ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ: ବିନାନୁମତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଚାଲିଛି ଖନନ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ତମ୍ବିତୋଫାନ ହେଲାଣି। ଏହି ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପାଇଁ ବିପଦ ଆଣୁଛି ବୋଲି ଭକ୍ତ, ସେବାୟତ ମହଲ ଅଭିଯୋଗ କରିବା ପରେ କଥା ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ପୁରୀରୁ ଯାଇ ବିଧାନସଭା, ଲୋକସଭାରେ ପହଞ୍ଚିଲାଣି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଭିତରେ ଚାଲିଥିବ ମନ୍ତବ୍ୟକୁ ନେଇ ଅସନ୍ତୋଷ ବି ବଢ଼ିବାରେ ଲାଗିଛି। ତଥାପି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଆଜି ବି ଅଟକିନାହିଁ। ଏବେ ବି ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ନେଇ ଚର୍ଚ୍ଚା ଜୋର୍‌ ଧରିଛି।। ଜୋତାଷ୍ଟାଣ୍ଡ୍‌ ପାର୍ଶ୍ବକୁ ଥିବା ଶ୍ରୀମନ୍ଦିରର ପୁରୁଣା କାର୍ଯ୍ୟାଳୟ ଭାଙ୍ଗି ଦିଆଯିବା ପରେ ଏହାର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଜାରି ରହିଛି।

ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏନ୍‌ଏମ୍‌ଏର ଯେଉଁ ଅନୁମତିପତ୍ର ଦେଖାଉଛି, ସେଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ସ୍ପଷ୍ଟ ବିରୋଧ କରାଯାଇଛି। କୁହାଯାଇଛି ଯେ ନିଷିଦ୍ଧାଞ୍ଚଳ ବାହାରେ ରେଗୁଲେଟେଡ୍‌ ଅଞ୍ଚଳରେ ନିର୍ମାଣ ହେଉଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଏନ୍‌ଏମ୍‌ଏ ନିକଟରେ ପୁନଃଆବେଦନ କରାଯାଉ। ସେ ପୁଣି ଭିନ୍ନ ଭାବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଏହାକୁ ନ ମିଶାଇବାକୁ କୁହାଯାଇଥିଲା। ଏନ୍‌ଏମ୍‌ଏ ଆଇନ-୨୦ସି(୨) ଆଧାରରେ ଅନୁମତି ମାଗିବାକୁ କୁହାଯାଇଥିଲା। ଏବେ ସୁଦ୍ଧା ଏହାର ଅନୁମତିପତ୍ର ମିଳିନି। ପୁନଃ ଆବେଦନ ହୋଇଛି କି ନାହିଁ, ତାହା ବି କେହି ସ୍ପଷ୍ଟ କହୁନାହାନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗା ସ୍ଥାନରେ ଏବେ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି। ଓବିସିସି ଜରିଆରେ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜେସିବି, ଏସ୍କାଭେଟର, ଭାଇବ୍ରେଟର ଲଗାଇ ପ୍ରାୟ ୧୫ ଫୁଟର ଗର୍ତ୍ତ ଏଠାରେ ସୃଷ୍ଟି କରି ସାରିଲାଣି। ସେ ପୁଣି ପ୍ରାୟ ୧୨ ଫୁଟ ଓସାର ଓ ପ୍ରାୟ ୨୦ ଫୁଟ ଲମ୍ବରେ। ଖନନ ପରେ ଏବେ ମୂଳଦୁଆ ପକାଇବା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ରଡ୍‌ ବାଇଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି। ପିଲାର ଉଠିବା ପାଇଁ ପାଇପ୍‌ ବନ୍ଧାଯାଇଛି। ସେପଟେ ଏମାର ମଠ ପଛପାର୍ଶ୍ବରେ ପୂର୍ବ-ଦକ୍ଷିଣଦ୍ବାର କୋଣରେ ବି ଖନନ କାର୍ଯ୍ୟ ଜାରି ରହିଛି। ଏଠାରେ ବି ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେପଟେ ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାରରେ ଖନନ ପରେ କଂକ୍ରିଟ୍‌ ପିଲାର୍‌ ଉଠାଯାଇଥିଲା। ଏବେ ଇଟାରେ ଘର ତିଆରି ଆରମ୍ଭ ହୋଇଯାଇଛି। ପଶ୍ଚିମଦ୍ବାରରେ ଇଟାର କାନ୍ଥ ଉଠା ସରିଲାଣି। ଏହି ନିର୍ମାଣ କାର୍ଯ୍ୟ ବି ଜାରି ରହିଛି। ଏ ସମ୍ପର୍କରେ ଓବିସିସିର ନିର୍ବାହୀ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି ଯେ ଏହି ପ୍ରକଳ୍ପ ୧୦୦ ମିଟର ପରିସରରେ ଆସୁନାହିଁ। ଏ ନେଇ ଏନ୍‌ଏମ୍‌ଏ ନିକଟରେ ପୁନଃ ଆବେଦନ କରାଯାଇଥିଲା। ସେହି ଆଧାରରେ ଆମେ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛୁ।

ସମ୍ବନ୍ଧିତ ଖବର