପିଲା ତାହେଲେ ବିରୋଧୀ ଦାୟୀ ରହିବେ କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାପାତ୍ର ଅଭିଯୋଗ କରି କହିଥିଲେ, ଗତକାଲି ଯାହା ଘଟିଲା ଓଡ଼ିଶା ଇତିହାସରେ ଏପରି ଘଟଣା କେବେବି ଘଟି ନଥିଲା। କରୋନା ପାଇଁ ସମସ୍ତେ ସତର୍କ ରହିବା ସ୍ବାଭାବିକ୍। ମହାମାରୀ ନିୟନ୍ତ୍ରଣ ପାଇଁ ସରକାର ଯେତେବେଳେ ଯାହା ପଦକ୍ଷେପ ନେଇଛନ୍ତି, ତାକୁ ସମସ୍ତେ ସମର୍ଥନ ଦେଇଛନ୍ତି। ସ୍ନାନ ଯାତ୍ରାଠାରୁ ଆଜି ପର୍ଯ୍ୟନ୍ତ ସବୁ ନୀତିକାନ୍ତି କଟକଣା ଭିତରେ ସମ୍ପନ୍ନ ହୋଇଛି। ହଠାତ୍‌ ଶେଷ ମୁହୂର୍ତ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ଯେପରି ନିର୍ଦ୍ଦେଶ ଦେଲେ ତାକୁ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ସନ୍ଦେହ ଘେରରେ ରହିଲେ। ଗତକାଲି ସୁପ୍ରିମକୋର୍ଟ ଦେଇଥିବା ରହିତାଦେଶକୁ ଅନୁଧ୍ୟାନ କଲେ ୩ଟି ପ୍ରମୁଖ କଥା ସାମନାକୁ ଆସୁଛି। ପ୍ରଥମଟି ହେଲା କଟକଣା ଭିତରେ ସ୍ନାନଯାତ୍ରା ପାଇଁ ସରୁଖୁରୁରେ ସବୁ ନୀତିକାନ୍ତି କରିବାକୁ ସରକାର କିପରି ବ୍ୟବସ୍ଥା କରିଥିଲେ। ଦ୍ବିତୀୟଟି ହେଉଛି, ମନ୍ଦିର ପରିଚାଳନା କମିଟି ଥରେ ନୁହେଁ ଦୁଇଥର ସୁରକ୍ଷିତ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ତୃତୀୟଟି ହେଲା ପରିଚାଳନା କମିଟି ପ୍ରସ୍ତାବ ଦେବା ଦିନଠାରୁ ସରକାର ନୀରବ ରହିଲେ। ଏଥିରୁ ସ୍ପଷ୍ଟ ହେଉଛି, ଆରମ୍ଭରୁ ହିଁ ରଥଯାତ୍ରା କରିବା ପାଇଁ ସରକାରଙ୍କ ଆନ୍ତରିକତା ନଥିଲା। ଅନ୍ତତଃପକ୍ଷେ ସରକାର ନିଜର ପ୍ରସ୍ତୁତି ନେଇ ଗତକାଲି କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରିପାରିଥାନ୍ତେ। ୧୦ ଲକ୍ଷ ଲୋକଙ୍କ ସମାଗମ ହେବା ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ। ରଥଯାତ୍ରା ପ୍ରସ୍ତୁତି ଭିତରେ ସମସ୍ତ ସେବାୟତମାନଙ୍କର କୋଭିଡ୍‌ ଟେଷ୍ଟ ବି ହୋଇଛି। ଦାମୀ ଓକିଲ ଦେଇ ମାମଲା ଲଢ଼ିଲେ। ରାଜକୋଷରୁ ବହୁ ଅର୍ଥ ବ୍ୟୟ ହେଲା। ଅଥଚ କୋର୍ଟରେ ନିଜ ପକ୍ଷ ସରକାର ରଖିଲେନି। ନିଜର ପକ୍ଷ ରଖିବାକୁ ସରକାର କାହିଁକି ପଛଘୁଞ୍ଚା ଦେଲେ ଏହି ପ୍ରଶ୍ନ ସରକାରଙ୍କ ଉପରେ ସବୁବେଳେ ଉଠିବ।

ଏବେ ଠାକୁରମାନଙ୍କ ପରବର୍ତ୍ତୀ ନୀତିକାନ୍ତି କେମିତି ହେବ ସେଥିପାଇଁ ସରକାର ଆନ୍ତରିକତାର ସହ ନିଷ୍ଠାବାନ୍‌ ହୋଇ ପଦକ୍ଷେପ ନିଅନ୍ତୁ। ଯଥାଶୀଘ୍ର ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ଶ୍ରୀ ମହାପାତ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ରଥ ଯାତ୍ରା ବନ୍ଦ ହେବା ନେଇ ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଥିଲୁ। ଚଳିତବର୍ଷ ଏ ସୁଯୋଗ ଆଉ ମିଳିବନି ବୋଲି କୋହଭରା କଣ୍ଠରେ ବିଧାୟକ ଶ୍ରୀ ରାଉତରାୟ କହିଥିଲେ।

ବିରୋଧୀଙ୍କୁ ଜବାବ ଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଥିଲେ, ରଥଯାତ୍ରା ବନ୍ଦ କରିବାକୁ ସରକାର କୌଣସି ପ୍ରକାର ଚକ୍ରାନ୍ତ କରିନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଯେପରି ବ୍ୟାପିଚାଲିଛି ରଥଯାତ୍ରା ହେଲେ କେହି ଯେ ଏହି ସଂକ୍ରମଣର ଶିକାର ନ ହେବେ ସେ ଗ୍ୟାରେଣ୍ଟି ବିରୋଧୀ ଦେଇପାରିବେ କି? ମନ୍ଦିର ଭିତରେ ସ୍ନାନଯାତ୍ରା ହୁଏ କିନ୍ତୁ ରଥଯାତ୍ରାରେ ଶ୍ରୀଜିଉମାନଙ୍କୁ ମନ୍ଦିର ବାହାରକୁ ଆଣିବାକୁ ପଡ଼ିଥାଏ। ମହାପ୍ରଭୁଙ୍କର ଉଭୟ ଯାତ୍ରା ଭିତରେ ଫରକ୍‌ ଥିବା କଥାଟି ବିରୋଧୀ ଦଳ ବୁଝିବା ଉଚିତ୍‌।

ସମ୍ବନ୍ଧିତ ଖବର