ଭୁବନେଶ୍ବର ଏମ୍ସରେ କରୋନା ଆକ୍ରାନ୍ତଙ୍କୁ ନେଇ ବିବାଦ : ବରିଷ୍ଠ ଡାକ୍ତରଙ୍କ ବେପରୁଆ ଆଚରଣ ନେଇ କ୍ଷୋଭ ପ୍ରକାଶ କଲା ଏମ୍ସ ଡାକ୍ତରୀ ସଂଘ

ଭୁବନେଶ୍ବର: ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତଙ୍କୁ ନେଇ ମୁଣ୍ଡ ଟେକିଛି ଏକ ନୂଆ ବିବାଦ। ଆକ୍ରାନ୍ତ ଜଣକ ବିଦେଶରୁ ଫେରିବା ପରେ ତାଙ୍କର ଗସ୍ତସୂଚୀକୁ ଲଚାଇ ରଖି  ଭୁବନେଶ୍ବର ଏମ୍ସର ଆଇସୋଲେସନ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରିବା ସହ  ହସ୍ପିଟାଲର ଡକ୍ଟରର୍ସ ରୁମରେ ରଖାଯାଇଥିଲା। ଫଳରେ ବହୁ ଡାକ୍ତର ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଯେତେବେଳେ ତାଙ୍କର ନମୂନା ପଜିଟିଭ୍ ବାହାରିଥିଲା ସେତେବେଳେ ସମସ୍ତେ ସେ କରୋନା ପଜିଟିଭ ବୋଲି ଜାଣିବାକୁ ପାଇଥିଲେ। ଯେ‌ହେତୁ ଆକ୍ରାନ୍ତ ଜଣକ ଏମ୍ସର ଜଣେ ଡାକ୍ତରଙ୍କ ପୁତ୍ର ତେଣୁ ଏହା ସମ୍ଭବ ହୋଇଥିଲା। ତେବେ ଏହି ଘଟଣା ପରେ ଏମ୍ସ ରେସିଡେଣ୍ଟ ଡାକ୍ତରୀ ସଂଘ ପକ୍ଷରୁ ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶିକାଙ୍କୁ ପତ୍ର ଲେଖାଯାଇ ପ୍ରତିବାଦ କରାଯାଇଛି।

ଭୁବନେଶ୍ୱରରେ ଥିବା ଏମ୍ସର ରେସିଡେଣ୍ଟ ଡାକ୍ତରୀ ସଂଘ ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ହସ୍ପିଟାଲକୁ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଛି । ଡାକ୍ତରୀ ସଂଘ ଏମ୍ସର ନିର୍ଦ୍ଦେଶିକାଙ୍କୁ ଏ ନେଇ ଚିଠି ଲେଖିଛି । ଏହି ଚିଠିରେ ଲେଖାଯାଇଛି, ଏମ୍ସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର, ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ଏମ୍ସକୁ ଆଣିଥିଲେ । ଗତକାଲି କରୋନା ଚିହ୍ନଟ ହୋଇଥିବା ୧୯ ବର୍ଷର ଯୁବକ ସେହି ବରିଷ୍ଠ ଡାକ୍ତରଙ୍କ ପୁଅ ଏବଂ ସେଥିପାଇଁ ଡାକ୍ତର ଜଣଙ୍କ କୌଣସି ନିୟମକୁ ନ ମାନି ବେପରୁଆ ଭାବେ ଚିକିତ୍ସା କରାଇଛନ୍ତି ବୋଲି ରେସିଡେଣ୍ଟ ଡାକ୍ତରୀ ସଂଘ ଅଭିଯୋଗ କରିଛି।

ସୂଚନା ଅନୁସାରେ, ୩ ଦିନ ପୂର୍ବରୁ ସେହି ଡାକ୍ତରଙ୍କ ପୁଅ ବ୍ରିଟେନରୁ ଫେରିଥିଲେ । କିନ୍ତୁ ଏହି ତଥ୍ୟ ସଂପୃକ୍ତ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟ ପ୍ରକାଶ କରି ନଥିଲେ । କରୋନା ଆକ୍ରାନ୍ତଙ୍କ ବାପା ସେଠାରେ ଡାକ୍ତର ଥିବାରୁ ଅନ୍ୟମାନେ ମଧ୍ୟ ବିପଦ ଘେରକୁ ଆସି ଯାଇଛନ୍ତି ବୋଲି  ଡାକ୍ତରୀ ସଂଘ ଆଶଙ୍କା ପ୍ରକାଶ କରିଛି । ସଂପୃକ୍ତ ଡାକ୍ତର ସେମାନଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି । ଏପ୍ରକାର ଦାୟିତ୍ବହୀନ କାର୍ଯ୍ୟ ଲାଗି  ଆଇସୋଲେସନ୍ ୟୁନିଟର ଡାକ୍ତର ମଧ୍ୟ ସମ ପରିମାଣରେ ଦାୟୀ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା, କରୋନା ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର ନାହିଁ ବୋଲି ଡାକ୍ତର ସଂଘ ଅଭିଯୋଗ ଆଣିଛି।

ଅନ୍ୟ ପକ୍ଷରେ ଏମ୍ସ ଡାକ୍ତରଙ୍କର ଏପରି କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ସରକାରଙ୍କର ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ଏହା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସର୍ବୋଚ୍ଚସ୍ତରରେ ଏହି ଘଟଣାର ସମୀକ୍ଷା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର