ଗ୍ରାମୀଣ ବାସଗୃହ ଯୋଜନାରେ ହିତାଧିକାରୀଙ୍କ ପାଇଁ ସମ୍ମିଳନୀ

ଭୁବନେଶ୍ବର : ଗ୍ରାମୀଣ ବାସଗୃହ ଯୋଜନାରେ ବାସଗୃହ ପାଇବାକୁ ଥିବା ହିତାଧିକାରୀଙ୍କୁ ସୁରକ୍ଷିତ ବାସଗୃହ ବିଷୟରେ ସଚେତନ କରିବା ପାଇଁ ଆଜିଠାରୁ ଜିଲ୍ଲା ସ୍ତରରେ ହିତାଧିକାରୀ ସମ୍ମିଳନୀ ଆରମ୍ଭ ହୋଇଛି। ହିତାଧିକାରୀଙ୍କ ସମ୍ମିଳନୀ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୧ ତାରିଖରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରର ନକ୍ସା ପ୍ରଦାନ କରାଯିବ।

ଗ୍ରାମୀଣ ଆବାସ ଯୋଜନାରେ ସ୍ବଚ୍ଛତା ଓ ହିତାଧିକାରୀଙ୍କୁ ଯୋଜନା ବିଷୟରେ ସଚେତନ କରିବା ପାଇଁ ଗତ ୧୯ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂହ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। ଏଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ହିତାଧିକାରୀଙ୍କ ସହ ଆଲୋଚନା କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ। ଯୋଜନା ବିଷୟରେ ହିତାଧିକାରୀଙ୍କୁ ଅବଗତ କରାଯିବା ସହ ଟ୍ୟାଗ୍ ଓ ବୈଷୟିକ ଅଧିକାରୀଙ୍କ ସହ ପରିଚିତ କରାଯିବ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ହିତାଧିକାରୀଙ୍କ ମୋବାଇଲରେ ‘ଆମ ଘର’ ଆପ୍ ଲୋଡ୍ କରାଯିବ। ଆସନ୍ତା ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ବାସଗୃହର ଭିଡିଓ କନଫରେସିଂ ଜରିଆରେ ଭିତ୍ତିପ୍ରସ୍ତର ପକାଇବେ। ସେହିପରି ଆସନ୍ତାମାସର ଚତୁର୍ଥ ସପ୍ତାହ ବେଳକୁ ଆଉ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ହିତାଧିକାରୀଙ୍କ ବାସଗୃହ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏତେସଂଖ୍ୟାରେ ବାସଗୃହ ନିର୍ମାଣ ପାଇଁ ବହୁ ପରିମାଣରେ ଇଟା ଆବଶ୍ୟକ ପଡ଼ିବ। ଇଟା ଯୋଗାଇବା ପାଇଁ ବ୍ଲକ ସ୍ତରରେ ବିଡିଓମାନେ ଅନ୍ୟୁନ ୧୦ଟି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଚିହ୍ନଟ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବାସଗୃହ ସମ୍ପୂର୍ଣ୍ଣ ହେବା ପରେ ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଶ୍ରୀ ସିଂହ ଜିଲ୍ଲାପାଳଙ୍କୁ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର