ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ସର୍କିଟ୍ ହାଉସ୍‌ ନିର୍ମାଣ

ରାଇରଙ୍ଗପୁର: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଗସ୍ତ, ରହଣି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହା ମଧ୍ୟରେ ସେ ଦୁଇଥର ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ନିଜ ଜନ୍ମସ୍ଥାନ କିମ୍ବା ତାଙ୍କ ବର୍ତ୍ତମାନର ବାସସ୍ଥାନ ରାଇରଙ୍ଗପୁରକୁ ଆସିନାହାନ୍ତି। ତେବେ ପରବର୍ତ୍ତୀ ସମୟରେ ସେ ରାଇରଙ୍ଗପୁର ଆସିଲେ ପ୍ରୋଟୋକଲ୍‌ ଦୃଷ୍ଟିରୁ ତାଙ୍କ ରହଣି ତଥା ଆନୁସଙ୍ଗିକ ବ୍ୟବସ୍ଥା ନେଇ ଏକ ସ୍ବତନ୍ତ୍ର ସର୍କିଟ୍ ହାଉସ୍‌ ନିର୍ମାଣ ନିମନ୍ତେ ପ୍ରଶାସନିକସ୍ତରରେ ପ୍ରସ୍ତୁତି ହୋଇଥିଲା।

ଏଥିଲାଗି ଗତ ଅଗଷ୍ଟ ମାସରେ ରାଇରଙ୍ଗପୁର ସହର ଉପକଣ୍ଠ ମହୁଲଡିହା ମୌଜାରେ ଜମି ଆବଣ୍ଟନ ହୋଇଥିଲା। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲୁଡି) ଓ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୭.୮୦ କୋଟି ବ୍ୟୟବରାଦ​ ହୋଇଥିବା ବେଳେ ସର୍କିଟ୍ ହାଉସ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସର୍କିଟ୍ ହାଉସରେ ଶୟନ କକ୍ଷ, ଡ୍ରଇଂରୁମ୍, ସମ୍ମିଳନୀ କକ୍ଷ, ପାର୍କ, ଗାଡିପାର୍କିଂ ସ୍ଥଳ ତଥା ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ନିୟୋଜିତ ଥିବା ପଦାଧିକାରୀ ଓ ସୁରକ୍ଷା ବାହିନୀଙ୍କ ପାଇଁ କକ୍ଷ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଉକ୍ତ ସର୍କିଟ୍ ହାଉସରେ ରାଷ୍ଟ୍ରପତିଙ୍କ ବ୍ୟତୀତ ରାଜ୍ୟପାଳ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ରହିପାରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର