ଚିନ୍ତା ବଢ଼ାଇଲାଣି ଦ୍ବିତୀୟ ଲହର: ଆସିବ ଆହୁରି ୧୦୦ ଭେଣ୍ଟିଲେଟର

କିଣାଯିବ ୨ଲକ୍ଷ ରେମଡେସିଭିର, ୬ଲକ୍ଷ ଫାଭିପିରାଭିର, ଆଇସିୟୁ ଶଯ୍ୟା ଦୁଇଗୁଣ ବଢ଼ିବ

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୩ହଜାର ଛୁଇଁଥିବା ବେଳେ ଆଗାମୀ ଦିନରେ ଏହା ୫ହଜାର ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଶଯ୍ୟାର ଅଭାବ ଦେଖାଦେଇପାରେ। ତେଣୁ ରାଜ୍ୟ ସରକାର ଏବେଠାରୁ ସାଧାରଣ ଶଯ୍ୟା ସମେତ ଆଇସିୟୁ ଓ ଭେଣ୍ଟିଲେଟର ବଢ଼ାଇବା ପାଇଁ ଯୋଜନା କରିଛନ୍ତି। ରାଜ୍ୟରେ ଏବେ ଯେତିକି ସଂଖ୍ୟକ ଆଇସିୟୁ ଶଯ୍ୟା(ସରକାରୀ, ସରକାରୀ ପ୍ରୋତ୍ସାହନ) ରହିଛି ତାହାକୁ ଦୁଇଗୁଣ ବଢ଼ାଇବାକୁ ଯୋଜନା କରାଯାଇଛି। ଏପିରିକି ଆବଶ୍ୟକ ପଡ଼ିଲେ ୬ହଜାର ଅକ୍ସିଜେନ୍ ଶଯ୍ୟା ମଧ୍ୟ ପ୍ରସ୍ତୁତ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଜଟିଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରେମଡେ‌ସିଭିର ଏବେ ଖୋଲା ବଜାରରେ ଉପଲବ୍ଧ ହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

ରାଜ୍ୟ ସରକାର ପୂର୍ବରୁ ଯେଉଁ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଥିବା ସେସବୁକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି। ପୂର୍ବରୁ ଏସବୁ ହସ୍ପିଟାଲରେ ୧୫ଶହ ଆଇସିୟୁ ଶଯ୍ୟା ରହିଥିବା ବେଳେ ଏହାକୁ ଦୁଇଗଣ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଅଧିକ ଗୁରୁତର ରୋଗୀଙ୍କୁ ଆଇସିୟୁ ଶଯ୍ୟା ଉପଲବ୍ଧ ହୋଇପାରିବ। ଏହାସହ ଆହୁରି ୧୦୦ଟି ଭେଣ୍ଟିଲେଟର ମଧ୍ୟ କିଣାଯିବ। ରାଜ୍ୟରେ ଏବେ ୪ଶହରୁ ଅଧିକ ଭେଣ୍ଟିଲେଟର ରହିଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ଘଟିବ। ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ବେଳେ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟର ମିଳି ନ ଥିଲା। ତେଣୁ ଚଳିତବର୍ଷ ଏଭଳି ଅଭାବକୁ ଦୂର କରିବା ଲାଗି ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏସ୍‌ସିବିରେ ଶଯ୍ୟା ସଂଖ୍ୟା ବଢ଼ିଥିବା ବେଳେ ବୁର୍ଲାରେ ମଧ୍ୟ ଏହାକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ସେହିପରି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରେମଡେସିଭିର ଓ ଫାଭିପିରାଭିର ବଟିକା କିଣିବା ଲାଗି ରାଜ୍ୟ ଔଷଧ ନିଗମକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ୨ଲକ୍ଷ ରେମଡେସିଭିର ଇଞ୍ଜେକସନ୍ ଓ ୬ଲକ୍ଷ ଫାଭିପିରାଭିର ବଟିକା, ୫୦ଲକ୍ଷ ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ ମଧ୍ୟ ରହିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଏବେ ଆବଶ୍ୟକ ପରିମାଣର ରେମଡେସିଭିର ଓ ଫାଭିପିରାଭିର ବଟିକା ରହିଛି। ମାତ୍ର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଏସ୍‌ଏମ୍‌ସିଏଲକୁ ଏଭଳି ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର