ଠିକା ଷ୍ଟାଫ୍‌ ନର୍ସ ନିଯୁକ୍ତି ବିଜ୍ଞପ୍ତିକୁ ସ୍ୟାଟ୍‌ରେ ଚ୍ୟାଲେଞ୍ଜ

୧୫ ଦିନ ଭିତରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ : ଠିକା ଷ୍ଟାଫ୍‌ ନର୍ସ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସ୍ୟାଟ୍‌ର ବିଚାର ବିଭାଗୀୟ ସଦସ୍ୟ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୧୫ ଦିନ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡାନ୍ତ ରାୟ ଉପରେ ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି ସ୍ୟାଟ୍‌ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୫୦ ଜଣ ଷ୍ଟାଫ ନର୍ସ ନିଯୁକ୍ତି କରିବା ପାଇଁ ୨୦୧୮, ଫେବ୍ରୁଆରି ୧୭ରେ ଢେଙ୍କାନାଳ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ମାତ୍ର ୧୮ଟି ପଦବି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରହିଥିବା ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଜାରି କରିଥିବା ନିୟମାବଳୀ ଅନୁସାରେ କୌଣସି କ୍ଷେତ୍ରରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ। କିନ୍ତୁ ଷ୍ଟାଫ ନର୍ସ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସଂରକ୍ଷଣ ଆଇନର ଉଲ୍ଲଂଘନ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ସଂରକ୍ଷଣ ଆଇନ ଉଲ୍ଲଘଂନ କରୁଛି ଦର୍ଶାଇ ସ୍ମିତାଶ୍ରୀ ସାହୁ, ଜୟଶ୍ରୀ ସାହୁ, ଚଞ୍ଚଳା ସାହୁ, ଲକ୍ଷ୍ମୀ ମହନ୍ତି ପ୍ରମୁଖ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂରକ୍ଷଣ ଆଇନ ଉଲ୍ଲଘଂନ କରୁଥିବା ବିଜ୍ଞପ୍ତି ରଦ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର