ଉଚ୍ଛେଦ ହେବ ଓଏପିଏମ୍‌ ଆଇନ ୧୯୫୬ : ଚୁକ୍ତିଭିତ୍ତିକ କୃଷି ପାଇଁ ଅଧ୍ୟାଦେଶ

ଚୁକ୍ତିଭିତ୍ତିକ କୃଷି ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ

ଭୁବନେଶ୍ବର : ରାଜ୍ୟରେ କୃଷି ଉତ୍ପାଦନର ସର୍ବୋଚ୍ଚ ମୂଲ୍ୟ ପ୍ରଦାନ କରିବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚୁକ୍ତିଭିତ୍ତିକ କୃଷିକୁ ଅଧିକ ପ୍ରୋତ୍ସାହନ ମିଳିବ। ଏଥିପାଇଁ ରାଜ୍ୟରେ ଥିବା ପୁରୁଣା ଓଡ଼ିଶା କୃଷି ଉତ୍ପାଦନ ମାର୍କେଟ୍‌ ଆଇନ-୧୯୫୬କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ଯେହେତୁ କରୋନା ମହାମାରୀ ପାଇଁ ତାଲାବନ୍ଦ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ବିଧାନସଭା ଅଧିବେଶନ ନଥିବାରୁ ନୂତନ ଆଇନ ପାରିତ କରାଇବାର ସୁଯୋଗ ନାହିଁ। ସେଥିପାଇଁ ଚାଷୀମାନଙ୍କ କୃଷି ଜାତ ଦ୍ରବ୍ୟର ବିକ୍ରିବଟା ଓ ଉଚିତ ମୂଲ୍ୟ ପାଇବା ପାଇଁ ଓଡ଼ିଶା କୃଷି ଉତ୍ପାଦନ ଓ ପଶୁପାଳନ ସଂକ୍ରାନ୍ତ ଚୁକ୍ତିଭିତ୍ତିକ କୃଷି ଓ ସେବା (ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ ୨୦୨୦କୁ ଆଜି କ୍ୟାବିନେଟ୍‌ ମୋହର ଲଗାଇଛି।

ନିଷ୍ପତ୍ତି ମୁତାବକ ଏଣିକି ରାଜ୍ୟର ଚାଷୀମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ଉତ୍ତମ ବଜାର ସୁବିଧା ପାଇବେ। ଏଥିପାଇଁ ଚୁକ୍ତିଭିତ୍ତିକ କୃଷି ପ୍ରତି ଯେପରି ଚାଷୀମାନେ ଆକର୍ଷିତ ହେବେ ସେଥିପାଇଁ ନୂଆ ଅଧ୍ୟାଦେଶରେ ବ୍ୟବସ୍ଥା କରାଯାଇଛି। ଏଥିରେ କୃଷି ଉତ୍ପାଦ ଓ ପ୍ରାଣୀପାଳନ ପାଇଁ ବୀମା ବ୍ୟବସ୍ଥା ରହିବ। କୃଷକ ଜମି କିମ୍ବା ପରିସରରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ। କୌଣସି ଜମିର ଅଧିକାର ଦାବି ପ୍ରାୟୋଜକଙ୍କ ପାଖରେ ରହିବ ନାହିଁ। ଏଫପିଓ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚିହ୍ନଟ କରାଯିବ। କୃଷକମାନଙ୍କ ଦ୍ବାରା ଅନୁମୋଦିତ ଏଫ୍‌ପିଓ ଓ ଏଫ୍‌ପିସିଗୁଡ଼ିକ ଚୁକ୍ତିଭିତ୍ତିକ ଦଳ ଭାବେ କାର୍ଯ୍ୟ କରିବେ। ବିବାଦର ସମାଧାନ ପାଇଁ ସର୍ବନିମ୍ନ ସ୍ତରରେ ସରଳ ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ, ଚୁକ୍ତିଭିତ୍ତିକ କୃଷି ଶିଳ୍ପର ବିକାଶ ପାଇଁ ଗୋଟିଏ ସ୍ବତନ୍ତ୍ର ଭାବେ ରାଜ୍ୟରେ କୃଷି ବିପଣନ ଓ ସୁବିଧା ନିର୍ଦ୍ଦେଶାଳୟ ଗଠନ ହେବ।

ଅଧ୍ୟାଦେଶର ବ୍ୟବସ୍ଥା ଅନୁଯାୟୀ, କୃଷି ଉତ୍ପାଦନ ଓ ପ୍ରାଣୀପାଳନ ବଜାର କମିଟି (ଏପିଏଇଏମସି) ଦ୍ବାରା ଦ୍ବାରା ରାଜ୍ୟସ୍ତରେ ଏକକ ବଜାର ସୃଷ୍ଟି କରାଯିବ। ବେସରକାରୀ ମାର୍କେଟ ୟାର୍ଡ଼, କୃଷକ ବଜାର ୟାର୍ଡ଼, ସବ୍‌-ମାର୍କେଟ୍‌ ୟାର୍ଡ ଓ ମାର୍କେଟ୍‌ ସବ୍‌-ୟାର୍ଡ଼ ଗଠନ ଦ୍ବାରା କୃଷକମାନଙ୍କ ଉତ୍ପାଦନର ବିପଣନ ଓ ଅଧିକ ମୂଲ୍ୟ ପ୍ରଦାନ ପାଇଁ ବଜାର ଭିତରେ ପ୍ରତିଯୋଗିତା ଆସିପାରିବ। ଉନ୍ନତ ବଜାର ସହିତ ଚାଷୀମାନଙ୍କୁ ସଂଯୋଗ କରାଇବା ସହିତ ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ଉପଲବ୍ଧ କରାଯିବ। ସମଗ୍ର ରାଜ୍ୟକୁ ଏନଫୋର୍ସମେଣ୍ଟ୍‌ ଏରିଆ ଭାବରେ ଘୋଷଣା କରାଯିବା ସହ ବାଣିଜ୍ୟ କାର୍ଯ୍ୟରେ ସ୍ବଚ୍ଛତା ବୃଦ୍ଧି ଓ ଭୌଗଳିକ ସ୍ତରରେ ବଜାରର ଏକୀକରଣ ପାଇଁ ଇ-ବାଣିଜ୍ୟର ପ୍ରୋତ୍ସାହନ ଯୋଗାଇବା ପାଇଁ ପ୍ରସ୍ତାବ ରହିଛି। ନୂଆ ବ୍ୟବସ୍ଥା ଅନୁଯାୟୀ ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍‌ସ୍‌ ପ୍ରଦାନ କରାଯିବ। ଏହାସହିତ ପ୍ରତ୍ୟେକ ବଜାର ପାଇଁ ଏକକ ଶୁଳ୍କ ଆଦାୟ ପଏଣ୍ଟର ବ୍ୟବସ୍ଥା ହୋଇଛି। କୃଷିଜାତ ଦ୍ରବ୍ୟ ବିକ୍ରି ନେଇ ଥିବା ଭୌଗଳିକ ପ୍ରତିବନ୍ଧକକୁ ହଟାଇ ଉତ୍ପାଦନକାରୀଙ୍କୁ ସେମାନଙ୍କ ଉତ୍ପାଦନକୁ ରାଜ୍ୟର ଯେ କୌଣସି ସ୍ଥାନରେ ବିକ୍ରି କରିବାକୁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର