ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଦ୍ୱିତୀୟ ଭାଗ ହେଲା ମୋଦୀ ସରକାର: କଂଗ୍ରେସ ମୁଖପାତ୍ର

ଏନ୍‌ଆର୍‌ସି, ସିଏଏ, ଏନପିଆର୍‌ କରି ଦେଶକୁ ଭାଗ ଭାଗ କରିବାକୁ ଉଦ୍ୟମ
ଏବେ ଦେଶର ସମ୍ବିଧାନ ବିପଦରେ
୬ ବର୍ଷ ଶାସନରେ ଦେଶର ଋଣଭାର ୫୦ ଲକ୍ଷ କୋଟି
ବିମୁଦ୍ରୀକରଣ, ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବାସ୍ତବ ଅଭିବୃଦ୍ଧି ୨.୩%ରେ ପହଞ୍ଚିଛି
ବିଜେଡି ସିଏଏକୁ ସମର୍ଥନ କରି ଏନଆରସି ବିରୋଧ କରିବା ହାସ୍ୟାସ୍ପଦ
କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଦଳ ଲୋକଙ୍କ ପାଖକୁ ଯିବ

ଭୁବନେଶ୍ବର : କେନ୍ଦ୍ରରେ ଥିବା ମୋଦୀ ସରକାର ଭାରତବର୍ଷର ଦୁର୍ଦ୍ଦିନର କାରଣ। ପରାଧୀନ ଭାରତରେ ବ୍ରିଟିଶ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଯେପରି ଭାରତକୁ ଶାସନ କରୁଥିଲା ସେହିଭଳି ଏବର କେନ୍ଦ୍ର ସରକାର ଇଷ୍ଟ୍‌ ଇଣ୍ଡିଆ କମ୍ପାନୀର ଭାଗ ଦୁଇ ଭଳି କାମ କରୁଛି। ଆଜି ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ଏପରି ସମାଲୋଚନା କରିଛନ୍ତି ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂହ। ମୋଦୀ ସରକାରଙ୍କ ମନମୁଖୀ ନୀତି ଯୋଗୁଁ ଏବେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ବିରୋଧରେ ଦଳ ସଂଗ୍ରାମ ଜାରି ରଖିବା ସହ ଲୋକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ଶ୍ରୀ ସିଂହ ମାଳ ମାଳ ଅଭିଯୋଗ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରେ କଳାଧନ ଫେରାଇ ଆଣିବା ଏବଂ ଦେଶ ଭିତରେ ଥିବା କଳାଧନକୁ ଜବତ କରିବା ପାଇଁ ବିମୁଦ୍ରୀକରଣ କରାଗଲା। କିନ୍ତୁ ବିଦେଶରୁ କେତେ କଳାଧନ ଆସିଲା ତାହା କେହି ଜାଣିପାରିଲେ ନାହିଁ। ଦେଶ ଭିତରୁ କେତେ କଳାଧନ ଜବତ ହେଲା ସେସବୁ ତଥ୍ୟ ଦେଶବାସୀଙ୍କ ଆଗରେ ରଖାଗଲାନି। ଦେଶର ଅର୍ଥନୀତି ଆଜି ରସାତଳକୁ ଗଲାଣି। ବିମୁଦ୍ରୀକରଣ ଓ ଭୁଲ ଅର୍ଥନୀତି ଯୋଗୁଁ ଅଭିବୃଦ୍ଧି ହାର ୪.୩% ବୋଲି ହିସାବ କରାଯାଇଛି। କିନ୍ତୁ ବାସ୍ତବରେ ଜିଡିପି ୨.୩%ରେ ପହଞ୍ଚିଛି। ପ୍ରତିବର୍ଷ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ବେରେଜଗାରୀ ଅସହ୍ୟ ହେଲାଣି। ନିଜର ବନ୍ଧୁ ବ୍ୟବସାୟୀଙ୍କୁ ୬ ଲକ୍ଷ କୋଟିର ଋଣ ଛାଡ଼ କରାଯାଇଛି। ବ୍ୟାଙ୍କମାନଙ୍କ ଅନାଦେୟ ଋଣ ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ୧୯୪୭ରୁ ୨୦୧୪ ଭିତରେ ଦେଶର ଋଣଭାର ୪୮ ଲକ୍ଷ କୋଟିରେ ପହଞ୍ଚିଥିଲା। କିନ୍ତୁ ମୋଦୀ ସରକାରଙ୍କ ମାତ୍ର ୬ ବର୍ଷ ଭିତରେ ଋଣଭାର ପରିମାଣ ୫୦ ଲକ୍ଷ କୋଟିରେ ପହଞ୍ଚିଲାଣି। ଡାଲି, ଚିନି, ପିଆଜ, ଖାଇବାତେଲ, ଆଳୁ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ ହେଲାଣି।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସମ୍ବିଧାନର ମୂଳମନ୍ତ୍ର ଏବଂ ଉଦ୍ଦେଶ୍ୟକୁ ଛାରଖାର କରିଦେଇଛନ୍ତି। ଆଜି ଜାତି ଜାତି ଭିତରେ ବିଭାଜନ କରିବାକୁ ଉଦ୍ୟମ କରାଯାଉଛି। ପ୍ରଥମେ ଏନଆରସି ଲାଗୁ କରିବା ନେଇ ଯୋଜନା କରାଗଲା। କିନ୍ତୁ ବିରୋଧ ହେବାରୁ ସିଏଏ କଲେ। ଏବେ ଏନପିଆର କରିବାକୁ ଉଦ୍ୟମ କରି ଖୋଦ୍‌ ଭାରତୀୟ ନାଗରିକଙ୍କୁ ପିତା ମାତାଙ୍କ ପ୍ରମାଣ ଦେବାକୁ କୁହାଯାଉଛି। ଜନଗଣନା ପାଇଁ ଏନପିଆରର ଆବଶ୍ୟକତା କଣ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଥିଲେ। ଏହା ଭାରତର ଗାରିମା, ଗୌରବ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକତା, ସଂହତି ଓ ଭାତୃତ୍ବ ଭାବ ଆଜି କେଉଁଠି ନା କେଉଁଠି ଭୂଲୁଣ୍ଠିତ ହେବାକୁ ବସିଲାଣି ବୋଲି ଶ୍ରୀ ସିଂହ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ‘ବେଟି ବଚାଓ, ବେଟି ପଢ଼ାଓ’ ନାରା ଦେଉଥିବା କେନ୍ଦ୍ର ସରକାରଙ୍କର ପୂର୍ବତନ ମନ୍ତ୍ରୀ ଏବଂ ବିଜେପି ବିଧାୟକ ନାରୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ମହିଳାଙ୍କୁ ଅତ୍ୟାଚାର କରୁଥିବା ଅଭିଯୁକ୍ତ ଖୁଲମଖୁଲା ବୁଲୁଛି। ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଉଜ୍ଜ୍ବଳା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ପ୍ରମାଣିତ ହୋଇଛି। ଆଜି ଦେଶର ସବୁ ସାମ୍ବିଧାନିକ ଅନୁଷ୍ଠାନର ବିଦ୍ଧି ବ୍ୟବସ୍ଥାକୁ ମୋଡ଼ିମାଡ଼ି ନିଜକୁ ସୁହାଇଲାଭଳି ବ୍ୟବହାର କରାଯାଉଛି। ରିଜର୍ଭ ବ୍ୟାଙ୍କରୁ ୧ ଲକ୍ଷ ୬୭ କୋଟି ଟଙ୍କାର ଅର୍ଥ କାଢ଼ି ନିଆଗଲା। ବିଜେଡିକୁ ଟାର୍ଗେଟ୍‌ କରି ଶ୍ରୀ ସିଂହ ଅଭିଯୋଗ କରିଥିଲେ ଓଡ଼ିଶାରେ ବିଜେଡି ସରକାର ଦୋମୁହାଁ ନୀତି ଆପଣାଇଛନ୍ତି। ସିଏଏ ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ ଦେଇଥିବାବେଳେ ଏନଆରସିକୁ ନେଇ ବିରୋଧ କରିବା ଏହାର ପ୍ରମାଣ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର