ଶ୍ରମିକ ଉପକରଣ କିଣାରେ ୩୦୦ କୋଟିର ଦୁର୍ନୀତି: କଂଗ୍ରେସ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇସ୍ତଫା ଦାବି

ଭୁବନେଶ୍ବର : କରୋନା ମହାମାରୀ ସମୟରେ ମେଡିକାଲ ସଂରଜାମ କିଣାରେ ଦୁର୍ନୀତି ଅଭିଯୋଗ ଆଣିଥିଲା କଂଗ୍ରେସ। ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର କରାଯାଇଛି। ଏହି ଚର୍ଚ୍ଚା ଥମି ନ ଥିବାବେଳେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଶ୍ରମିକମାନଙ୍କ ଉପକରଣ କିଣାରେ ୩୦୦ କୋଟି ଟଙ୍କାର ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଏହି ଦୁର୍ନୀତି ପଛରେ ଶ୍ରମ ମନ୍ତ୍ରୀଙ୍କ ହାତ ରହିଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦଳ ଦାବି କରିଛି।

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମାଝୀ ଅଭିଯୋଗ କରିଥିଲେ, ରାଜ୍ୟ ସରକାର ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି। ଶ୍ରମିକମାନଙ୍କ ପାଇଁ ସରକାର ଯୋଗାଇଥିବା ଉପକରଣ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ତଥ୍ୟ ପ୍ରମାଣ ଦେଇ ପିସିସି କାର୍ଯ୍ୟକାରୀ ସଭାପତି କହିଥିଲେ, ୩୦ଟି ଜିଲ୍ଲାରେ ମୋଟ ୨୮ ଲକ୍ଷ ୨୨ ହଜାର ୬୯୬ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ନିମନ୍ତେ ୧ ହଜାର ଓ ଉପକରଣ ନିମନ୍ତେ ୩,୯୯୯ ଟଙ୍କା ଲେଖାଏଁ ମୋଟ୍‌ ୪,୯୯୯ ଟଙ୍କା ପ୍ରଦାନ କରିଥାଏ। ଉପକରଣ କିଣିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଟେଣ୍ଡର ଆହ୍ବାନ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଏହି କାର୍ଯ୍ୟର ତଦାରଖ କରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ଉପକରଣ ଗୁଡ଼ିକର ପ୍ରକୃତ ଦାମଠାରୁ ଯଥେଷ୍ଟ ଅଧିକ ଦାମରେ କିଣାଯାଇ ସରକାରୀ ରାଜକୋଷକୁ ଲୁଟ୍‌ କରାଯାଇଛି। ମାଲକାନଗିରି, ଅନୁଗୁଳ ଓ କଟକ ଜିଲ୍ଲାକୁ ଉଦାହରଣ ଦେଇ ଶ୍ରୀ ମାଝୀ କହିଥିଲେ, ଗୋଟିଏ ବେଲଚାର ଦାମ୍‌ ବଜାରରେ ୧୭୦ ଟଙ୍କା ରହିଥିବାବେଳେ ସରକାର ଏହାକୁ ୩୯୭ ଟଙ୍କାରେ କିଣିଛନ୍ତି। ସେହିଭଳି ଶ୍ରମିକଙ୍କ ଯୋତା ୧୧୦ ଟଙ୍କାରୁ ୨୮୦ ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ ସରକାର ୪୧୩ ଟଙ୍କାରେ କିଣିଛନ୍ତି। ମାସ୍କ୍‌ ଦାମ୍‌ ୨ ଟଙ୍କା ୫୦ ପଇସାରୁ ୧୦ ଟଙ୍କା ଥିବାବେଳେ ସରକାର ପ୍ରତି ମାସ୍କ୍‌କୁ ୮୦ ଟଙ୍କାରେ କିଣିଛନ୍ତି।

ଭୁବନେଶ୍ବର ଓ ଅନୁଗୁଳରେ ଉପକରଣ ସପ୍ଲାଇ କରିଥିବା କେତେଜଣ ନିର୍ଦ୍ଦିଷ୍ଟ ସଂସ୍ଥା ବିରୋଧରେ ଶ୍ରୀ ମାଝୀ ଅଭିଯୋଗ ଆଣି କହିଥିଲେ, ଭୁବନେଶ୍ବର ବମିଖାଲର ଭାରତ ଇଣ୍ଡଷ୍ଟ୍ରିଆଲ୍‌ କର୍ପୋରେସନ୍‌ ଠାରୁ ବିଜୟା ଷ୍ଟିଲ୍‌ କିଣିଥିଲେ। ପରେ ବିଜୟା ଷ୍ଟିଲ୍‌ ଅନୁଗୁଳରୁ ମିରାନିୟା ଏଣ୍ଟରପ୍ରାଇଜେସ୍‌ ନାମରେ ବିଲ୍‌ କରି ସରକାରଙ୍କୁ ଚଢ଼ା ଦାମରେ ବିକ୍ରି କରିଥିଲା। ସେହିପରି କୋଲକାତାର ମା’ ଦୁର୍ଗା ଏଣ୍ଟରପ୍ରାଇଜେସ୍‌ ଠାରୁ ମିରାନିୟା ଏଣ୍ଟରପ୍ରାଇଜେସ୍‌ କିଣିଥିବା ବିଭିନ୍ନ ସଂରଜାମକୁ ୩ରୁ ୪ଗୁଣ ଚଢ଼ା ଦରରେ ସରକାର କିଣିଛନ୍ତି। ଏହିପରି ଗତବର୍ଷ ସବୁ ଜିଲ୍ଲା ପାଇଁ ଶ୍ରମିକମାନଙ୍କ ପାଇଁ ଉପକରଣ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ରକୃତ ଦାମଠାରୁ ଅଧିକ ଦାମ୍‌ରେ କିଣାଯାଇ କୋଟି କୋଟି ଟଙ୍କା ଆତ୍ମସାତ୍‌ କରାଯାଇଛି। ଗରିବଙ୍କ ପାଇଁ କାନ୍ଦୁଥିବା ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଖୁବ ଶୀଘ୍ର ତଦନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରୀ ମାଝୀ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର