ସହରରେ କୃତ୍ରିମ ବନ୍ୟାକୁ ନିୟନ୍ତ୍ରଣ କର, ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌରପାଳିକାକୁ ନିର୍ଦ୍ଦେଶ

ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ପଦକ୍ଷେପ ନିଅ

ଭୁବନେଶ୍ବର : ବର୍ଷା ଦିନେ କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ଏକ ସଙ୍ଗୀନ୍ ସମସ୍ୟା ପାଲଟିଯାଇଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ତାହାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଏ ବର୍ଷ କିପରି ଏହି କୃତ୍ରିମ ବନ୍ୟାକୁ ନିୟନ୍ତ୍ରଣ କରାଯିବ, ସେ ନେଇ ତତ୍ପରତା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ। ପ୍ରତି ସହର ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲା ପ୍ରଶାସନ ଓ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ ବର୍ଷା, ବାତ୍ୟା ଭଳି ସ୍ଥିତିରେ ଯେଭଳି ସହରାଞ୍ଚଳରେ କୌଣସିଠାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି।

ରାଜ୍ୟ ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ୍‌ ନାଏକ ଏହି ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିସନର, ମ୍ୟୁନିସିପାଲିଟି ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ପୌରପାଳିକାଗୁଡ଼ିକ ଡ୍ରେନେଜ ଡିଜିଜନ୍‌, କ୍ଷୁଦ୍ର ଜଳସେଚନ ଓ ଜଳସମ୍ପଦ ବିଭାଗ ସହିତ ମିଳିତ ଭାବେ ବର୍ଷା ଋତୁ ପୂର୍ବରୁ ସମସ୍ତ ଡ୍ରେନ ଚ୍ୟାନେଲ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଆବଶ୍ୟକ ସ୍ଥଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଡ୍ରେନ ଘୋଡ଼ଣିଗୁଡ଼ିକର ମରାମତି କିମ୍ବା ନିର୍ମାଣ କରିବେ। କାରଣ ପ୍ରବଳ ବର୍ଷା ସମୟରେ ବର୍ଷା ପାଣି ଫୁଟପାଥ୍‍ ଉପରକୁ ଉଠିଗଲା ପରେ ଘୋଡ଼ଣି ନ ଥିବା ସ୍ଥାନରେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ସେହିଭଳି ଯଦି କୌଣସି ଠାରେ ଡ୍ରେନ ଜବରଦଖଲ ହୋଇ ଜଳ ଅବରୋଧ ହେବାର ଆଶଙ୍କା ରହିଛି, ତେବେ ତୁରନ୍ତ ସେହି ଜବରଦଖଲ ହଟାଇବା ଓ ଉଚ୍ଛେଦ ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଜବରଦଖଲକାରୀ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରାଞ୍ଚଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ ସହିତ ସେଠାରେ ବର୍ଷା ସମୟରେ ଜରୁରୀ ଭିତ୍ତିରେ ପମ୍ପ ମୁତୟନ କରିବାକୁ କୁହାଯାଇଛି ।

ବର୍ଷା ଦିନେ ସହରାଞ୍ଚଳରେ ଜଳ ଜମା ହେବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନିଜ୍‍ ଏନ୍‍ସେଫାଲାଇଟିସ୍‍ ଭଳି ରୋଗ ଏବଂ ଡାଇରିଆ ଓ କାମଳ ଭଳି ଜଳବାହିତ ରୋଗ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଜନବସତି ଅଞ୍ଚଳରେ ଯେଭଳି ଆଦୌ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନ ହୁଏ, ସେଥି ପାଇଁ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ଏଭଳି ରୋଗର ନିରାକରଣ ପାଇଁ ଜଳ ଜମା ହେଉଥିବା ସ୍ଥାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ ସହିତ ମଇଳା ଟାଙ୍କି ଗୁଡିକରେ ଘୋଡ଼ଣି ପକାଇବା, ଠିକଣା ଭାବେ ଅଳିଆ ଉଠାଇବା, ପାଣି ଟାଙ୍କିଗୁଡ଼ିକରେ ଘୋଡ଼ଣି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ନିୟମିତ ଭାବେ ମଶାଧୂଆଁ ଛାଡ଼ିବାକୁ ଅଗ୍ରାଧିକାର ଦିଆଯିବ।

ସେହିଭଳି ପ୍ରତ୍ୟେକ ପୌରାଞ୍ଚଳରେ କମିସନର୍‌/କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ୍‌ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା କରିବା ସହିତ ବିଭିନ୍ନ ବିଭାଗ, ସଂସ୍ଥା ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସେମାନଙ୍କ ଇଲାକାରେ ସୃଷ୍ଟି ବନ୍ୟାଭଳି ପରିସ୍ଥିତିର ମୁକାବିଲା କରାଯିବାକୁ କୁହାଯାଇଛି । ଏହି କମାଣ୍ଡ ସେଣ୍ଟର୍‌ରେ ବିଭିନ୍ନ ବିଭାଗ ସେମାନଙ୍କ ପ୍ରତିନିଧିଙ୍କୁ ସଦସ୍ୟଭାବେ ନିୟୋଜିତ ଲାଗି ଅନୁରୋଧ କରାଯିବ। ବର୍ଷା ଦିନେ ଏହି କମାଣ୍ଡ ସେଣ୍ଟର୍‌ ସକ୍ରିୟ ଭାବେ ସାଧାରଣ ଲୋକଙ୍କ ସହ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସେବା ଯୋଗାଇବ। ଉପରୋକ୍ତ ସମସ୍ତ କାର୍ଯ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଓ ଏସ୍‍ଓପି ଅନୁଯାୟୀ ଉନ୍ନତି/ୟୁଡବ୍ଲ୍ୟୁୟୁଆଇ/ଅର୍ଥ କମିସନ୍‌ଙ୍କ ଅନୁଦାନରୁ ହେବ ବୋଲି ଶ୍ରୀ ନାଏକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର