୭ରୁ କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା

ଭୁବନେଶ୍ବର : ଆସନ୍ତା ୭ତାରିଖରୁ ଆରମ୍ଭ ହେଉଛି କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା। ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ପାଦରେ ଚାଲି ଚାଲି ୧୨ ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୩୫୭୧ କି.ମିରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ। ଧ୍ୱସ୍ତବିଧ୍ୱସ୍ତ ହେବାକୁ ଯାଉଥିବା ଦେଶର ସାମାଜିକ, ଆର୍ଥିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ଏବେ ଅପରିହାର୍ଯ୍ୟ ହୋଇ ପଡ଼ିଛି। ଭାରତ ଯୋଡ଼ୋ ଅଭିଯାନ ‘ଭାଇଚାରା’ର ପ୍ରଚାର ପ୍ରସାର କରିବା ପାଇଁ ପ୍ରେରିତ କାରଣରୁ ଏହି ଅଭିଯାନରେ ଓଡ଼ିଶାର ସମସ୍ତ ଶାନ୍ତି, ଭାଇଚାରା ଓ ଅହିଂସାପ୍ରେମୀ ଜନସାଧାରଣ ଏହାକୁ ସମର୍ଥନ କରିବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

କନ୍ୟାକୁମାରୀରୁ ଆରମ୍ଭ ହୋଇ ଜମ୍ମୁ ଓ କଶ୍ମୀରରେ ଶେଷ ହେବ
୩୫୭୧ କି.ମି ରାସ୍ତା ପାଦରେ ଚାଲି ଲୋକଙ୍କ କଥା ଓ ବ୍ୟଥା ବୁଝିବେ ରାହୁଲ

ସୋମବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଅନସୁଲ ଅଭିଜିତ କହିଲେ, ବିଜେପି ଓ ତା ସହିତ ଯୋଡ଼ି ହୋଇଥିବା କିଛି ତତ୍ତ୍ବ ଏବେ ଦେଶକୁ ବିପଦ ଆଡ଼କୁ ଠେଲି ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ବିପଦରେ। ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରି ଦେଶର ସାମାଜିକ, ରାଜନୈତିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚୁରମାର କରିବା ପାଇଁ ଅପଚେଷ୍ଟା ଚାଲିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଯୋଡ଼ିବା ପାଇଁ ଆସନ୍ତା ୭ ତାରିଖରୁ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଡାକରା ଏକ ସ୍ଲୋଗାନ ନୁହେଁ, ବର୍ତମାନ ଘଡ଼ିସନ୍ଧି ମୂର୍ହତର ଏକ ଆବଶ୍ୟକତା। ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ। ଅର୍ଥନୈତିକ ଅସମତା, ସାମାଜିକ ଅସଂହତି ଓ ଅତିକେନ୍ଦ୍ରୀକରଣ। ଦେଶ ସମ୍ମୁଖରେ ଏବେ ଦୁଇଟି ଭବିଷ୍ୟତ। ଗୋଟିଏ ଭାଇଚାରାର ଓ ଅନ୍ୟଟି ଘୃଣା ଓ ବିଦ୍ୱେଷର। ଏହି ଅଭିଯାନ କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜମ୍ମୁ କଶ୍ମୀରରେ ସମାପ୍ତ ହେବ ବୋଲି ଶ୍ରୀ ଅଭିଜିତ ସୂଚନା ଦେଇଛନ୍ତି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଓ ଉତ୍କଟ ବେକାରୀ ଦେଶବାସୀଙ୍କୁ ଏକ ଦୁର୍ଗତି ଭିତରକୁ ଠେଲି ଦେଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧୀ ନୀତି ଯୋଗୁଁ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିରବଦ୍ରଷ୍ଟା ଭାବେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟା ପ୍ରତିବାଦରେ ଆଗାମୀ ଦିନରେ ପଦଯାତ୍ରା କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଭାରତଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ରବୀନ୍ଦ୍ର କୁମାର ସେଠୀ ଓ ଯୁଗ୍ମ ସଂଯୋଜକ ନକୁଳ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର