ଜୟପୁର/ବୋରିଗୁମ୍ମା: ୧୭ବର୍ଷର ଶାସନ କାଳରେ ନବୀନ ପଟ୍ଟନାୟକ ମଦ ବିକ୍ରି ବୃଦ୍ଧି କରିବାକୁ ପ୍ରଚାର ପ୍ରସାର କରି ଚାଲିଛନ୍ତି। ଆଦିବାସୀ ଓ ହରିଜନଙ୍କୁ ମରଣ ମୁହଁକୁ ଠେଲି ଦେଇ ବହୁ ପରିବାର ଉଜାଡି ସାରିଲେଣି। ଅବିଭକ୍ତ କୋରାପୁଟ ଜିଲ୍ଲାର ଗାଁ ଗାଁରେ ପାଣି କମ୍ ମଦ ପ୍ରଚୁର ମିଳୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣନୀତି ଯୋଗୁଁ ରାଜ୍ୟବାସୀଙ୍କ ଅବସ୍ଥା ଦୁର୍ବିସହ ହେଲାଣି। ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ୩୩ ତମ ତିରୋଧାନ ଦିବସ ଅବସରରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଆୟୋଜିତ ମଦ ବିରୋଧୀ ସମାବେଶରେ ଯୋଗଦେଇ ଏହି କଥା କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ପୁଣି କହିଥିଲେ ଯେ, ସାଢେ ତିନିବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏ ସରକାର ଓ ୧୭ ବର୍ଷ ଶାସନ ଗାଦିରେ ବସିଥିବା ବିଜେଡି ସରକାର ଗରିବ, ଆଦିବାସୀ ଓ ଖଟିଖିଆଙ୍କ ହକ୍ ଛଡାଇ ନେଇ ତହାରେ ମଦ ଧରାଇ ଦେଇଛନ୍ତି। ବହୁ ପରିବାର ଉଜୁଡିଯିବା ସତ୍ୱେ କ୍ଷମତା ଅହଂକାରରେ ଥିବା ସରକାରଙ୍କ ଉପରେ କୌଣସି ଫରକ ପଡୁନାହିଁ। ମଦ ଯୋଗୁଁ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ବିଧବା ଭତ୍ତା ଦେଇ ବିକାଶ କଥା କହୁଛନ୍ତି। ଲୋକେ ସବୁଜାଣିଲେଣି। ୨୦୧୯ ସାଧାରଣ ନିର୍ବାଚନରେ ଲୋକେ ଏହାର ଠିକଣା ଜବାବ ଦେବେ ବୋଲି କହିଥିଲେ।
ଏହି ସମାବେଶରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେଇ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ମଦର ପ୍ରସାର ଓ ପ୍ରଚାର କରି ଆଦିବାସୀଙ୍କ ସଂହାର ଆରମ୍ଭ କରିଛନ୍ତି। ଏନଡିଏ ସରକାର ୟୁପିଏ ସରକାରଙ୍କ ଏକାଧିକ ଯୋଜନାକୁ ହାଡପ କରି ନିଜ ନାମରେ ପୁଣି କାର୍ଯ୍ୟକାରୀ କରୁଛନ୍ତି। କିଛି ଯୋଜନାକୁ ସଂପୂର୍ଣ୍ଣ ବନ୍ଦ କରି ସାରିଲେଣି। କିଛି ଯୋଜନାରେ ବ୍ୟୟ ବରାଦ କମାଇ ଦେଇ ବନ୍ଦ କରିବାକୁ ଯୋଜନା କରିଛନ୍ତି। ତେଣୁ ଏହି ଦୁଇ ସରକାରଙ୍କୁ ଆଗାମୀ ନିର୍ବାଚନରେ ପାନେ ଦେବାକୁ କଂଗ୍ରେସକୁ ଭଲ ପାଉଥିବା କର୍ମୀମାନେ ପଣ ନେବା ଉଚିତ। ଆମେ ଚାହୁଁ ଶାନ୍ତି, ଆମେ ଚାହୁଁ ମୁକ୍ତି, ଆମେ ଚାହୁଁ ପ୍ରଣତି ଓ କ୍ରାନ୍ତି। ଏହି ନାରା ଦେଇ ଲୋକଙ୍କୁ ସଚେତନ କରିବାକୁ ସେ ମହିଳା କର୍ମୀଙ୍କୁ ଆହ୍ଵାନ ଦେଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଶାସନ ମୃତ ସୈନିକ ପାଲଟି ଗଲାଣି। ବିଜେଡି ନେତାଙ୍କ ଇଙ୍ଗିତରେ କୋରାପୁଟରେ ଶାସନ ଚାଲିଛି। ପ୍ରଶାସନିକ ଅଧିକାରୀମାନେ ବିଜେଡିର ସରକାରୀ ଗୁଣ୍ଡା ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ୨୦୧୪ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଆସନରୁ କଂଗ୍ରେସ ୪ଟି ଦଖଲ କରିଥିଲା। ୨୦୧୯ ନିର୍ବାଚନରେ ସମସ୍ତ ୫ଟି ଯାକ ଆସନ ଦାଖଲ କରିବାକୁ ସେ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ।
ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଯେଉଁ ଦଳ ସହ ସମ୍ପୃକ୍ତ ଆତତାୟୀ ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କଲା ତା’ ନାମରେ ମନ୍ଦିର ତିଆରି କରିବା ସହ ଦେଶରେ ସ୍ୱତନ୍ତ୍ର ପଦବି ଦେବାକୁ ପ୍ରସ୍ତୁତ ହେଉଛି। ଲୌହମାନବୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ଦଳ ଏବେ କେନ୍ଦ୍ରରେ ଶାସନ କରି ଧର୍ମକୁ ଆଖିଠାର ମାରୁଛି। ବିମୁଦ୍ରୀକରଣ ଓ ଜିଏସଟି ପରି ପଦକ୍ଷେପ ନେଇ ଏହି ସରକାର ଦେଶର ଅର୍ଥନୀତିକୁ ବାଟବଣା କରିଛି ବୋଲି ଶ୍ରୀ ବେହେରା କହିଥିଲେ।
ବିଧାୟକ ତାରା ପ୍ରସାଦ ବାହିନୀପତି ଗାଁ ଗାଁରେ ପାଣି କମ ମିଳୁଛି। ମଦ କିନ୍ତୁ ପ୍ରଚୁର ମିଳୁଥିବା ଅଭିଯୋଗ କରିଥିଲେ। ବିହାରୀ ମଦ ପାଉଚ ଦେଇ ଆଦିବାସୀଙ୍କୁ ମାଟି କରିଦେଲାଣି ଏ ଅପାରଗ ସରକାର। ଗାଁରେ ଗାଁରେ ଦେଶୀ ମଦ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଓ ପ୍ରଶାସନ ଦେଖି ନ ଦେଖିଲା ଭଳିି ରହୁଛନ୍ତି। ବିହାରରରେ ମଦ ବିକ୍ରି ବନ୍ଦ ହେବା ପରେ ଓଡ଼ିଶା ଉପରେ ବିହାରୀ ମଦ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ଏମାନେ ପଶି ପାରୁ ନ ଥିବା ବେଳେ ପଶ୍ଚିମ ଓଡ଼ିଶା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଛି ରାଜନେତାଙ୍କୁ କୋଟି କୋଟି ଟଙ୍କା ଦେଇ ମଦ ଭାଟି ଖୋଲି ଚାଲିଛନ୍ତି। ଯେତିକି ବିକ୍ରି କରିବାର ଅନୁମତି ଅଛି ତାହାଠାରୁ ୧୦ଗୁଣ ଅଧିକ ଉତ୍ପାଦନ କରି ପରିବାର ଉଜାଡି ଚାଲିଛନ୍ତି ବୋଲି ସେ କହିଛନ୍ତି।
ନାରୀନେତ୍ରୀ ତଥା ମଦ ବିରୋଧୀ ଆନ୍ଦୋଳନର ପୁରୋଧା ସୁମନି ଝୋଡିଆ କହିଥିଲେ ଯେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ମଦ ବିରୋଧରେ ଲଢିବାକୁ ଆମକୁ ଏସପିଙ୍କ କ୍ଷମତା ମିଳିଥିଲା। ଏବେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଶାସନରେ ରହି ମଦ ବିକ୍ରି କରି ପାରିବାରିକ ଅଶାନ୍ତି ବଢାଇଛନ୍ତି। ଏହା ବିରୋଧରେ କଡ଼ା ଲଢେଇ ହେବ। ମା, ଭଉଣୀ ଓ ଝିଅମାନେ କାନିକୁ ଅଣ୍ଟିରେ ଭିଡି ଠେଙ୍ଗା ଧରିବା ଉଚିତ। ଯେଉଁଠି ମଦ ବିକ୍ରି ହେଉଛି ସେଠି ପଶି ଭାଙ୍ଗିବାକୁ ସେ ଆହ୍ଵାନ ଦେଇଥିଲେ।